ମହାନଦୀର ଗଭୀର ଜଳରେ ସ୍କୁବା ଡାଇଭିଂ କଲେ କ୍ରୀଡ଼ା ମନ୍ତ୍ରୀ
ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ କ୍ରୀଡା ମନ୍ତ୍ରୀ । ପ୍ରାୟ ୨୦ ଫୁଟ୍ ଗଭୀର ପାଣିରେ ବୁଡି ଚେସ୍ ଖେଳିଛନ୍ତି । ପାଣି ଭିତରେ ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା ଚେସ୍ ଖେଳ । ତେବେ ନଦୀରେ ସ୍କୁବା ଡାଇଭିଂ ନେଇ ସୂର୍ଯ୍ୟବଂଶୀ ଆଗ୍ରହ ପ୍ରକାଶ କରିବାରୁ ସ୍କୁବା ଡାଇଭିଂ ପ୍ରଶିକ୍ଷକ ସବୀର ବକ୍ସ ଏଥିରେ ତାଙ୍କୁ ସହାୟତା କରିଥିଲେ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସ୍ପେଶାଲ ଡାଇଭିଂ ସୁଟ୍ ପିନ୍ଧି ସାଥିରେ ଅକ୍ସିଜେନ୍ ସିଲିଣ୍ଡର ଓ ମାସ୍କ ନେଇ ନଦୀର ଗଭୀର ଜଳକୁ ଓହ୍ଲାଇଥିଲେ । ନଦୀରେ ସ୍କୁବା ଡାଇଭିଂର ଅନୁଭବ ନେବା ସହ ଜଳ ଭିତରେ ସ୍ବତନ୍ତ୍ର ଚେସ୍ ବୋର୍ଡରେ ଚେସ୍ ଗୋଟି ଚାଳନା କରିଥିଲେ ସୂର୍ଯ୍ୟବଂଶୀ ସୁରଜ । ପ୍ରାୟ ୩୫ ମିନିଟ୍ରେ ଦୁଇ ରାଉଣ୍ଡ ଚେସ୍ ଖେଳି ବାଜିମାତ୍ କରିଥିଲେ ସୂରଜ ସୂର୍ଯ୍ୟବଂଶୀ । ମହାନଦୀରେ ସ୍କୁବା ଡାଇଭର ସବୀର ବକ୍ସଙ୍କ ନେତୃତ୍ଵରେ ଦୁଃସାହସିକ ଜଳକ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏଥିରେ ଯୋଗ ଦେଇଥିଲେ କ୍ରୀଡ଼ା ମନ୍ତ୍ରୀ । ରାଜ୍ୟର ୨୯ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଉଥିବା ବେଳେ ସେଠାରେ ପହଞ୍ଚି ପ୍ରତିଯୋଗୀଙ୍କୁ କ୍ରୀଡ଼ାମନ୍ତ୍ରୀ ଉତ୍ସାହିତ କରିଥିଲେ ।
