ଅଭିନେତା ମୋହନଲାଲଙ୍କୁ ମିଳିବ ଦାଦାସାହେବ ଫାଲ୍କେ ପୁରସ୍କାର
ଭାରତୀୟ ସିନେମାରେ ଅମୂଲ୍ୟ ଅବଦାନ ପାଇଁ ମାଲାୟାଲମ୍ ସୁପରଷ୍ଟାର ମୋହନଲାଲଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ସେପ୍ଟେମ୍ବର ୨୩ ତାରିଖରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଦାନ କରାଯିବ। ଶନିବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏହି ଆୱାର୍ଡ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ । ସିନେମା ଉଦ୍ୟୋଗକୁ ବିଶେଷ ଯୋଗଦାନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହା ପ୍ରଦାନ କରାଯାଇଥାଏ । ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଅଭିନୟ କରିଆସୁଥିବା ମୋହନଲାଲ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ସିନେ ପ୍ରେମୀଙ୍କ ମନରେ ଅଲିଭା ଛାପ ଛାଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଏକ୍ସରେ ପୋଷ୍ଟ କରି ମୋହନଲାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଗତବର୍ଷ, ଦିଗଜ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ୨୦୨୨ ବର୍ଷ ପାଇଁ ଦାଦା ସାହେବ ଫାଲକେ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଅନ୍ୟପକ୍ଷରେ, ମୋହନଲାଲଙ୍କୁ ସିନେମାରେ ତାଙ୍କ ଅବଦାନ ପାଇଁ ୨୦୦୧ ରେ ପଦ୍ମଶ୍ରୀ ଏବଂ ୨୦୧୯ ରେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା।
