ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ

ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ । ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଶିରିଗୁଡ଼ା ପଞ୍ଚାୟତର ସାଡକଣା ଗ୍ରାମରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରାୟ ସାଢେ ୩ କିମି ଖଟିଆରେ ବୋହି ଆଣିବା ପରେ ତାଙ୍କୁ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଯାଇଥିଲା । ସେଠାରୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା ।ସୂଚନାନୁଯାୟୀ, ସାଡକଣା ଗାଁର ଜଣେ ମହିଳାଙ୍କ ପ୍ରସବ ବେଦନା ହେବାରୁ, ପରିବାର ଲୋକେ ଆମ୍ଵୁଲାନ୍ସ ଡାକିଥିଲେ । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଫଳରେ ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ଖଟିଆରେ ବୋହି କାଦୁଅ ଭରା ରାସ୍ତାରେ ପ୍ରାୟ ସାଢେ ୩ କିଲୋମିଟର ଦୂର ବଡ଼ପଙ୍କାଳ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଗୁଡାରି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି । ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ମା ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି ।