ସାବିତ୍ରୀ ଅମାବାସ୍ୟା ଉପରେ କିଛି ଅଜଣା କଥା

ସାବିତ୍ରୀ ଅମାବାସ୍ୟା ପଛରେ ମଧ୍ୟ ରହିଛି ଏକ ପୌରାଣିକ ଏବଂ ଐତିହାସିକ କାହାଣୀ । ଭାରତୀୟ ପରମ୍ପରାରେ ଦୁଇ ଶ୍ରେଷ୍ଠ କନ୍ୟା ହେଲେ ସତୀ ଏବଂ ସାବିତ୍ରୀ । ଉଭୟ ହେଉଛନ୍ତି ମାତୃ ଦେବୀଙ୍କର ପାର୍ଥୀବ ଅବତାର । ଉଭୟ ରାଜକନ୍ୟା ଥିବାରୁ ନିଜ ଇଚ୍ଛାରେ ସେମାନେ ବିବାହ କରିଥିଲେ । ପୁରାଣ କାହାଣୀ କୁହେ ସାବିତ୍ରୀଙ୍କ ତେଜ ଆଗରେ କୌଣସି ପୁରୁଷ ସେତେବେଳେ ଠିଆ ହୋଇ ପାରୁନଥିଲେ । ତେବେ ମାଦ୍ର ଦେଶର ରାଜା ଅଶ୍ୱପତି ସାବିତ୍ରୀ ଦେବୀଙ୍କୁ ପ୍ରାର୍ଥନା କରି ତାଙ୍କୁ ପାଇଥିଲେ କନ୍ୟା ରୂପରେ । ସେହିଭଳି ଦକ୍ଷରାଜା ଦେବମାତା ଅଦିତିଙ୍କୁ ତପସ୍ୟା କରି ପାଇଥିଲେ ସତୀଙ୍କୁ ।
ତେବେ ସାବିତ୍ରୀଙ୍କ ବିବାହ ବୟସ ଉପନୀତ ହେବାରୁ ସାବିତ୍ରୀଙ୍କ ଉପରେ ନିଜ ପାଇଁ ପାତ୍ର ଖୋଜିବା ପାଇଁ ଦାୟିତ୍ୱ ଛାଡିଦେଲେ । ସେହିଭଳି ପିତାଙ୍କର ମାନସିକ ଅବସ୍ଥାକୁ ଅନୁଭବ କରି ସାବିତ୍ରୀ ନିଜେ ବାହାରିଲେ ନିଜ ପାଇଁ ବର ଖୋଜି । ଦିନେ ସାବିତ୍ରୀ ବନସ୍ତରେ ରଥରେ ବୁଲୁଥିବା ବେଳେ ତାଙ୍କର ଭେଟ ହୋଇଥିଲା ସାଲ୍ୱ ରାଜପୁତ୍ର ସତ୍ୟବାନଙ୍କ ସହିତ । ସତ୍ୟବାନଙ୍କ ରୂପ ଗୁଣରେ ମୁଗ୍ଧ ହୋଇ ତାଙ୍କୁ ବିବାହ କରିବେ ବୋଲି ମନସ୍ତ କଲେ । ସତ୍ୟବାନଙ୍କ ଆୟୁଷ କମ ଥିବା ନାରଦଙ୍କ ଠାରୁ ଜାଣିବା ପରେ ମଧ୍ୟ ସାବିତ୍ରୀ ସତ୍ୟବାନଙ୍କୁ ବିବାହ କରି ସେହି ଅରଣ୍ୟରେ ରହିଥିଲେ ।
ବିବାହର ଠିକ ବର୍ଷକ ପରେ ସତ୍ୟବାନଙ୍କର ମୃତ୍ୟୁ ଘଟିଲା । ସତ୍ୟବାନଙ୍କ ଆତ୍ମାକୁ ନେବା ପାଇଁ ଯମ ମହାରାଜ ଆସିଲେ । ହେଲେ ସାବିତ୍ରୀ ନିଜ ସ୍ୱାମୀଙ୍କୁ ଜମଙ୍କ ସହିତ ନଛାଡିବାକୁ ଅଡିବସିଲେ । ଏମିତି କି ନିଜ ସ୍ୱାମୀଙ୍କ ଆତ୍ମା ସହିତ ସେ ମଧ୍ୟ ଯମ ପୁରକୁ ଯିବେ ବୋଲି ଜିଦ୍ ଧରିଲେ । ଯମବି ସାବିତ୍ରୀଙ୍କୁ ବୁଝାଇବାରେ ବିଫଳ ହେଲେ । ତେବେ ଯମ ସାବିତ୍ରୀଙ୍କୁ ସତ୍ୟବାନଙ୍କ ଜୀବନ ବ୍ୟତୀତ ଅନ୍ୟ କିଛି ବର ମାଗିବାକୁ କହିଲେ ।

ସାବିତ୍ରୀ ବର ମାଗିଥିଲେ ଶ୍ୱଶୁରଙ୍କ ଦୃଷ୍ଟି ଶକ୍ତି ଏବଂ ରାଜ୍ୟ ସାଙ୍ଗକୁ ଶହେ ପୁତ୍ରଙ୍କ ମା ହେବା ପାଇଁ । ଯମ ଏହି ବରଦବାକୁ ବାଧ୍ୟ ହୋଇଥିଲେ । ସାବିତ୍ରୀଙ୍କ ପରି ମହାସତୀ ବିନା ସ୍ୱାମୀରେ ମା ହେବା ସମ୍ଭବ ନଥିଲା । ତେଣୁ ଯମ ବାଧ୍ୟ ହୋଇ ସତ୍ୟବାନଙ୍କ ଜୀବନ ଫେରାଇ ଦେଇଥିଲେ । ସେହିଦିନ ଠାରୁ ବିବାହିତ ନାରୀ ମାନେ ନିଜ ସ୍ୱାମୀର ମଙ୍ଗଳ କମାନା କରି ଜ୍ୟେଷ୍ଟ ମାସ କୃଷ୍ଣ ପକ୍ଷ ଅମାବାସ୍ୟାରେ ଏହି ଉପବାସ ବ୍ରତ କରିଥାନ୍ତି । ଅଳିତାପଟା, ସିନ୍ଦୂର , ପାନିଆ , ଦର୍ପଣ, ଶଙ୍ଖା, ନୂଆ ଶାଢି କୁ ନେଇ ସାବିତ୍ରୀ ମନ୍ଦିରରେ ପୂଜା କରିଥାନ୍ତି ।ସୀତାରାମ