ସୁନାମି ପାଇଁ ପ୍ରାକ୍‌ ପ୍ରସ୍ତୁତି; ୬ ଜିଲ୍ଲାରୁ ଚିହ୍ନଟ ହେବ ୧୦୦ରୁ ଊର୍ଦ୍ଧ୍ବ ଗାଁ

ଜଳବାୟୁର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରାକ୍‌ ପ୍ରସ୍ତୁତି କରାଯିବ । ଏନେଇ ସୁନାମି ପ୍ରସ୍ତୁତି ଚିହ୍ନଟ ପାଇଁ ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲାରୁ ୧୦୦ରୁ ଊଦ୍ଧ୍ବ ଗ୍ରାମ ଚିହ୍ନଟ କରାଯିବ । ୟୁନେସ୍କୋ-ଆଇଓସି ପକ୍ଷରୁ ସୁନାମି ରେଡୀ କାର୍ଯ୍ୟକ୍ରମ ଅଧୀନରେ ଏହା କରାଯିବ ବୋଲି ବିପର୍ଯ୍ୟୟ ମୁକାବିଲା ଲାଗି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ଦ୍ବିତୀୟ ବୈଠକରୁ ସୂଚନା ମିଳିଛି ।ସେହିପରି ବିପର୍ଯ୍ୟୟ ମୁକାବିଲା ଜନସଚେତନତା କାର୍ଯ୍ୟକ୍ରମ ‘ସତର୍କ’କୁ ବ୍ୟାପକ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ପ୍ଲାଟଫର୍ମକୁ ବିପର୍ଯ୍ୟୟ ମୁକାବିଲା ଲାଗି ବିକଶିତ କରାଯିବ। ଏହା ମାଧ୍ୟମରେ ସମସ୍ତ ପ୍ରକାର ଜଳବାୟୁ ଓ ପାଣିପାଗ ବିଷୟରେ ଲୋକେ ଯେପରି ଆଗତୁରା ସୂଚନା ପାଇପାରିବେ ସେହିଭଳି ବ୍ୟବସ୍ଥିତ କରାଯିବ ବୋଲି ଜଣାଯାଇଛି। ରାଜ୍ୟରେ ପ୍ରାକୃତିକ ଏବଂ ସିବିଆର୍‌ଏନ୍‌ (କେମିକାଲ ବାୟୋଲୋଜିକାଲ ରେଡିଓଲୋଜିକାଲ ଏବଂ ନ୍ୟୁକ୍ଲିୟର) ବିପର୍ଯ୍ୟୟ ମୁକାବିଲା ଲାଗି ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ ।

ଏଥିନେଇ ସମ୍ପୃକ୍ତ ବିଭାଗଗୁଡ଼ିକ ପାଇଁ ଏକ ଷ୍ଟାଣ୍ଡାର୍ଡ ଅଫ୍‌ ପ୍ରୋସିଡ୍ୟୁଅର(ଏସ୍‌ଓପି) ପ୍ରସ୍ତୁତ କରାଯିବ । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧ୍ୟକ୍ଷତାରେ ଗଠିତ ଏକ ଆନ୍ତଃସରକାରୀ ସଂଗଠନ ଆର୍‌ଆଇଏମ୍‌ଇଏସ୍‌(ରିଜିଓନାଲ୍‌ ଇଣ୍ଟିଗ୍ରେଟେଡ୍‌ ମଲ୍ଟି-ହାଜାର୍ଡ ଏରଲୀ ଓ୍ବାର୍ନିଂ ସିଷ୍ଟମ) ସହଭାଗିତାରେ ଓସ୍‌ଡମା ପକ୍ଷରୁ ଏକୀକୃତ କମାଣ୍ଡ କଣ୍ଟ୍ରୋଲ୍‌ ସିଷ୍ଟମ୍‌ (ୟୁସିସିଏସ୍‌) ଆପ୍ଲିକେଶନ କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ୟୁସିସିଏସ୍‌ ବିପର୍ଯ୍ୟୟ ପରିଚାଳନା ସମୟରେ ତଥ୍ୟ ସଂଗ୍ରହ, କ୍ଷୟକ୍ଷତି ଆକଳନ ଏବଂ ସ୍ଥିତି ଅନୁଧ୍ୟାନ ଭଳି କାର୍ଯ୍ୟକୁ ସୁଗମ କରିବ । ଏହି ବ୍ୟବସ୍ଥା ରାଜ୍ୟ, ଜିଲା ଏବଂ ବ୍ଲକସ୍ତରୀୟ ଜରୁରିକାଳୀନ କେନ୍ଦ୍ରର ତଥ୍ୟକୁ ଏକୀକୃତ କରିବାରେ ସହଯୋଗ ହେବ ବୋଲି ବୈଠକରୁ ଜଣାଯାଇଛି।

You might also like