ସର୍ଦ୍ଦାର ବଲ୍ଲଭଭାଇ ପଟେଲ ” ଲୌହ ମାନବ “ଙ୍କୁ ସପ୍ରେମ ଶ୍ରଦ୍ଧାଞ୍ଜଳି ।।

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ତତ୍କାଳୀନ ବମ୍ବେ ପ୍ରେସିଡେନ୍ସି ଅନ୍ତର୍ଭୂକ୍ତ ନଦିଆଦ ଠାରେ, ୧୮୭୫ ମସିହା ଅକ୍ଟୋବର ୩୧ ତାରିଖରେ। ସ୍ଵାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିନା ରକ୍ତପାତରେ ଦେଶୀୟ ରାଜ୍ୟ ମାନଙ୍କୁ ଭାରତରେ ମିଶ୍ରଣ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ।

ଦେଶ ସେବକ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କର ବଳିଷ୍ଠ ଅବଦାନ ନିମନ୍ତେ “ଲୌହ ମାନବ” ଉପାଧି ପ୍ରଦାନ କରାଯାଇଥିଲା।ତାଙ୍କ ସ୍ମୃତିରେ ତାଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଏ।୨୦୧୮ ମସିହା ଅକ୍ଟୋବର ୩୧ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକତାର ପ୍ରତିମୂର୍ତ୍ତି ଭାବେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟରର ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ। ଉଦଘାଟନ ସମୟରେ ଏହା ଥିଲା ବିଶ୍ଵର ସର୍ବୋଚ୍ଚ ପ୍ରତିମୂର୍ତ୍ତି।
ଜଣେ ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ଭାବରେ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଭାରତ ଛାଡ଼ ଆନ୍ଦୋଳନରେ ତାଙ୍କର ଭୂମିକା ଅନନ୍ୟ ଓ ଗୁରୁତ୍ୱପୂର୍ଣ୍ଣ ଥିଲା।
ଉପ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭାବେ ପ୍ରାଦେଶିକ ରାଜ୍ୟ ମାନଙ୍କୁ ଏକାଠି କରି ସାର୍ବଭୌମ ସ୍ଵାଧୀନ ଭାରତରେ ମିଶ୍ରଣ କରିବାର ଗୁରୁ ଦାୟିତ୍ବ ସେ ଅତ୍ୟନ୍ତ ଦକ୍ଷତାର ସହିତ କାର୍ଯ୍ୟକାରୀ କରିଥିଲେ।

ଥରେ କୋୖଣସି ଏକ ମୋକଦ୍ଦମାରେ ସେ ଲଢୁଥାନ୍ତି ନ୍ୟାୟ ଆଶାରେ। ଏହି ସମୟରେ ଜଣେ ଲୋକ ତାଙ୍କ ହାତକୁ ଗୋଟିଏ ଟେଲିଗ୍ରାମ ବଢାଇଦେଲା।ସେ ତଳକୁ ମୁହଁ କରି ମୂହୁର୍ତ୍ତକ ମଧ୍ୟରେ ଟେଲିଗ୍ରାମ ଉପରେ ଆଖି ବୁଲେଇ ଆଣିଲେ। ତାପରେ କାଗଜଟିକୁ ଭାଙ୍ଗି ପକେଟରେ ରଖିଦେଲେ। ବହୁତ ବେଳ ଜେରା ସରିବା ପରେ ସେ ଯେତେବେଳେ ବାହାରକୁ ବାହାରି ଆସିଲେ, ସେତେବେଳକୁ ତାଙ୍କ ମୁହଁ ଶୁଖି ଯାଇଥିଲା।ସାଙ୍ଗ ଓକିଲ ମାନେ କ’ଣ ଟେଲିଗ୍ରାମ ଆସିଥିଲା ବୋଲି ପଚାରିଲେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପକେଟରୁ ଟେଲିଗ୍ରାମଟି କାଢି ସେମାନଙ୍କୁ ଦେଇଦେଲେ। ସେଥିରେ ଲେଖାଥିଲା,”ତୁମ ସ୍ତ୍ରୀ ଆଜି ମରିଗଲେ।” ସାଙ୍ଗ ଓକିଲ ମାନେ କାବା ହୋଇଗଲେ।

ସେତେବେଳକୁ ତାଙ୍କ ଝିଅ ମଣିବେନ୍ ପଟେଲ ଓ ପୁଅ ଦୟାଭାଇ ପଟେଲ ଖୁବ୍ ଛୋଟ ହୋଇଥିଲେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆଉ ବିବାହ କଲେ ନାହିଁ।
ତାଙ୍କ ପିଲାମାନଙ୍କୁ ଜଣେ ବନ୍ଧୁଙ୍କ ଘରେ ରଖି ବାରିଷ୍ଟରୀ ପଢିବାକୁ ବିଲାତ ‌ଗଲେ। ସେଠାରେ ଦୁଇ ବର୍ଷ ରହି ବାରିଷ୍ଟରୀ ପାସ୍ କରି ସଙ୍ଗେ ସଙ୍ଗେ ଦେଶକୁ ଫେରି ଆସିଲେ। ଅହମଦାବାଦରେ ଓକିଲାତି କଲେ।ଗାନ୍ଧିଜୀଙ୍କ ଚମ୍ପାରଣ ସତ୍ୟାଗ୍ରହ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଗାନ୍ଧୀଙ୍କ ପ୍ରତି ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିଲା। ସେଇଠୁ ସେ ଗାନ୍ଧୀଙ୍କ ଆଡ଼କୁ ଢଳିଲେ ଓ ଗୁଜରାଟରେ ଗୋଟିଏ ବଡ଼ ସଭା ଆୟୋଜନ କରି ଗାନ୍ଧୀଙ୍କୁ ସଭାପତି ହେବାକୁ ଅନୁରୋଧ କଲେ।

ସେହି ସଭାରେ ଗାନ୍ଧିଜୀ ଙ୍କ ସହ ତାଙ୍କର ଭେଟ ହେଲା। ସେହି ସଭାର ସେ ହେଲେ ସମ୍ପାଦକ।ଏହାପରେ ବମ୍ବେର କଇରା ଅଞ୍ଚଳ ଚାଷୀମାନଙ୍କ ସତ୍ୟାଗ୍ରହର ଦାୟିତ୍ଵ ସେ ନିଜେ ନେଇଥିଲେ। ବଲ୍ଲଭଭାଇ ପଟେଲଙ୍କ କାମ ସାରା ଭାରତରେ ଚହଳ ପକାଇଦେଲା। ଭାରତର ଲୋକେ ତାଙ୍କୁ ଚିହ୍ନିଲେ। ଗାନ୍ଧିଜୀ ତାଙ୍କ ନାମ ଦେଲେ ସର୍ଦ୍ଦାର।ସେ ପରିଚିତ ହେଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାବରେ।
ତାପରେ ଅହମଦାବାଦ ଲୁଗାକଳ ଶ୍ରମିକ ମାନଙ୍କ ଆନ୍ଦୋଳନର ନେତୃତ୍ଵ ନେଇ ଶ୍ରମିକ ମାନଙ୍କ ମଜୁରୀ ବୃଦ୍ଧି କରିବାରେ ସଫଳ ହୋଇଥିଲେ।

