ରିଲ୍ସ ଦେଖୁଛନ୍ତି, ଅଭିଯୋଗ କଲେ ଦୁର୍ବ୍ୟବହାର କରୁଛନ୍ତି ନର୍ସ

ବାରିପଦା ପି ଆର୍ ଏମ୍ ମେଡିକାଲ୍ କଲେଜ୍ ହସ୍ପିଟାଲରେ ଚିକିତ୍ସାରେ ଅବହେଳାକୁ ନେଇ ଉତ୍ତେଜନା । ଶିଶୁ ବିଭାଗ ଡ୍ୟୁଟିରେ ଥିବା ନର୍ସମାନେ କୁନି କୁନି ପିଲାଙ୍କର ଠିକ୍ ଭାବେ ଚିକିତ୍ସା ନ କରିବା ଓ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ଆଣିଛନ୍ତି ଏକାଧିକ ଲୋକ । ସୂଚନା ଅନୁସାରେ ବାରିପଦା ଭୁଗୁଡ଼ାକଟା ଅଞ୍ଚଳର ଜଣେ ଦମ୍ପତି ନିଜ ୫ ବର୍ଷର ଶିଶୁ ନିଃଶ୍ୱାସ ନେବାରେ ଅସୁବିଧା ହୋଇ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଶିଶୁଟି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ କାର୍ଯ୍ୟରତ ନର୍ସ ମାନେ ଭଲରେ ଚିକିତ୍ସା ଦେବା ପରିବର୍ତ୍ତେ ରୋଗୀର ପରିବାର ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଥିଲେ । ଦମ୍ପତ୍ତି ଅଭିଯୋଗ କରିବାରୁ ନର୍ସ ଓ ଦମ୍ପତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏପରିକି ଅସୁସ୍ଥ ଶିଶୁର ଅକ୍ସିଜେନ ଖୋଲି ଫୋପାଡି ଦେବା ଭଳି ମଧ୍ୟ ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ମୋବାଇଲ ରିଲ୍ସରେ ମଜ୍ଜିଯାଇ ଠିକ୍ ସମୟରେ ଔଷଧ ଓ ଇଞ୍ଜେକସନ୍ ନ ଦେବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଆଉ ସବୁଠାରୁ ବଡ଼କଥା ହେଲା କେବଳ ଜଣେ ରୋଗୀଙ୍କଠାରୁ ଏ ଅଭିଯୋଗ ଆସିନାହିଁ । ସେଠାରେ ଥିବା ବହୁ ରୋଗୀଙ୍କ ପରିବାର ଏଭଳି ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ବାରିପଦା ପି ଆର୍ ଏମ୍ ମେଡିକାଲରେ ଉତ୍ତେଜନା ଦେଖାଦେବା ସହ ଡାକ୍ତର ଓ ନର୍ସଙ୍କୁ ନିଲମ୍ବିତ କରିବାକୁ ଦାବି ରଖିଛନ୍ତି ପରିବାର ଲୋକେ ।

You might also like