ଆସନ୍ତା ୨୪ ଓ ୨୫ ତାରିଖରେ ବିଭିନ୍ନ ଅନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି ସରକାର । 

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାରେ ଷ୍ଟଲ୍‌ ଖୋଲିବା ନିମନ୍ତେ ପ୍ଲଟ୍‌ ପଞ୍ଜୀକରଣ ଦୁଇ ଦିନ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବାରବାଟୀ ପ୍ୟାଲେସଠାରେ ଚାଲିଥିବା ଏହି ଅଫ୍‌ ଲାଇନ୍‌ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ୨୪ ଓ ୨୫ ତାରିଖ ବନ୍ଦ ରହିବ। ତେବେ ଅନ୍‌ଲାଇନ୍‌ ମାଧ୍ୟମରେ baliyatra.netରେ ଏହି ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ। ବାତ୍ୟା ପରବର୍ତ୍ତୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୨୬ ତାରିଖ ଅଫ୍‌ଲାଇନ୍‌ ପଞ୍ଜୀକରଣ ପ୍ରକ୍ରିୟା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯିବ |

ସେହିଭଳି ଆସନ୍ତା ୨୪ ଓ ୨୫ ତାରିଖ ବନ୍ଦ ରହିବ ହାଇକୋର୍ଟ । ଏହା ବଦଳରେ ନଭେମ୍ବର ୩୦ (ଶନିବାର) ଖୋଲା ରହିବ କୋର୍ଟ । ଡିସେମ୍ବର ୭ ଶନିବାର ଖୋଲା ରହିବ ହାଇକୋର୍ଟ । ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ରାଜ୍ୟ ସରକାର ସର୍ବସାଧାରଣଙ୍କ ପରିଦର୍ଶନ ନିମନ୍ତେ ଓଡ଼ିଶା ରାଜ୍ୟ ମ୍ୟୁଜିୟମ ସମେତ ରାଜ୍ୟ ଅଭିଲେଖାଗାର ଓ ଲାଇବ୍ରେରୀ ୨ଦିନ ପାଇଁ ବନ୍ଦ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପ ମଧ୍ୟ ୨ଦିନ ବନ୍ଦ ରହିବ । ରାଜ୍ୟ ଅଭିଲେଖାଗାର ଓ ହରେକୃଷ୍ଣ ମହତାବ ରାଜ୍ୟ ଲାଇବ୍ରେରୀ ବନ୍ଦ ରହିବ । ସେହିପରି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ତ ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ଓ ସ୍କୁଲଗୁଡ଼ିକ ମଧ୍ୟ ଏହି ଦିନ ବନ୍ଦ ରହିବ । ବିଭାଗ ଅଧୀନରେ ଥିବା ସମସ୍ତ ମଣ୍ଡପକୁ ମଧ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।