ରାମଲୀଳା ଦେଖୁଥିଲେ: ନଡ଼ିଆ ଗଛ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ
ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ବଳରାମପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି l ରାମଲୀଳା ପରିବେଷଣ ହେଉଥିବାବେଳେ ସେହି ନିକଟରେ ଥିବା ଏକ ନଡ଼ିଆ ଗଛ ହଠାତ୍ ଭାଙ୍ଗି ଲୋକମାନଙ୍କ ଉପରେ ପଡ଼ିଯାଇଥିଲା l ଫଳରେ ଘଟଣା ସ୍ଥଳରେ ନିକଟସ୍ଥ ସମାଗୋଳ ଗ୍ରାମର ଟୁଟୁ ଦାସଙ୍କ ପତ୍ନୀ କୁନି ଦାସ(୩୪)ଙ୍କର ମୃତ୍ୟୁ ହୋଇଥିଲା l ଅନ୍ୟ ୪ ଜଣ ଗୁରୁତର ହୋଇଥିଲେ।
ଏହା ଦେଖି ସ୍ଥାନୀୟଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଉତ୍ୟକ୍ତ ଲୋକେ ଆମ୍ବୁଲାନ୍ସର କାଚକୁ ବାଡେଇ ଭାଙ୍ଗିଦେଇଥିଲେ। ପରେ ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଘଟଣା ପରେ ପୁଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଥିବା ଜଣାପଡ଼ିଛି । ତେବେ ହନୁମାନ ରଶି ଉପରେ ଚଢି ନିଜର କଳା ପରିବେଷଣ କରିବାକୁ ଗୋଟିଏ ନଡ଼ିଆ ଗଛରୁ ଆଉ ଗୋଟିଏ ନଡ଼ିଆ ଗଛକୁ ରଶି ଟ୍ରାକ୍ଟର ସହାୟତାରେ ବନ୍ଧା ହେଉଥିବା ସମୟରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକମାନଙ୍କ ସୂତ୍ରରୁ ଜଣା ପଡ଼ିଛି l
