ମହିଳା ଓ ଛାତ୍ରଛାତ୍ରୀଙ୍କୁ ବସ ଭଡାରେ ୫୦ ପ୍ରତିଶତ ରିହାତି
ରାଜ୍ୟର ସରକାରଙ୍କ ପକ୍ଷରୁ ବୁଧବାର ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକରେ ମୋଟ ୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ୫ଟି ବିଭାଗର ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକରେ ପଶୁ ସମ୍ପଦ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ, ବାଣିଜ୍ୟ ପରିବହନ ଓ ସ୍ବାସ୍ଥ୍ୟ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ୮ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।ବାଣିଜ୍ୟ ଓ ପରିବହନ ବିଭାଗରେ ମୁଖ୍ୟମନ୍ତ୍ରୀ ବସ୍ ସେବା କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏଥିରେ ରାଜ୍ୟର ସମସ୍ତ ବ୍ୟବସାୟ ସ୍ଥଳ/ବାଣିଜ୍ୟ କେନ୍ଦ୍ର, ଶିକ୍ଷା ଓ ସ୍ବାସ୍ଥ୍ୟନୁଷ୍ଠାନ ଓ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନକୁ ନିରାପଦ, ନିର୍ଭରଯୋଗ୍ୟ, ସୁଲଭ ଓ ଦକ୍ଷ ସାର୍ବଜନୀନ ପରିବହନ ବସ୍ ସେବା ମିଳିବ । ବସ୍ ଚଳାଚଳରେ ଦକ୍ଷତା ଓ ସ୍ଵଚ୍ଛତା ଲକ୍ଷ୍ୟରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ର ସମ୍ପୂର୍ଣ୍ଣ ନବୀକରଣ କରାଯିବ । ଏହାଛଡ଼ା ବସ୍ ଗୁଡ଼ିକର ତଦାରଖ ଓ ନିୟନ୍ତ୍ରଣ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମକୁ ଦାୟିତ୍ବ ମିଳିବ । ବସ୍ଗୁଡ଼ିକରେ ସିସିଟିଭି କ୍ୟାମେରା, ଲାଇଭ୍ ଭ୍ୟାନ୍ ଟ୍ରାକିଂ, ଯାତ୍ରୀ ସୂଚନା ବ୍ୟବସ୍ଥା ଓ ପାନିକ୍ ବଟନ୍ ଇତ୍ୟାଦି ବନ୍ଦୋବସ୍ତ କରାଯିବ । ମୁଖ୍ୟମନ୍ତ୍ରୀ ବସ୍ ସେବାରେ ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦ ପ୍ରତିଶତ ରିହାତି ମିଳିବ। ଛାତ୍ର ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କୁ ମଧ୍ୟ ମିଳିବ ୫୦ ପ୍ରତିଶତ ରିହାତି।
