SI ପରୀକ୍ଷା ଜାଲିଆତି: ପ୍ରଶ୍ନପତ୍ର ପାଇଁ ହୋଇଥିଲା ୨୯ କୋଟିର ଡିଲ୍

ପୋଲିସ SI ପରୀକ୍ଷା କେଲେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ କାର୍ଯ୍ୟାନୁଷ୍ଠାନ । କ୍ରାଇମବ୍ରାଞ୍ଚ ଏହି ଘଟଣାରେ ୧୧୭ ଜଣ ପରୀକ୍ଷାର୍ଥୀ ଓ ୨ ଦଲାଲଙ୍କୁ ଗିରଫ କରିଛି । ଏହି କେଳେ ଳଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସଂପର୍କିତ ତଥ୍ୟ ସାମନାକୁ ଆସିଛି । ଗିରଫ ହୋଇଥିବା ୧୧୭ ଜଣ ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଥିବା ବେଳେ ପରୀକ୍ଷା ପରେ ସେମାନେ ଆଉ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବେ ବୋଲି ଡିଲ୍ ହୋଇଥିଲା । ବଡ଼ କଥା ହେଲା ବ୍ରହ୍ମପୁର ପୋଲିସ ଆନ୍ଧ୍ର ଶ୍ରୀକାକୁଲମରୁ ୧୨୦ ପରୀକ୍ଷାର୍ଥୀଙ୍କୁ ଧରିବା ପରେ ବୋର୍ଡ ସଜାଗ ହୋଇଉଠିଥିଲା । ପରୀକ୍ଷା ପୂର୍ବରୁ ଜାଲିଆତି ପାଇଁ ଏହି ୧୨୦ ପରୀକ୍ଷାର୍ଥୀଙ୍କୁ ହାଇଦ୍ରାବାଦ ନିଆଯାଉଥିଲା । ତେବେ ପୋଲିସ ଖବର ପାଇ ସେମାନଙ୍କୁ ଶ୍ରୀକାକୁଲମରେ ଧରି ବ୍ରହ୍ମପୁର ଆଣି ପଚରାଉଚରା କରୁଛି । ପରୀକ୍ଷା ଦାୟିତ୍ବରେ ଥିବା ସଂସ୍ଥା ସେମାନଙ୍କୁ ଜାଲିଆତି ପାଇଁ ନେଉଥିଲା ବୋଲି ସୂଚନା ମିଳିଥିଲା । ଏହାପରେ ବୋର୍ଡ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ବର ମଧ୍ଯ ଜାରି କରାଗଲା । ସିପିଏସଇ-୨୦୨୪ ସବୁ ପରୀକ୍ଷାରେ ସ୍ବଚ୍ଛତା ପାଇଁ ଏହି ନମ୍ବର ଜାରି ହୋଇଥିଲା । ନିଜ ଅଭିଯୋଗ 9040493223 ନମ୍ବରରେ ଜଣାଇବା ପାଇଁ ଓପିଆରବି ନିବେଦନ କରିଥିଲା । ହେଲେ କିଛି ସମୟ ପରେ ପରୀକ୍ଷା ସ୍ଥଗିତ ଲାଗି ଘୋଷଣା କରିଥିଲା ।