ସୂର୍ଯ୍ୟ ଉପାସନା ଓ ବିରଞ୍ଚିନାରାୟଣ ପୂଜା ।।

ପଞ୍ଚଦେବଙ୍କ ମଧ୍ୟରେ ଶ୍ରୀ ଗଣେଶଙ୍କ ପରେ ସୂର୍ଯ୍ୟଦେବ। ପ୍ରତ୍ୟହ ସକାଳୁ ସ୍ନାନ ସାରି ଆଦିତ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଜଳ ସମର୍ପଣ କରିବା ବିଧି କେଉଁ କାଳରୁ ପ୍ରଚଳିତ। ହିନ୍ଦୁ ପରମ୍ପରାରେ ବିରଞ୍ଚିନାରାୟଣ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଙ୍କ ସମନ୍ୱିତ ରୂପ। ସେ ଉଦୟରେ ବ୍ରହ୍ମା, ମଧ୍ୟାହ୍ନରେ ମହେଶ୍ୱର ଓ ଅସ୍ତ କାଳରେ ବିଷ୍ଣୁ ରୂପେ ପୂଜା ପାଉଛନ୍ତି। ତେଣୁ ଗାୟତ୍ରୀ ଯଥାକ୍ରମେ ବ୍ରହ୍ମାଣୀ, ଭବାନୀ ଓ ସରସ୍ଵତୀ ଭାବେ ବର୍ଣ୍ଣିତ।ଶ୍ରୀମଦ୍ଭାଗବତର ଏକାଦଶ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ରେ ଚବିଶ ଗୁରୁ ପ୍ରସଙ୍ଗରେ ଦିବାକର ଙ୍କ ନାମ ଗୁରୁ ଭାବରେ ଉଲ୍ଲେଖ ରହିଛି। ସୂର୍ଯ୍ୟଦେବ ଋଷି କାଶ୍ୟପ ଙ୍କ ପୁତ୍ର ଓ ଅଦିତି ଙ୍କ ଗର୍ଭସମ୍ଭୁତ। ବିଶ୍ଵକର୍ମାଙ୍କ କନ୍ୟା ସଂଜ୍ଞା ସୂର୍ଯ୍ୟ ଙ୍କ ପତ୍ନୀ। ସୂର୍ଯ୍ୟ ଙ୍କର ପୁତ୍ର ସନ୍ତାନ ମନୁ,ଯମ ଓ ପୁତ୍ରୀ ଯମୁନା। ସୂର୍ଯ୍ୟ ଙ୍କର ପତ୍ନୀ ଛାୟା ହେଉଛନ୍ତି ଗ୍ରହରାଜ ଶନିଶ୍ଚର ଓ ତପତି ଙ୍କର ମାତା। ପକ୍ଷୀରାଜ ଗରୁଡ଼ ଙ୍କ ଭାଇ ଅରୁଣ, ସୂର୍ଯ୍ୟ ଙ୍କର ସାରଥି ଅଟନ୍ତି। ଶାମ୍ବ ଦଶମୀ ତିଥିରେ ଓଡ଼ିଶାର ପୁରପଲ୍ଲୀରେ ସୂର୍ଯ୍ୟ ନାରାୟଣ ଙ୍କ‌ ପୂଜା ହୁଏ। ବ୍ରାହ୍ମଣ ମାନେ ସନ୍ଧ୍ୟା କରିବା ସମୟରେ ସୂର୍ଯ୍ୟ ମଣ୍ଡଳ ମଧ୍ୟବର୍ତ୍ତୀ ସରସିଜାସନ ସନ୍ନିବିଷ୍ଟ ନାରାୟଣ ଙ୍କୁ ଧ୍ୟାନ କରନ୍ତି। ସେହିପରି ଗାୟତ୍ରୀ, ସାବିତ୍ରୀ ଓ ସରସ୍ବତୀ ମଧ୍ୟ ସୂର୍ଯ୍ୟ ମଣ୍ଡଳ ମଧ୍ୟସ୍ଥ। ସୂର୍ଯ୍ୟ ଙ୍କର ବାରମାସ ରେ ଭିନ୍ନ ଭିନ୍ନ ରୂପ ଯଥା ମାର୍ଗଶିର ମାସରେ ମିତ୍ର, ପୁଷରେ ବିଷ୍ଣୁ ସନାତନ,ମାଘରେ ଅରୁଣ,ଫାଲ୍ଗୁନରେ ସୂର୍ଯ୍ୟ, ଚୈତ୍ର ରେ ବେଦାଙ୍ଗ, ବୈଶାଖ ରେ ଭାନୁ, ଜ୍ୟେଷ୍ଠରେ ଇନ୍ଦ୍ର,ଆଶାଢରେ‌ ରବି, ଶ୍ରାବଣ ରେ ଗଉସ୍ତି, ଭାଦ୍ରବ ରେ ଯମ, ଆଶ୍ଵିନ ରେ ସ୍ବର୍ଣ୍ଣରେତା, କାର୍ତ୍ତିକ ମାସରେ ଦିବାକର ‌ଓ ଅଧିମାସ ରେ ପୁରୁଷ- ଆଦିତ୍ୟ‌ହୃଦୟ ରୂପେ ପୂଜା ପାଆନ୍ତି।

ଶ୍ରୀ ଜଗନ୍ନାଥ ମନ୍ଦିର ବେଢ଼ାରେ ମୁକ୍ତିମଣ୍ଡପ ନିକଟରେ ଏକ କ୍ଷୁଦ୍ର ମନ୍ଦିରରେ ପ୍ରତି ସକାଳ ରେ ସୂର୍ଯ୍ୟ ନାରାୟଣ ଙ୍କ‌ ପୂଜାର୍ଚ୍ଚନା ହୁଏ।ବିଶ୍ବ ଐତିହ୍ୟ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ସହିତ ବିରଞ୍ଚିନାରାୟଣ ମନ୍ଦିର, ପାଳିଆ ସମ୍ପର୍କରେ ଆଲୋଚନା କରିବା ଏହି ପ୍ରବନ୍ଧ ର ମୂଖ୍ୟ ଉଦ୍ଦେଶ୍ୟ। ଉଭୟ ମନ୍ଦିର ର ନିର୍ମାଣ ଶୈଳୀ କଳିଙ୍ଗ ମନ୍ଦିର ନିର୍ମାଣ ଶୈଳୀ ଭିତ୍ତିକ। ଉଭୟ ମନ୍ଦିର ତ୍ରୟୋଦଶ ଶତାବ୍ଦୀର ବୋଲି ଅନେକ ଐତିହାସିକଙ୍କ ମତ। କୋଣାର୍କ ମନ୍ଦିର ର ଅବସ୍ଥିତି ଥିଲା ପ୍ରାଚୀ ନଦୀ ଓ ବଙ୍ଗୋପସାଗର ର ସଙ୍ଗମ ସ୍ଥଳରେ।

ସେତେବେଳେ ଏହା ଏକ ପୋତାଶ୍ରୟୀ ବନ୍ଦର ଥିଲା ଏହାର ନାମ ଥିଲା କୋଣଗର। କୋଣାର୍କ ଶଦ୍ଦ କୋଣ ଓ ଅର୍କର ସଂଯୋଗ ରୁ ତିଆରି । ଲାଙ୍ଗୁଳା ନରସିଂହ ଦେବ ଙ୍କ ଦ୍ଵାରା ସୂର୍ଯ୍ୟ ନାରାୟଣ ଙ୍କ‌ ମନ୍ଦିର କୋଣାର୍କ ର ମୈତ୍ରେୟ ବନରେ ନିର୍ମିତ ହୋଇଥିଲା ।ଏହିଠାରେ ଶାମ୍ବ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ।ପାଶ୍ଚାତ୍ୟ ଦେଶର ନାବିକ ମାନେ ଏହାକୁ କୃଷ୍ଣ ପାଗୋଡା ନାମକରଣ କରିଥିଲେ।
