ଚୀନ ଉପରେ ୧୪୫ ପ୍ରତିଶତ ଶୁଳ୍କ ଲଗାଇଲା ଆମେରିକା
ଆମେରିକା ଏବଂ ଚୀନ ମଧ୍ୟରେ ଏବେ ଶୁଳ୍କ ଯୁଦ୍ଧ ବେଶୀ ତେଜିଛି । ପୂର୍ବରୁ ଚୀନ ଉପରେ ଆମଦାନୀ ବାବଦ ୧୨୫ ପ୍ରତିଶତ ଶୁଳ୍କ ଆମେରିକା ଆଦାୟ କରିବା ନେଇ ଘୋଷଣା କରିଥିବା ବେଳେ ଏବେ ଏହାକୁ ୧୪୫ ପ୍ରତିଶତକୁ ବୃଦ୍ଧି କରିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଚୀନ୍ ଉତ୍ପାଦ ଉପରେ ଅତିରିକ୍ତ ଶୁଳ୍କ ୧୪୫ ପ୍ରତିଶତକୁ ବୃଦ୍ଧି ପାଇବା ନେଇ ଗତକାଲି ନିଶ୍ଚିତ କରିଛି ହ୍ବାଇଟ୍ ହାଉସ୍ । ତେବେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଶୁକ୍ରବାର ଦିନ ‘କାର୍ନେଗି ଗ୍ଲୋବାଲ୍ ଟେକ୍ ସମିଟ୍ ୨୦୨୫’ରେ ଅଂଶଗ୍ରହଣ କରି ବିଶ୍ୱର ପରିବର୍ତ୍ତିତ ପ୍ରଯୁକ୍ତିବିଦ୍ୟା ଏବଂ ଭୂରାଜନୈତିକ ପରିସ୍ଥିତି ଉପରେ ନିଜର ମତ ପ୍ରକାଶ କରିଛନ୍ତି । ସେ କହିଥିଲେ ଯେ ଗତ ଗୋଟିଏ ବର୍ଷ ମଧ୍ୟରେ ଆମେରିକାର ବିଶ୍ୱ ଦୃଷ୍ଟିକୋଣରେ ଏକ ବଡ଼ ପରିବର୍ତ୍ତନ ଆସିଛି, ଯାହାର ପ୍ରଭାବ ବିଶେଷକରି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗଭୀର ଭାବରେ ନଜାର ଆସୁଛି ।ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ, ଆମେରିକା ବ୍ୟତୀତ, ଚୀନ୍ ମଧ୍ୟ ଗତ ଗୋଟିଏ ବର୍ଷ ମଧ୍ୟରେ ଲଗାତାର ପ୍ରଗତି କରୁଛି । ସେ କହିଛନ୍ତି ଯେ, ଏହି ପରିବର୍ତ୍ତନ ହଠାତ୍ ନୁହେଁ, ବରଂ ଧୀରେ ଧୀରେ ଆସିଛି ।ତେବେ ଟ୍ରମ୍ପ ଏଇ ବୁଧବାର ପାଖାପାଖି ୭୫ଟି ଦେଶ ଉପରେ ନୂତନ ଶୁଳ୍କ ବୃଦ୍ଧିକୁ ୯୦ ଦିନ ପାଇଁ ବିରତ ରଖିଥିବା ବେଳେ, ଚୀନ୍ ଆମଦାନୀ ଉପରେ ନୂତନ ଶୁଳ୍କ ୧୨୫ ପ୍ରତିଶତ ବୃଦ୍ଧି କରିଥିଲେ । କିନ୍ତୁ ପରେ ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଥିଲା ଯେ, ଏହା ପୂର୍ବ ୨୦ପ୍ରତିଶତ ଶୁଳ୍କ ସହିତ ଅତିରିକ୍ତ ଶୁଳ୍କକୁ ଲାଗୁ ହେବ । ପୂର୍ବ ପ୍ରଶାସନର ପୂର୍ବ ଶୁଳ୍କକୁ ଯୋଡିକି ନୂଆ ଶୁଳ୍କ ଲାଗୁ କରିଛନ୍ତି । ଚଳିତ ବର୍ଷ ଆରମ୍ଭରେ ପ୍ରଚଳିତ ୨୦ପ୍ରତିଶତ ଶୁଳ୍କ ଉପରେ ଆଧାରିତ, ଫେଣ୍ଟାନିଲ୍ ଯୋଗାଣ ଶୃଙ୍ଖଳାରେ ଚୀନର ସମ୍ପୃକ୍ତିକୁ ଉଲ୍ଲେଖ କରି ମୋଟ ଶୁଳ୍କ ୧୪୫ ପ୍ରତିଶତକୁ ବୃଦ୍ଧି କରିଛି ।
ସେପଟେ ଟ୍ରମ୍ପଙ୍କ ଏହି ନୀତି ବିଶ୍ବ ବଜାରରେ ହଇଚଇ ସୃଷ୍ଟି କରିଥିବା ବେଳେ କ୍ୟାବିନେଟ୍ ବୈଠକରେ ଭାଷଣ ଦେଇ ଟ୍ରମ୍ପ୍ ତାଙ୍କର ଶୁଳ୍କ ନୀତି ନେଇ ସଫେଇ ଦେିଛନ୍ତି । କହିଛନ୍ତି, ଆମେରିକା ବହୁତ ଭଲ ସ୍ଥିତିରେ ଅଛି । ଦେଶ ଯେପରି ଚାଲିଛି ସେଥିରେ ଆମେ ବହୁତ ଖୁସି ।
