ସୌରଭ ଗାଙ୍ଗୁଲିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ।
ଗୁରୁବାର ଦୁର୍ଗାପୁର ଏକ୍ସପ୍ରେସୱେରେ ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌରଭ ଗାଙ୍ଗୁଲି ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ବର୍ଧବାନ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।ତେବେ ଗାଙ୍ଗୁଲିଙ୍କୁ କୌଣସି ପ୍ରକାରର କ୍ଷତି ହୋଇନାହିଁ । ଦୁର୍ଗାପୁର ଏକ୍ସପ୍ରେସୱେ’ର ଦନ୍ତନପୁର ନିକଟରେ ହଠାତ ଏକ ଟ୍ରକ ତାଙ୍କ ଗାଡ଼ି ଆଗକୁ ଚାଲିଆସିଥିଲା । ଗାଙ୍ଗୁଲିଙ୍କ ଗାଡ଼ିର ଡ୍ରାଇଭର ବ୍ରେକ୍ ମାରିବାରୁ ପଛରେ ଥିବା କାର୍ ପରସ୍ପରକୁ ଧକ୍କା ଦେଇଥିଲା । ଯେଉଁଥିରେ ଗାଙ୍ଗୁଲିଙ୍କ କାର୍ ମଧ୍ୟ ଧକ୍କା ହୋଇଥିଲା ।
ଗାଙ୍ଗୁଲି କିମ୍ବା ତାଙ୍କ ସହିତ ଯାଉଥିବା କାହାରିକୁ କୌଣସି କ୍ଷତି ହୋଇନାହିଁ । କିନ୍ତୁ ସାମାନ୍ୟ ଦୁର୍ଘଟଣା ପାଇଁ ତାଙ୍କୁ କିଛି ସମୟ ରହିବାକୁ ପଡ଼ିଥିଲା । ଏହାପରେ ବର୍ଦ୍ଧମାନ ବିଶ୍ବବିଦ୍ୟାଳୟର କାର୍ୟ୍ୟକ୍ରମରେ ଯୋଗଦେବାକୁ ଚାଲିଯାଇଥିଲେ । ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)ର ପୂର୍ବତନ ସଭାପତି। ତାଙ୍କୁ ଭାରତୀୟ କ୍ରିକେଟର ସବୁଠାରୁ ଆକ୍ରମଣାତ୍ମକ ଏବଂ ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ।
