ଭୁବନେଶ୍ୱର ସମେତ ଖୁବ୍ଶୀଘ୍ର ଦେଶର ୧୩ ବିମାନବନ୍ଦରର ହେବ ଘରୋଇକରଣ।
ଖୁବଶୀଘ୍ର ଘରୋଇକରଣ ହେବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର । ଭୁବନେଶ୍ଵର ସମେତ 13ଟି ପ୍ରମୁଖ ବିମାନବନ୍ଦରର ଘରୋଇକରଣ ହେବ । ଏକ ରିପୋର୍ଟରୁ ଜଣାପଡ଼ିଛି। ଆସେଟ୍ ମୁଦ୍ରୀକରଣ ମାଧ୍ୟମରେ ରାଜସ୍ୱ ବଢାଇବା ହେଉଛି ସରକାରଙ୍କ ଲକ୍ଷ୍ୟ। ଏହି କ୍ରମରେ ୧୩ ବିମାନବନ୍ଦରର ଘରୋଇକରଣ ପ୍ରକ୍ରିୟାକୁ ପୁନଃ ଆରମ୍ଭ କରାଯାଇଛି। ବିମାନବନ୍ଦରଗୁଡ଼ିକୁ ଘରୋଇ କମ୍ପାନିଗୁଡ଼ିକୁ ଲିଜ୍ରେ ଦେବା ଦ୍ୱାରା ବିମାନବନ୍ଦରଗୁଡ଼ିକର ମ୍ୟାନେଜ୍ମେଣ୍ଟ ଦୃଢ଼ ହେବ।
ଘରୋଇ କ୍ଷେତ୍ରର କାର୍ଯ୍ୟକୁଶଳତାର ବ୍ୟବହାର ହୋଇପାରିବ। ବିମାନବନ୍ଦର ଭିତ୍ତିଭୂମି ଏବଂ ସୁବିଧା ବଢ଼ିବା ଦ୍ୱାରା ଯାତ୍ରୀ ଉପକୃତ ହେବେ। ସେମାନଙ୍କୁ ଉତ୍ତମ ସେବା ମିଳିବ।ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଘରୋଇକରଣ ପ୍ରକ୍ରିୟା ନିମନ୍ତେ ୭ ଛୋଟ ବିମାନବନ୍ଦରକୁ ୬ଟି ବଡ଼ ବିମାନବନ୍ଦର ସହିତ କ୍ଲବ୍ କରିଛନ୍ତି। ଏଥିସହିତ ବାରାଣାସିକୁ କୁଶିନଗର ଏବଂ ଗୟା ସହିତ, ଅମ୍ରିତସରକୁ କାଙ୍ଗ୍ରା ସହିତ, ଭୁବନେଶ୍ୱରକୁ ତିରୁପତି ସହ, ରାୟପୁରକୁ ଔରଙ୍ଗାବାଦ ସହ, ଇନ୍ଦୋରକୁ ଜବଲପୁର ସହିତ ଏବଂ ତିରୁଚିରାପଲ୍ଲୀକୁ ହୁବୁଳି ସହ ଯୋଡ଼ାଯାଇଛି। ପ୍ରକ୍ରିୟା ସହ ଜଡ଼ିତ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଏହି ବିମାନବନ୍ଦରଗୁଡ଼ିକର ଘରୋଇକରଣ ଉପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଆନ୍ତଃ-ମନ୍ତ୍ରୀସ୍ତରୀୟ ପରାମର୍ଶ ନୋଟ୍ ଜାରି କରିଛି। ୨୦୨୫-୨୬ ଆର୍ଥିକବର୍ଷ ଶେଷ ସୁଦ୍ଧା ଘରୋଇକରଣ ପ୍ରକ୍ରିୟା ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।
