ଆଉ ନାହାଁନ୍ତି ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ ଜାକିର ହୁସେନ

ନିଜ ତବଲାର ଧ୍ୱନୀରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିବା ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ ଘଟିଛି। କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଉସ୍ତାଦ ଜାକିର ହୁସେନ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ତାଙ୍କୁ ବିବେଚନା କରାଯାଏ ।ନିଜର ଅସାଧାରଣ ପ୍ରତିଭା ପାଇଁ ସେ ଗତ କିଛି ବର୍ଷ ମଧ୍ୟରେ ଅନେକ ପୁରସ୍କାର ପାଇଛନ୍ତି ।

ତାଙ୍କୁ ଭାରତ ସରକାର ୧୯୮୮ ରେ ପଦ୍ମଶ୍ରୀ, ୨୦୦୨ ରେ ପଦ୍ମଭୂଷଣ ଏବଂ ୨୦୧୩ ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ୧୯୯୯ ମସିହାରେ ତାଙ୍କୁ ଆମେରିକାର ନ୍ୟାସନାଲ ଆଣ୍ଡୋମେଣ୍ଟ ଫର ଦି ଆର୍ଟସ ପକ୍ଷରୁ ନ୍ୟାସନାଲ ହେରିଟେଜ୍ ଫେଲୋସିପ୍ ପ୍ରଦାନ କରାଯାଇଥିଲା ।‘ଗ୍ଲୋବାଲ ଡ୍ରମ ପ୍ରୋଜେକ୍ଟ’ ପାଇଁ ୨୦୦୯ରେ ଜାକିର ହୁସେନଙ୍କୁ ୫୧ ତମ ଗ୍ରାମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଉସ୍ତାଦ ଜାକିର ହୁସେନ ତାଙ୍କ କ୍ୟାରିୟରରେ ୭ ଥର ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ, ଏଥିରୁ ତାଙ୍କୁ ଚାରିଥର ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

You might also like