ଦାଦନ ସମସ୍ୟା ଦୂର ପାଇଁ ଗଠନ ହେଲା ଟାକ୍ସଫୋର୍ସ

ଦାଦନଜନିତ ବିସ୍ଥାପନ ସମସ୍ୟାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ଉପ-ମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁବିକାଶ, ମିଶନଶକ୍ତି, ପର୍ଯ୍ୟଟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ମାନ୍ୟବର ମନ୍ତ୍ରୀଗଣ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭାଗୀୟ ସଚିବମାନେ ସଦସ୍ୟ ଭାବରେ ରହିଛନ୍ତି । ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଓଡ଼ିଶାର ଶ୍ରମିକମାନଙ୍କ ସମସ୍ୟାର ସମାଧାନ ତଥା ଦାଦନଜନିତ ବିସ୍ଥାପନ ରୋକିବା ପାଇଁ ସବିଶେଷ ଆଲୋଚନା କରିବା ସହ ସେସବୁ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବ । ପ୍ରତି ଛଅ ମାସରେ ଅନ୍ୟୁନ ଥରେ ଟାସ୍କଫୋର୍ସର ବୈଠକ କରାଯାଇ ଦାଦନ ଦୂରୀକରଣ ଦିଗରେ ହୋଇଥିବା ପ୍ରଗତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରାଯିବ ।

ଦାଦନ ଦୂରୀକରଣ କ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟ କରିଥିବା ବିଶେଷଜ୍ଞ, ଶିକ୍ଷାବିତ, ଉନ୍ନୟନ ବିଶେଷଜ୍ଞ, ମିଳିତ ଜାତିସଂଘ ଅନୁବନ୍ଧିତ ସଂସ୍ଥାର ପ୍ରତିନିଧିମାନଙ୍କୁ ମଧ୍ୟ ବୈଠକକୁ ନିମନ୍ତ୍ରିତ କରାଯିବାର ବ୍ୟବସ୍ଥା ରହିଛି । ରାଜ୍ୟରେ ଦାଦନଜନିତ ବିସ୍ଥାପନ ସମସ୍ୟାର ନିରାକରଣ ପାଇଁ ଗଠିତ ଏହି ସ୍ୱତନ୍ତ୍ର ଟାସ୍କଫୋର୍ସ ଅଞ୍ଚଳ ଅନୁଯାୟୀ ବିସ୍ଥାପନର ପ୍ରକାରଭେଦ ନିରୀକ୍ଷଣ କରିବା ସହ ଆବଶ୍ୟକୀୟ ନିର୍ଦ୍ଦିଷ୍ଟ ପଦକ୍ଷେପ ସୁପାରିଶ କରିବ । ରାଜ୍ୟରେ ଦାଦନ ସମସ୍ୟା ବଢି ଚାଲିବା ପରେ ଏଥିପାଇଁ ରାଜ୍ୟ ସରକାର ଅନେକ ସମାଲୋଚିତ ହୋଇଛନ୍ତି । ବିଭିନ୍ନ ସମୟରେ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲେ ବି ଆଖି ଦୃଶିଆ ସୁଧାର ଆସିନାହିଁ । ତେବେ ନୂଆ ସରକାର ଆସିବା ପରେ ଏଥିପାଇଁ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବା ଦ୍ବାରା ସମସ୍ୟା ସମାଧାନ ହେବ ବୋଲି ଆଶା କରାଯାଉଛି।