ଓଡିଶାର ଶିଳ୍ପ, ଅର୍ଥନୈତିକ ପ୍ରଗତି, ସମାଜସେବା କ୍ଷେତ୍ରରେ ରତନ ଟାଟାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା

ଓଡ଼ିଶା ଓ ରତନ ଟାଟାଙ୍କ ମଧ୍ୟରେ ସମ୍ପର୍କ ଥିଲା ଅତି ନିବିଡ଼ । ଓଡିଶାର ଶିଳ୍ପ, ଅର୍ଥନୈତିକ ପ୍ରଗତି, ସମାଜସେବା କ୍ଷେତ୍ରରେ ରତନ ଟାଟାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଅତୁଳନୀୟ ଅବଦାନ ।ଓଡ଼ିଶାର ଯାଜପୁରର କଳିଙ୍ଗନଗର ଇସ୍ପାତ କାରଖାନା, ଗୋପାଳପୁରରେ ପ୍ରତିଷ୍ଠା ହୋଇଛି ଟାଟା ପ୍ରକଳ୍ପ । ଏହି ପ୍ରୋଜେକ୍ଟ ପାଇଁ ଏକାଧିକ ଥର ଓଡ଼ିଶା ଆସିଛନ୍ତି ରତନ ଟାଟା ।ରତନ ଟାଟାଙ୍କ ହୃଦୟର ନିକଟ ଓଡ଼ିଶା ଟାଟା ଷ୍ଟିଲ ପାଇଁ ଏକ ପ୍ରିୟ ବିନିଯୋଗ ସ୍ଥାନ ପାଲଟିଛି। ଓଡ଼ିଶାରେ ବସ୍ତି ବାସିନ୍ଦାମାନଙ୍କୁ ଘର ଯୋଗାଇ ଦେବା କ୍ଷେତ୍ରରେ ଟାଟା ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ‘ଜାଗା ମିଶନ’ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଯାହାକି ସେତେବେଳେ ବସ୍ତି ବାସିନ୍ଦାଙ୍କ ପାଇଁ ବିଶ୍ୱର ସବୁଠୁ ବଡ଼ ପ୍ରକଳ୍ପର ମାନ୍ୟତା ପାଇଥିଲା।

ସେହିଭଳି ରାଜ୍ୟ ବିଭିନ୍ନ ଦୁର୍ବିପାକର ସମ୍ମୁଖୀନ ହେଉଥିବା ବେଳେ ଟାଟା ଗ୍ରୁପ୍ ଓ ରତନ ଟାଟାଙ୍କ ଅବଦାନ ଅତୁଳନୀୟ ଥିଲା। ଟାଟା ଗ୍ରୁପର ଏକାଧିକ କମ୍ପାନୀ ଓଡିଶାରେ ପ୍ରତିଷ୍ଠା ହେବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ସ୍କିଲ ଡେଭଲପମେଣ୍ଟ କ୍ଷେତ୍ରରେ ନିରବଚ୍ଛିନ ଭାବେ କାର୍ଯ୍ୟ ଜାରି ରଖିଛନ୍ତି।