ଶ୍ରୀରାମ ଚରିତ ମାନସ ପାଠ ବିଷୟରେ କିଛି ଆବଶ୍ୟକ ଶିକ୍ଷା


ସୃଷ୍ଟିକର୍ତ୍ତା ଶ୍ରୀଗଣେଶ, ସୃଷ୍ଟିକାରିଣୀ ମା ସରସ୍ଵତୀ, ଭଗବାନ ଭବାନୀଶଙ୍କର,କବୀଶ୍ଵର ଶ୍ରୀବାଲ୍ମିକୀ,କପୀଶ୍ଵର ଶ୍ରୀହନୁମାନ ଙ୍କୁ ଶ୍ରୀରାମଚରିତମାନସ ର ସ୍ରଷ୍ଟା ଶ୍ରୀମଦ୍ ଗୋସ୍ୱାମୀ ତୁଳସୀ ଦାସ ସର୍ବପ୍ରଥମେ ବନ୍ଦନା କରିଛନ୍ତି। ରଘୁନାଥ ଙ୍କ ପ୍ରତି ଭକ୍ତି ହେଉଛି ବର୍ଷା ଋତୁ।ସନ୍ଥ ଶ୍ରୀମଦ୍ ଗୋସ୍ୱାମୀ ତୁଳସୀ ଦାସଙ୍କ ରଚନାରେ ଉତ୍ତମ ସେବକମାନେ ହେଉଛନ୍ତି ଧାନଫସଲ ଓ ରାମ ନାମର ଅକ୍ଷର ଦୁଇଟି ହେଉଛି ଶ୍ରାବଣ ଓ ଭାଦ୍ରବ ମାସ। ଭଗବାନ ଶିବ ଙ୍କ ନିକଟରେ ନତମସ୍ତକ ହୋଇ ଶ୍ରୀହରିଙ୍କ ଚରଣରେ ଶିର ଲଗାଇ ସମ୍ବତ୍ ୧୬୩୧ରେ ଶ୍ରୀମଦ୍ ଗୋସ୍ୱାମୀ ତୁଳସୀ ଦାସ ରାମଚରିତମାନସ ଲେଖା ଆରମ୍ଭ କରିଥିଲେ।

ଚୈତ୍ର ମାସ ଶୁକ୍ଳ ନବମୀ ତିଥି ମଙ୍ଗଳବାର ଶ୍ରୀରାମଙ୍କ ଜନ୍ମ ମହୋତ୍ସବ ଦିନ ଅଯୋଧ୍ୟାରେ ଏହା ପ୍ରକାଶିତ ହୋଇଥିଲା।ସନ୍ଥ ଶ୍ରୀମଦ୍ ଗୋସ୍ୱାମୀ ତୁଳସୀ ଦାସ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଶ୍ରୀରାମଙ୍କ ଜନ୍ମ ମହୋତ୍ସବ।ସକଳ ତୀର୍ଥ ସେଦିନ ଅଯୋଧ୍ୟା ଆସନ୍ତି। ସେଦିନ ଅସୁର,ନାଗ, ପକ୍ଷୀ, ମନୁଷ୍ୟ, ମୁନି ଓ ଦେବଗଣ ସମସ୍ତେ ଅଯୋଧ୍ୟାକୁ ଆସି ରଘୁନାଥ ଙ୍କର ଗୁଣ କୀର୍ତ୍ତନ କରିଥାନ୍ତି।ସଜ୍ଜନମାନେ ବହୁସଂଖ୍ୟାରେ ଆସି ପବିତ୍ର ସରଜୂ ନଦୀ ଜଳରେ ସ୍ନାନ କରି ସୁନ୍ଦର ଶ୍ଯାମ ଶରୀର ଭଗବାନ ରାମଙ୍କ ନାମ ଜପ କରନ୍ତି।ବେଦ ପୁରାଣ ବର୍ଣ୍ଣନା ଅନୁସାରେ ସରଜୂଙ୍କ ଦର୍ଶନ, ସ୍ପର୍ଶ, ସ୍ନାନ ଓ ଜଳପାନ ସକଳ ପାପ ହରଣ କରେ।

ମୁନିଜନଙ୍କର ଅତ୍ୟନ୍ତ ପ୍ରିୟ ସୁନ୍ଦର ଓ ପବିତ୍ର ରାମଚରିତ ମାନସ କୁ ଭଗବାନ ଶ୍ରୀମହେଶ ରଚନା କରି ନିଜ ମନ ମଧ୍ୟରେ ରଖିଥିଲେ।ସୁଅବସର ପାଇ ସେ ପାର୍ବତୀ ଙ୍କୁ ଶୁଣାଇଥିଲେ।ସନ୍ଥ ଶ୍ରୀମଦ୍ ଗୋସ୍ୱାମୀ ତୁଳସୀ ଦାସଙ୍କ ଭାଷାରେ ଭୁଶୁଣ୍ଡି -ଗରୁଡ, ଶିବ- ପାର୍ବତୀ,ଯାଜ୍ଞବଳକ୍ଯ-ଭରଦ୍ଵାଜ ଓ ତୁଳସୀଦାସ-ସନ୍ଥ ସମ୍ବାଦ ହେଉଛି ପବିତ୍ର ମାନସ ସରୋବରର ଚାରୋଟି ସୁନ୍ଦର ଘାଟ।ସାତକାଣ୍ଡ ହେଉଛି ମାନସ ସରୋବରର ସାତୋଟି ସୁନ୍ଦର ପାହାଚ।ରଘୁପତିଙ୍କର ନିର୍ଗୁଣ ଓ ନିର୍ବାଧ ମହିମା ବର୍ଣ୍ଣନା ହେଉଛି ସୁନ୍ଦର ଜଳରାଶିର ଅଗାଧ ଗଭୀରତା।
ବାବାଜୀ ଚରଣ ଦାସ, ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର।।