ଏହି ରାଜ୍ୟରେ ଟ୍ୟାକ୍ସ ଫ୍ରି ହେଲା ସିନେମା ‘ଛାୱା’ ।
ମରାଠା ଶାସକ ସମ୍ଭାଜୀ ମହାରାଜଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ହେଉଛି ଛାଭା । ମୁକ୍ତିଲାଭ କରିବା ପରଠାରୁ ପ୍ରତିଦିନ ଭଲ ଆୟ କରୁଛି । ଏହା ଚଳିତ ବର୍ଷର ସବୁଠାରୁ ଦ୍ରୁତତମ ଫିଲ୍ମ ହୋଇ ଯାଇଛି । ଯାହା ୧୦୦ କୋଟି ଟଙ୍କା ରୋଜଗାର କରିଛି । ବୁଧବାର ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମବାର୍ଷିକୀରେ ମଧ୍ୟ ଏହି ଫିଲ୍ମଟି ଚମତ୍କାର ରୋଜଗାର କରିଛି ।ଫିଲ୍ମରେ ଛତ୍ରପତି ଶିବାଜୀ ମହାରାଜଙ୍କ ସୁପୂତ୍ର ବୀର ସମ୍ଭାଜୀ ମହାରାଜଙ୍କ ଜୀବନୀକୁ ଅତି ଉଚ୍ଚକୋଟିର ଭାବେ ପରିବେଷଣ କରାଯାଇଛି ଯେ ଯିଏ ବି ସିନେମା ଦେଖୁଛନ୍ତି ପ୍ରଶଂସା ନକରି ରହିପାରୁନାହାନ୍ତି ।
ଲକ୍ଷ୍ମଣ ଉତ୍ତେକରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଭିକ୍କି କୌଶଲ ନଜର ଆସିଥିବା ବେଳେ ଔରଙ୍ଗଜେବଙ୍କ ଭୂମିକାରେ ଅକ୍ଷୟ ଖାନ୍ନା ନଜର ଆସିଛନ୍ତି । ମୁଖ୍ୟ ଅଭିନେତାଙ୍କ ଅଭିନୟ ଏତେ ଜୀବନ୍ତ ହୋଇଛି ଯେ ଦର୍ଶକଙ୍କ ତାଳିରେ ଫାଟିପଡୁଛି ପ୍ରେକ୍ଷାଳୟ ।ଯାହା ଫଳରେ ଏହି ଫିଲ୍ମଟି ସବୁଠି ଆଲୋଚନାର ବିଷୟ ପାଲଟିଛି । ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମବାର୍ଷିକୀ ଅବସରରେ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ଚଳଚ୍ଚିତ୍ରକୁ ସାରା ରାଜ୍ୟରେ କରମୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ପ୍ରତିକ୍ରିୟା ଲେଖିଛନ୍ତି ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମବାର୍ଷିକୀ ଅବସରରେ ମୁଁ ତାଙ୍କ ପୁଅ ସମ୍ଭାଜୀ ମହାରାଜଙ୍କ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ଛାଭା ଉପରେ ଟିକସ ଛାଡ଼ ଘୋଷଣା କରୁଛି ।