ଏହି ମନ୍ଦିର ସୂର୍ଯ୍ୟଙ୍କ ରଥ ସଦୃଶ। କଥିତ ଅଛି, ପାଳିଆ ର ବିରଞ୍ଚିନାରାୟଣ ମନ୍ଦିର ର ପୂର୍ବ ଦିଗକୁ ସମୁଦ୍ର ଥିଲା ଏବଂ ପାଳିଆ ଏକ ପ୍ରାଚୀନ ବନ୍ଦର ଥିଲା। ବର୍ତ୍ତମାନ ସମୂଦ୍ର ,ମନ୍ଦିର ଠାରୁ ବହୁତ ଦୂରକୁ ଘୁଞ୍ଚି ଯାଇଛି। ଏଠାରେ ବସବାସ କରୁଥିବା କିଛି ଅଧିବାସୀ ସମୁଦ୍ର ରେ ଯାତ୍ରା କରୁଥିବା ପୋତ ପାଇଁ ପାଲ ବୁଣିବା ଓ ସିଲାଇ କାର୍ଯ୍ୟ କରୁଥିଲେ।ପାଲବନ୍ଧା ରୁ ଗ୍ରାମ ର ନାମ ପାଳିଆବିନ୍ଧା ହୋଇଛି ବୋଲି କେତେକ ଙ୍କ ମତ। କୋଣାର୍କ ମନ୍ଦିର ସାତଟି ଚପଳ ଚଞ୍ଚଳ ଅଶ୍ଵଙ୍କ ଦ୍ବାରା ଟଣା ଯାଉଥିବା ଏକ ବିଶାଳ ରଥାକୃତି। ଏହି ମନ୍ଦିର ର ମୂଳରେ ସୂକ୍ଷ୍ମ କାରୁକଳାରେ ଅତି ସୁସଜ୍ଜିତ ୧୨ଟି ଚକ ରହିଛି। ଏହି ଚକମାନଙ୍କର ଅର ସୂର୍ଯ୍ୟ ଘଡିର କାମ କରିଥାଏ। ଏହା ସପ୍ତାହ ର ସାତ ଦିନ, ବର୍ଷର ୧୨ ମାସ ଓ ଦିନ ଆଠ ଘଡିର ସୂଚନା ଦିଏ। ହିନ୍ଦୁ ଧର୍ମ ଶାସ୍ତ୍ରମତେ ସାରଥୀ ଅରୁଣ ଙ୍କ ସହ ସୂର୍ଯ୍ୟଦେବ ପୂର୍ବଦିଗରୁ ଯାତ୍ରା ଆରମ୍ଭ କରି ପଶ୍ଚିମରେ ଅସ୍ତମିତ ହୁଅନ୍ତି। ପାଳିଆ ରେ ବିରଞ୍ଚିନାରାୟଣ ଙ୍କର ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଉଛନ୍ତି। ଏହି ମୂର୍ତ୍ତି, ସାତଟି ଅଶ୍ଵରେ ଯୋଖାଯାଇଥିବା ରଥ ଉପରେ ଶୋଭାପାଉଛନ୍ତି। ଏହି ମୂର୍ତ୍ତି ର ହସ୍ତଦ୍ଵୟରେ ପଦ୍ମ ଫୁଲ ଶୋଭା ପାଉଛି।