ସମ୍ପତ୍ତି ପାଇଁ ଉଦ୍ଦ୍ୟୋଗପତି ଜେଜେଙ୍କୁ ହତ୍ୟା କଲା ନାତି

ପାରିବାରିକ ସମ୍ପତ୍ତି ବିବାଦକୁ ନେଇ ଆନ୍ଧ୍ରପ୍ରଦେଶର ୮୬ ବର୍ଷୀୟ ଶିଳ୍ପପତି ଭେଲମତି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓଙ୍କୁ ତାଙ୍କ ନାତି କୀର୍ତ୍ତି ତେଜା ୭୦ ଥର ଛୁରି ଭୁସି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ଅଭିଯୁକ୍ତଙ୍କ ନାଁ କେ. କୀର୍ତ୍ତି ତେଜା (୨୮) ।ମୃତକ ‘ଭେଲଜାନ୍’ ନାମକ ଗ୍ରୁପର ସିଏମଡି ଥିଲେ । ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଘଟଣା ସାମ୍‌ନାକୁ ଆସିଛି । ସମ୍ପତ୍ତିକୁ ନେଇ ଝଗଡ଼ା ପରେ ଆମେରିକା ଫେରନ୍ତା ୨୯ ବର୍ଷୀୟ ନାତି କୀର୍ତ୍ତି ଜେଜେ ଜନାର୍ଦ୍ଦନଙ୍କୁ ୭୦ ଥର ଛୁରି ଭୁସିଥିଲେ । ଜନାର୍ଦ୍ଦନ ଏଲୁରୁର ମୂଳ ବାସିନ୍ଦା ହୋଇଥିବାବେଳେ ସେ କିଛି ମାସ ହେଲା ହାଇଦ୍ରାବାଦର ସୋମାଜିଗୁଡ଼ା ଅଞ୍ଚଳରେ ଥିବା ବାସଭବନରେ ରହୁଥିଲେ । ସେଠାରେ ତେଜାଙ୍କ ମା’ କଫି ଆଣିବାକୁ ଯାଇଥିବା ସମୟରେ ଏପଟେ ତେଜା ଓ ତାଙ୍କ ଜେଜେବାପାଙ୍କ ମଧ୍ୟରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ।

ଯୁକ୍ତିତର୍କ ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ତେଜା ଛୁରୀ ବାହାର କରି ନିଜ ଜେଜେବାପାଙ୍କ ଉପରେ ଆକ୍ରମଣ କରିଥିଲେ । ତେଜା ଓଲଟା ପୋଲିସକୁ କହିଛନ୍ତି ଯେ ପିଲାବେଳୁ ହିଁ ତାଙ୍କ ପ୍ରତି ଜେଜେଙ୍କ ବ୍ୟବହାର ଠିକ୍ ନ ଥିଲା ଏବଂ ସେ ସମ୍ପତ୍ତି ବାଣ୍ଟିବାକୁ ମନା କରୁଥିଲେ ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ନିକଟରେ ନିଜର ପୋଷ୍ଟ ଗ୍ରାଜୁଏସନ ଶେଷ କରିବା ପରେ ଆମେରିକାରୁ ହାଇଦ୍ରାବାଦ ଫେରିଥିଲେ । ଅଭିଯୋଗ ଆଧାରରେ ତେଜାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଏହି ଘଟଣାର ପୋଲିସ ତଦନ୍ତ ଚଳାଇଛି ।

You might also like