ନାଗପୁରର ହାକିମ ହୁକୁମ ଦେଲେ,” ରାସ୍ତାରେ କେହି ପତାକା ଧରି ଚାଲିପାରିବେ ନାହିଁ।”ନାଗପୁରର ଲୋକେ ଜିଦ୍ ଧରିଲେ, ଆମ ପତାକା ଆମେ ଧରି ରାସ୍ତାରେ ବୁଲିବୁ। ଲୋକମାନେ ଦଳ ଦଳ ହୋଇ ପତାକା ଧରି ରାସ୍ତାରେ ବୁଲିଲେ। ବ୍ରିଟିଶ ପୁଲିସ ସେମାନଙ୍କୁ ଗିରଫ କଲା। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସେଠାରେ ପହଞ୍ଚି ଲୋକମାନଙ୍କ ନେତୃତ୍ବ ନେଲେ। ହାକିମ ତାଙ୍କ ହୁକୁମ ଉଠାଇ ନେଲେ।ଗୁଜରାଟ ର ବର୍ଦ୍ଦୋଳାଇ (ବର୍ଦ୍ଦୋଳୀ) ଅଞ୍ଚଳରେ ସରକାର ନୁଆ ବନ୍ଦୋବସ୍ତ କଲେ। ଚାଷୀ ମାନେ ଆଗରୁ ଯେତିକି ଖଜଣା ଦେଉଥିଲେ, ତାଠାରୁ ଆଉ ଚଉଠେ ଅଧିକ ଦେବାକୁ କୁହାଗଲା। ଚାଷୀମାନେ ଏଥିରେ ରାଜି ହେଲେ ନାହିଁ। ସର୍ଦ୍ଦାର ପଟେଲ ସେଠାରେ ପହଞ୍ଚି ଲୋକମାନଙ୍କୁ ଦମ୍ଭ ଦେଲେ।ଲୋକଙ୍କ ଜିଦ୍ ରହିଲା।ତାପରେ ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ ଆରମ୍ଭ ହେଲା। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଗିରଫ ହୋଇ ଜେଲରେ ରହିଲେ।

୧୯୩୧ ମସିହାରେ କଂଗ୍ରେସ ମହାସଭା ବସିଲା। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏହାର ସଭାପତି ହେଲେ।୧୯୩୯ ମସିହାରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ହେଲା। ସର୍ଦ୍ଦାର ପଟେଲଙ୍କ କଥା ମୁତାବକ ସବୁ ପ୍ରଦେଶର ମନ୍ତ୍ରୀ ମାନେ ଇସ୍ତଫା ଦେଲେ।
ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ଭାବେ ତାଙ୍କର ପ୍ରଧାନ କାର୍ଯ୍ୟ ହେଲା ଭାରତକୁ ଏକ କରିବା। ସେତେବେଳକୁ ଭାରତରେ ୫୬୦ଟି ଦେଶୀୟ ରାଜ୍ୟ ଥିଲା।ତା ମଧ୍ୟରୁ ଓଡ଼ିଶାରେ ୨୬ ଟି ସ୍ଵତନ୍ତ୍ର ରାଜ୍ୟ ଥିଲା।

ଅଧିକାଂଶ ଦେଶୀୟ ରାଜା ମାନେ ଲୋକଙ୍କ ଉପରେ ଜୁଲମ କରି କର ଆଦାୟ କରୁଥିଲେ। ଅଳ୍ପ ଦିନ ମଧ୍ୟରେ ସବୁ ଦେଶୀୟ ରାଜ୍ୟ ମାନେ ଭାରତରେ ମିଶିଗଲେ। ହାଇଦ୍ରାବାଦର ନବାବ ରାଜି ନହେବାରୁ ସେ ନିଜାମ୍ ଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ। ନିଜାମ ବାଧ୍ୟହୋଇ ତାଙ୍କ ହାଇଦ୍ରାବାଦକୁ ଭାରତରେ ମିଶାଇବାକୁ ରାଜି ହୋଇଗଲେ।
୧୯୫୦ ମସିହା ଡିସେମ୍ବର ୧୫ ତାରିଖରେ ହୃଦଘାତରେ ବମ୍ବେ ସ୍ଥିତ ବିର୍ଲା ହାଉସ୍ ରେ ସେହି ମହାମାନବ ଇହଲୀଳା ସମ୍ବରଣ କଲେ। ତାଙ୍କ ଶୋଭାଯାତ୍ରାରେ ପାଖାପାଖି ଦଶ ଲକ୍ଷ ଲୋକ ଯୋଗ ଦେଇଥିଲେ। ସେହି ମହାପୁରୁଷଙ୍କୁ ତାଙ୍କ ଜନ୍ମଦିନରେ ମୋର ଭକ୍ତିପୁତ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
ଆଲେଖ୍ୟ: ବାବାଜୀ ଚରଣ ଦାସ ।
ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯।