ରାଜ୍ୟ ମହିଳା କମିଶନ ଭଙ୍ଗ କରିଛନ୍ତି ମୋହନ ମାଝୀ ସରକାର । 

ରାଜ୍ୟ ସରକାର ବୁଧବାର ମହିଳା କମିଶନ ଭଙ୍ଗ କରିଛନ୍ତି। ସରକାର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଦାୟିତ୍ୱରୁ ହଟାଇବା ସହ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ପଦରୁ ହଟାଇ ଦେଇଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।ମହିଳା କମିଶନ ଅଧ୍ୟକ୍ଷା ପଦରେ ମିନତି ବେହେରା ୨୦୧୯ ମସିହା ଅଗଷ୍ଟ ୨୦ ତାରିଖରୁ କାର୍ଯ୍ୟ କରିଆସୁଥିଲେ । ଆସନ୍ତା ୨୦୨୫ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିଥିଲା ।

ଜାରି ସୂଚନାନୁଯାୟୀ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତି ବେହେରା ଓ ଅନ୍ୟ ୪ଜଣ ସଦସ୍ୟା ସ୍ୱର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବବିତା ସ୍ବାଇଁ ଓ ବିଜୟା ବରଓ୍ୱାଙ୍କୁ ହଟାଇ ଦିଆଯାଇଛି । ଏନେଇ ଖୁବଶୀଘ୍ର ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହେବ।ଉଲ୍ଲେଖଯୋଗ୍ୟ, ମହିଳା ଆୟୋଗ ଅଧ୍ୟକ୍ଷା ଓ ଅନ୍ୟ ୪ଜଣ ସଦସ୍ୟା ସମସ୍ତେ ବିଜେଡିର ସକ୍ରିୟ ଆଗଧାଡ଼ିର ନେତ୍ରୀ । ବିଜେଡି ସରକାରରେ ସେମାନଙ୍କୁ ଏହି ମହିଳା ଆୟୋଗରେ ଥଇଥାନ କରାଯାଇଥିଲା । ବିଜେଡି ନେତ୍ରୀ ମିନତୀ ବେହେରାଙ୍କୁ ୨୦୨୨ ଅକ୍ଟୋବର ମାସରେ ଦ୍ୱିତୀୟଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ କରାଯାଇଥିବାବେଳେ ୨୦୨୩ ଏପ୍ରିଲ ମାସରେ ଅନ୍ୟ ୪ଜଣ ବିଜେଡି ନେତ୍ରୀଙ୍କୁ ଆୟୋଗର ସଦସ୍ୟା ଭାବେ ଅବସ୍ଥାପିତ କରାଯାଇଥିଲା ।ରାଜ୍ୟରେ ମହିଳା ଆୟୋଗର ନୂଆ ଅଧ୍ୟକ୍ଷା ଓ ସଦସ୍ୟା ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି ।