ସ୍ତନ କର୍କଟ ସଂପର୍କିତ ସଚେତନତା ବାର୍ତ୍ତାରେ ଯୁବରାଜଙ୍କ ଏନ୍‌ଜିଓକୁ ସମସ୍ତେ କରୁଛନ୍ତି ନିନ୍ଦା

ସ୍ତନ କର୍କଟ (ବ୍ରେଷ୍ଟ କ୍ୟାନସର) ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଯାଇ ନିନ୍ଦିତ ହୋଇଛି କ୍ରିକେଟର ଯୁବରାଜ ସିଂହଙ୍କ ଏନ୍‌ଜିଓ YouWeCan। ଲୋକଙ୍କୁ ସ୍ତନ କର୍କଟ ସଂପର୍କରେ ସଚେତନ କରିବାକୁ ସଂସ୍ଥା ପକ୍ଷରୁ ଯେଉଁ ବିଜ୍ଞାପନଟି ପ୍ରସ୍ତୁତ କରାଯାଇଛି, ତାହାକୁ କେହି ପସନ୍ଦ କରୁ ନାହାନ୍ତି। କେହି କେହି ଏହାକୁ ଅଶ୍ଲୀଳ କହିଥିବା ବେଳେ ଆଉ କେହି ଏହା ଦ୍ୱାରା ନାରୀର ସମ୍ମାନ ହାନି ହୋଇଛି ବୋଲି କହିଛନ୍ତି।YouWeCan ପକ୍ଷରୁ ଦିଲ୍ଲୀ ମେଟ୍ରୋରେ ଏହି ବିଜ୍ଞାପନକୁ ଲଗାଯାଇଥିଲା। ଜଣେ ଯାତ୍ରୀ ଏହାର ଫଟୋ ଉଠାଇ ସୋସିଆଲ ମିଡିଆ ‘ଏକ୍ସ’ ପୋଷ୍ଟ କରିଥିଲେ। ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ଦ୍ୱାରା ପ୍ରସ୍ତୁତ ଏହି ବିଜ୍ଞାପନରେ ଜଣେ ଯୁବତୀ ଦୁଇଟି କମଳା ଧରି ଛିଡ଼ା ହୋଇଛନ୍ତି। ଏହି ଫଟୋ ତଳେ ଇଂରାଜୀରେ ଲେଖା ଯାଇଛି- Check Your Oranges Once a month। ଏହାର ଅର୍ଥ ମାସରେ ଥରେ ଆପଣଙ୍କ କମଳା ଗୁଡ଼ିକୁ ଯାଞ୍ଚ କରନ୍ତୁ। ଏହା ପରେ ଇଂରାଜୀରେ ଯାହା ଲେଖାଯାଇଛି, ଶୀଘ୍ର ଚିହ୍ନଟ ହେଲେ ଜୀବନ ବଞ୍ଚିଯାଏ।

ଏହା ପରେ ହ୍ୟାସଟ୍ୟାଗ ସହିତ ସ୍ତନକର୍କଟ ସଚେତନତା ବାର୍ତ୍ତା ବୋଲି ଲେଖାଯାଇଛି।ଏହି ବିଜ୍ଞାପନରେ Check Your Oranges ବା ଆପଣଙ୍କ କମଳାଗୁଡ଼ିକୁ ଯାଞ୍ଚ କରି ନିଅନ୍ତୁ ବୋଲି ଲେଖାଯିବା କଥାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଯେଉଁ ବ୍ୟକ୍ତି ଏହି ବିଜ୍ଞାପନର ଫଟୋକୁ ଉଠାଇ ଏକ୍ସରେ ପୋଷ୍ଟ କରିଛନ୍ତି, ସେ ଲେଖିଛନ୍ତି- ଆମେ ଯଦି ସ୍ତନକୁ ‘ସ୍ତନ’ ବୋଲି କହିବାକୁ ଲାଜ କରୁଛନ୍ତି, ତା’ହେଲେ ସ୍ତନ କର୍କଟ ସଂପର୍କରେ କିଭଳି ଭାବେ ଲୋକଙ୍କୁ ସଚେତନ କରିପାରିବା? ଏହା କି କଥା? ଲେଖାଯାଇଛି- ଚେକ୍ ଇଓର ଅରେଞ୍ଜେସ୍। କିଏ ଏହି ଅଭିଯାନ କରୁଛି? କିଏ ସେମାନଙ୍କୁ ଅନୁମତି ଦେଉଛନ୍ତି? ଆମେ ଏଭଳି ଲୋକଙ୍କ ଦ୍ୱାରା ଶାସିତ ହେଉଛନ୍ତି, ଯେଉଁମାନେ ଏହି ପୋଷ୍ଟରଟିକୁ ସର୍ବସାଧାରଣରେ ଲଗାଇବାକୁ ଅନୁମତି ଦେଇଦେଲେ। ଏହା ଲଜ୍ଜାଜନକ।ସେହିପରି ବିବାଦ ବଢ଼ିବା ପରେ YouWeCan ପକ୍ଷରୁ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରରେ ଥିବା ଏହି ବିଜ୍ଞାପନକୁ ହଟାଇ ଦିଆଯାଇଛି। ତେବେ ସଂସ୍ଥା ପକ୍ଷରୁ ଦାବି କରାଯାଇଛି ଯେ ଏହି ବିଜ୍ଞାପନରେ କିଛି ବି ଭୁଲ୍ ନାହିଁ।