ଏହାର ଚାରି ପାର୍ଶ୍ବରେ ବିଭିନ୍ନ ପ୍ରକାରର ମୂର୍ତ୍ତି ଖୋଦିତ, ଯାହାକି କୋଣାର୍କ ର ସୂର୍ଯ୍ୟ ମନ୍ଦିର ପରି ହୋଇଛି। ଏହି ନିର୍ମାଣ ଶୈଳୀ ରେ ଜଗମୋହନ ଓ ନାଟମନ୍ଦିର , ମନ୍ଦିର ସାମ୍ନାରେ ରହିବା ଉଭୟ ମନ୍ଦିର ର ସାମଞ୍ଜସ୍ୟ। ଉଭୟ ନାଟ ମନ୍ଦିର ରେ କଳାକାର ମାନେ ଦେବତାଙ୍କ ଉଦ୍ଦେଶ୍ୟରେ ନୃତ୍ୟ ଗୀତ ପରିବେଷଣ କରିଥାନ୍ତି। ଐତିହାସିକ ମାନଙ୍କ ମତରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଗୁଜରାଟର ମୋଧେରା ସୂର୍ଯ୍ୟ ମନ୍ଦିର ଭାରତ ର ଶ୍ରେଷ୍ଠ ସୂର୍ଯ୍ୟ ମନ୍ଦିର।
କେତେକ ଐତିହାସିକ ଙ୍କ ମତରେ ରାଜସ୍ଥାନର ପୁଷ୍କର ଓ ଓଡ଼ିଶା ର ଭଦ୍ରକ ଜିଲ୍ଲାର ପାଳିଆ ଠାରେ ଭାରତର ଦୁଇଟି ବ୍ରହ୍ମା ମନ୍ଦିର ଅବସ୍ଥିତ। କେତେକ ଐତିହାସିକ କୋଣାର୍କ ମନ୍ଦିର ର ନିର୍ମାଣ ସମୟ ଖ୍ରୀଷ୍ଟାବ୍ଦ ୧୨୪୧,୧୨୩୬ରୁ୧୨୮୧ ମଧ୍ୟରେ ନିର୍ଦ୍ଧାରଣ କରୁଥିବାବେଳେ ଆଉ କେତେକ ଏହା ନବମ ଶତାବ୍ଦୀର ବୋଲି ମତ ଦିଅନ୍ତି। ଠିକ୍ ସେହିପରି କେତେକ ଐତିହାସିକ ତିହିଡି ବ୍ଲକର ପାଳିଆବିନ୍ଧା ଗ୍ରାମ ପଞ୍ଚାୟତସ୍ଥ ପାଳିଆ ର ବିରଞ୍ଚିନାରାୟଣ ମନ୍ଦିରର ନିର୍ମାଣ ତ୍ରୟୋଦଶ ଶତାବ୍ଦୀର ବୋଲି ମତ ଦେଉଥିବାବେଳେ ଡ଼ଃ ହରେକୃଷ୍ଣ ମହତାବଙ୍କ ମତରେ ପାଳିଆ ର ବିରଞ୍ଚିନାରାୟଣ ମନ୍ଦିର ନିର୍ମାଣ ୭୩୭ ରୁ ୯୪୦ ଖ୍ରୀଷ୍ଟାବ୍ଦ ମଧ୍ୟରେ। ମକର ମେଳା ଓ ଗୁଣ୍ଡୁଣୀ ମେଳା ଦିନ ଭକ୍ତମାନେ ଫୁଲ ଛଉ ଓ କୁଷ୍ଠ ରୋଗର ନିବାରଣ ପାଇଁ ଫୁଲ ଛତା ଓ ଫୁଲ ବିଞ୍ଚଣା ବିରଞ୍ଚିନାରାୟଣ ଙ୍କ ଉପରେ ଚଢାନ୍ତି।ମାଘ ଷଷ୍ଠୀ ଦିନ ବିରଞ୍ଚିନାରାୟଣ ଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହୁଏ। ମନ୍ଦିର ନିକଟରେ ଏକ ଗୁଣ୍ଡିଚା ମଣ୍ଡପ ରହିଛି। ପୂର୍ବରୁ ଗୁଣ୍ଡୁଣୀମେଳା ଦିନ ଏଠାରେ ରଥଯାତ୍ରା ହେଉଥିଲା। ଏବେ ସେସବୁ ପରମ୍ପରା ଲୁପ୍ତ।ଗୁଣ୍ଡୁଣୀ ରଥ ୧୬ ଚକ ବିଶିଷ୍ଟ ଓ ଏହାକୁ ୭ଟି ଅଶ୍ଵ ଗୁଣ୍ଡିଚା ମଣ୍ଡପ ଯାଏ ଟାଣୁଥିଲେ।
ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ମେଳା ଓ ରଥଯାତ୍ରା ଅନୁଷ୍ଠିତ ହୁଏ।
ବୌଦ୍ଧ ସାହିତ୍ୟ, ନାଥ ସାହିତ୍ୟ ,ସାରଳା ସାହିତ୍ୟ ,ପଞ୍ଚ ସଖା ସାହିତ୍ୟ, ମାଦଳା ପାଞ୍ଜି, ନୃସିଂହ ‌ପୁରାଣ, ବିଷ୍ଣୁ କେଶରୀ ମାହାତ୍ମ , ବୈଦେହୀଶ ବିଳାସ,ବିଦଗ୍ଧ ଚିନ୍ତାମଣି, ଭାଗବତ,ରାମାୟଣ,ମହାଭାରତ, ମତ୍ସ୍ୟ ପୁରାଣ,ଅଗ୍ନି ପୁରାଣ , ନୀଳାଦ୍ରି ମହୋଦୟ,ଶାମ୍ବ ପୁରାଣ ଆଦିରେ ସୂର୍ଯ୍ୟଙ୍କ ବର୍ଣ୍ଣନା ସହ ସୂର୍ଯ୍ୟ ଉପାସନା ବର୍ଣ୍ଣିତ ।


ପଶ୍ଚିମବଙ୍ଗରେ ସୂର୍ଯ୍ୟ ଗଙ୍ଗାଦିତ୍ୟ, ମୁର୍ଶିଦାବାଦ ରେ କୁଶାଦିତ୍ୟ ଓ କୋଣାର୍କ ରେ ମିତ୍ରାଦିତ୍ୟ ନାମରେ ପରିଚିତ। କୋଣାର୍କ ମନ୍ଦିର ମୁଖଶାଳା ରେ ଏକ ବିଶାଳ ଶିଳାଖଣ୍ଡରେ ନିର୍ମିତ ଏକ ନବଗ୍ରହ ମୂର୍ତ୍ତି ରହିଥିଲା। ଖୋର୍ଦ୍ଧା ର ତତ୍କାଳୀନ ରାଜା ଏହାକୁ ଜଗନ୍ନାଥ ମନ୍ଦିର ରେ ଖଞ୍ଜି ଥିଲେ।୧୭୭୯ ରେ ଜଣେ ମରାଠା ସାଧୁ ଏଠାକାର ଅରୁଣ ଖମ୍ବ କୁ ନେଇ ପୁରୀ ଜଗନ୍ନାଥ ମନ୍ଦିର ସିଂହଦ୍ବାର ସମ୍ମୁଖରେ ସ୍ଥାପନା କରାଇଥିଲେ। କୋଣାର୍କ ମନ୍ଦିରର କଳାନୈପୁଣ୍ୟକୁ ଦେଖି ଅନେକ କବି ଏହାର ପ୍ରଶଂସା କରି ସାହିତ୍ୟ ରେ ସ୍ଥାନିତ କରି ଛନ୍ତି।।ବିଶ୍ଵକବି ରବିନ୍ଦ୍ରନାଥ ଠାକୁରଙ୍କ ଭାଷାରେ-Here the language of the stone surpasses the language of man.
ଆଲେଖ୍ୟ::
ବାବାଜୀ ଚରଣ ଦାସ ,
ଅବସରପ୍ରାପ୍ତ ସ୍ଵତନ୍ତ୍ର ଶାସନ ସଚିବ ।।