ଶ୍ରୀ ମନ୍ଦିରରେ ଲକ୍ଷ୍ମୀ ନୃସିଂହ ବେଶ ।।


ଶ୍ରୀଜୀଉଙ୍କର ଆଜି କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଶ୍ରୀମନ୍ଦିରରେ ପବିତ୍ର ଲକ୍ଷ୍ମୀ ନୃସିଂହ ବେଶ ଅନୁଷ୍ଠିତ ହେଉଛି। ଅବକାଶ ନୀତି ପରେ ଏହି ବୈକୁଣ୍ଠ ବେଶ ଅନୁଷ୍ଠିତ ହୁଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ ଠାକୁର ଶ୍ରୀଶ୍ରୀ ବଳଭଦ୍ରଙ୍କ ଶ୍ରୀମସ୍ତକର ଶିଖର ଭାଗରେ ଜରି,ବେତ ଓ କନାର ଡାଳି ଚୁଳ ସଂଲଗ୍ନ ହୋଇ ତନ୍ମଧ୍ୟରେ ସୁବର୍ଣ୍ଣ କିଆ ଖୋସା ହୋଇଥାଏ। ଶ୍ରୀଜୀଉଙ୍କର ଶ୍ରୀଭୁଜ ଓ ଶ୍ରୀପୟର ଲାଗିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହସ୍ତରେ ଆୟୁଧ ଶଙ୍ଖ ଓ ଚକ୍ର ଶୋଭା ପାଉଥିବା ବେଳେ ବଡ଼ ଠାକୁର ଶ୍ରୀଶ୍ରୀ ବଳଭଦ୍ରଙ୍କ ହସ୍ତରେ ହଳ ଓ ମୂଷଳ ଶୋଭା ପାଇଥାଏ। ଦେବୀ ସୁଭଦ୍ରାଙ୍କ ଶିରରେ ସୁବର୍ଣ୍ଣ କୀରିଟ ଶୋଭା ପାଇଥାଏ। ଆଜି ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥିରେ ଶ୍ରୀଜୀଉମାନଙ୍କର ଏହି ଦୁର୍ଲ୍ଲଭ ଡାଳିକିଆ ବେଶ ଦର୍ଶନ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। ଜଗନ୍ନାଥ ହିଁ ନୃସିଂହ, ନୃସିଂହ ହିଁ ଜଗନ୍ନାଥ। ଶ୍ରୀଜଗନ୍ନାଥଙ୍କ ବହୁ ଅବତାର ମଧ୍ୟରେ ନୃସିଂହ ରୂପରେ ତାଙ୍କର ଆରାଧନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଶ୍ରୀନୃସିଂହ ହେଉଛନ୍ତି ଶ୍ରୀକ୍ଷେତ୍ରର ପ୍ରଥମ ଉପାସ୍ୟ ଦେବ। ନୃସିଂହ ମନ୍ତ୍ର ପ୍ରଥମ, ପ୍ରଧାନ ଓ ଶ୍ରେଷ୍ଠ ମନ୍ତ୍ର। ଶ୍ରୀଜୀଉ ମାନଙ୍କର ଜନ୍ମବେଦୀ ହେଉଛି ନୃସିଂହ କ୍ଷେତ୍ର।

ଭଗବାନ ନୃସିଂହ ଏଠାରେ କ୍ଷେତ୍ରପାଳ। ଗୁଣ୍ଡିଚା ମନ୍ଦିର ଉତ୍ତର ପୂର୍ବ ବେଢ଼ା ସଂଲଗ୍ନ ମନ୍ଦିରରେ ପ୍ରତିଷ୍ଠିତ ନୃସିଂହ ହିଁ ଆଦି ନୃସିଂହ। ନୃସିଂହ ହିଁ ଜଗନ୍ନାଥ ଉପାସନାର ମୂଳ ସ୍ଵରୁପ।
ଶ୍ରୀନୃସିଂହ ଥିଲେ ମାଳବ ଦେଶର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଗୃହ ଦେବତା। କିମ୍ବଦନ୍ତୀ ପୁରୁଷ ଇନ୍ଦ୍ରଦ୍ୟୁମ୍ନ ଶ୍ରୀନୃସିଂହ ଙ୍କୁ ପୁରୀ ଆଣି ଜ୍ଯୈଷ୍ଠ ଶୁକ୍ଳ ସ୍ଵାତୀ ନକ୍ଷତ୍ରଯୁକ୍ତ ପୂଣ୍ଯ ଦ୍ଵାଦଶୀ ତିଥିରେ ଦେବର୍ଷି ନାରଦଙ୍କ ଦ୍ଵାରା ସ୍ଥାପିତ କରିଥିଲେ। ନୀଳମାଧବ ମୂର୍ତ୍ତି ତାଙ୍କ ପୀଠ ସ୍ଥଳରୁ ଅନ୍ତର୍ଦ୍ଧାନ ହେଲା ପରେ ତାଙ୍କୁ ପାଇବା ପାଇଁ ଶ୍ରୀନୃସିଂହ ଙ୍କ କୃପାରୁ ସହସ୍ର ଅଶ୍ଵମେଧ ଯଜ୍ଞ କରି ଦାରୁବ୍ରହ୍ମ ଙ୍କର ଦର୍ଶନ ପାଇଥିଲେ। ଶ୍ରୀଜଗନ୍ନାଥଙ୍କ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ, ଶ୍ରୀନୃସିଂହ ଙ୍କ ମାହାତ୍ମ୍ୟର ପ୍ରମାଣ। ପ୍ରଭୁ ଜଗନ୍ନାଥଙ୍କ ସେନାପଟା ବାହୁଟି ଲଗାଇବା ସମୟରେ ସେ ନରସିଂହ ଅବତାର ଧାରଣ କରନ୍ତି। ମୁକ୍ତିମଣ୍ଡପ ସମୀପରେ ଥିବା ନୃସିଂହ ମନ୍ଦିରରେ ଶ୍ରୀଜୀଉ ମାନେ ସ୍ଥାପିତ ହୋଇଥିଲେ।ସେ ହେଉଛନ୍ତି ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ପ୍ରଥମ ମୂର୍ତ୍ତି।
ଯେ ଅଟଇ ଜଗନ୍ନାଥ ସେ ନୃସିଂହ ଅଟେ
ଜଗନ୍ନାଥ ହୃଦୁ ଜନ୍ମ ନୃସିଂହ ପ୍ରକଟେ।
ଜଗନ୍ନାଥ ଦାସଙ୍କ ଭାଗବତରେ
ନମଇ ନୃସିଂହ ଚରଣ
ଅନାଦି ପରମ କାରଣ।
ଶ୍ରୀଜଗନ୍ନାଥ ମହାପ୍ରଭୁ ଏକାଧାରରେ ଲକ୍ଷ୍ମୀ ନାରାୟଣ, ରାଧା ଦାମୋଦର ଓ ଲକ୍ଷ୍ମୀ ନୃସିଂହ। ଆଜି ପବିତ୍ର ତିଥିରେ ତାଙ୍କ ଦର୍ଶନ ଅର୍ଥାତ୍ ଏହି ବେଶରେ ରତ୍ନସିଂହାସନ ଉପରେ ସୁବର୍ଣ୍ଣ ଖଚିତ କିଆରେ ମହାପ୍ରଭୁଙ୍କ ସୁସଜ୍ଜିତ ରୂପ ଦର୍ଶନ ଅତ୍ୟନ୍ତ ସୌଭାଗ୍ୟର କଥା।
ଆଲେଖ୍ୟ::ବାବାଜୀ ଚରଣ ଦାସ,
ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯।