ମୂଷା ଅଠାରେ ପଡ଼ିଲା ସାପ
ମୂଷା ପାଇଁ ଲଗାଯାଇଥିବା ଅଠାରେ ଫସି ରହିଥିଲା ଏକ ନାଗ ସାପ ।ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ପିତାତଳି ସୁବର୍ଣ୍ଣପୁର ଗ୍ରାମରେ ଘଟିଛି ଏହି ଘଟଣା |ଗାଁର ଆଲୋକ ରଞ୍ଜନ ପାତ୍ର ଘରେ ମୂଷା ଅଠା ଖଞ୍ଜିଥିଲେ। ହେଲେ ଏହି ଅଠାରେ ମୂଷା ବଦଳରେ ଏକ ବଡ଼ ନାଗ ସାପ ଫସିଥିଲା। ଆଉ ଯେତେ ଚେଷ୍ଟା କଲେବି ସାପଟି ବାହାରି ପାରିନପାରି ଛଟପଟ ହେଇ କିଛି ସମୟ ପରେ ନିସ୍ତେଜ ହୋଇଯାଇଥିଲା।
ସେପଟେ ସାପକୁ ଦେଖି ଭୟରେ ପରିବାର ଲୋକେ ସ୍ନେକ୍ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ। ଖବର ପାଇଁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ରାମଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ସାପକୁ ଅଠା ଯନ୍ତାରୁ ଭିଡ଼ି ବାହାର କରିଥଲେ। ମାତ୍ର ସାପର ଶରୀର ଅଧିକାଂଶ ଭାଗରେ ଅଠା ଲାଗିଯାଇଥିବାରୁ ଏହାକୁ ଛଡ଼ାଇବା ତାଙ୍କ ପକ୍ଷରେ ସମ୍ଭବ ହୋଇନଥିଲ। । ଅଠା ଲାଗିଥିବା ଅବସ୍ଥାରେ ସାପ ଟିକୁ ଏକ କାଗଜ ପେଟି ରେ ଭର୍ତ୍ତି କରି ଘଟଣା ସ୍ଥଳରୁ ନେଇ ଆସିଥିଲେ ।ରାମଚନ୍ଦ୍ର ସ୍ନେକ୍ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋଟୋ ଏବଂ ଭିଡ଼ିଓ ପଠେଇ ପରାମର୍ଶ ଲୋଡିଥିଲେ । ଶୁଭେନ୍ଦୁଙ୍କ ପରାମର୍ଶ କ୍ରମେ ନଡ଼ିଆ ତେଲ ଲଗାଇ ୪ ଫୁଟ ଲମ୍ବର ବିଷଧର ନାଗ ସାପ ଦେହରେ ଲାଗିଥିବା ଅଠା ଛଡ଼େଇ ଥିଲେ । ଏହାପରେ ସାପକୁ ସୁରକ୍ଷିତ ଅବସ୍ଥାରେ ଏକ ଜଙ୍ଗଲରେ ଛଡା ଯାଇଥିଲା ।
