ନୂଆଖାଇ ପର୍ବ ପାଳନ ପାଇଁ ପାଟେନ ପୀଠରେ ଡଂଡ଼ସରା ଯାତ୍ରା

ଚନ୍ଦାହାଣ୍ଡି – ତା ୦୨/୦୯( ପୀତାମ୍ବର ସୋରୀ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ପାଟେନ ପାଟରାଣୀ ଦେଵୀ ପୀଠରେ ପାରମ୍ପରିକ କୃଷିଭିତ୍ତିକ ପର୍ବ ଡ଼ଣ୍ଡସରା ଵା ବେଲସରା ପୂଜା ପାନାବେଡା ଅଞ୍ଚଳର ପ୍ରତ୍ୟେକ ଗ୍ରାମ ସାହିରୁ ଆସିଥିବା, ଗଣା,ଗହଟିଆ, ଚଲାନ ପୂଜାରୀ ରଇତଙ୍କ ଉପସ୍ଥିତିରେ ଆଜି ବେଲସରା ଵା ଡଣ୍ଡସରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପାଟେନ ଦେବୀପୀଠ ପୂଜକ ଶୋଭାଚନ୍ଦ୍ର ପୂଜାରୀ ତଥା ଗ୍ରାମ୍ୟଦେବୀ ପୂଜାରୀ ମଣିରାମ ମାଝୀ, ହରିସିଂ ମାଝୀ, ଉଗ୍ରସେନ ମାଝୀ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ପୂଜାରେ ଆଜି ନୂଆଖାଇ ପାଇଁ ଏକ ଶୁଭଦିନ ଧାର୍ଯ୍ୟ ପୂର୍ବକ ପ୍ରତି ଗ୍ରାମରେ ନୂଆଖାଇ ପାଇଁ ସ୍ଥିର କରିବା ନେଇ ସର୍ବପ୍ରଥମେ ଏହି ପୀଠରେ ପୂଜାର୍ଚନା କରାଯାଇଥାଏ l ପ୍ରକାଶ ଥାଉକି ଏହି ବେଲସରା ପର୍ବ ପ୍ରତିବର୍ଷ ନୂଆଖାଇ ପୂର୍ବରୁ ବେଲସରା ପୂଜା କରାଯିବା ପରେ ହିଁ ନୂଆଖାଇ ର ଶୁଭରମ୍ଭ ହୋଇଥାଏ l ବେଲସରା ବିହୁନେ ନୂଆଖାଇ ପର୍ବ ଅସମ୍ଭବ ହୋଇଥିବା ବେଳେ ଏହି ପୀଠରେ ସାମୁହିକ ଭାବେ ଅଞ୍ଚଳର ସମସ୍ତ ପୀଠ ଵା ଆସ୍ଥାନ ର ପୂଜା ପୂର୍ବରୁ ସର୍ବ ପ୍ରଥମେ ପୂଜାର୍ଚନା କରାଯାଇ ଥାଏ l ପୂର୍ବଶ୍ରୁତି ଅନୁସାରେ ଏହି ପୀଠରେ ପ୍ରଥମେ ଶୁଭାରମ୍ଭ କରି ନବାନ୍ନ ଭକ୍ଷଣର ପ୍ରଥମ ପର୍ବ ପାଳନ ଯାଇଥାଏ l ଏହି ପୂଜା ରେ ଅଞ୍ଚଳର ପ୍ରତି ଗ୍ରାମରୁ ଗଣା, ଗହଟିଆ, ଚଲାଣ, ପୂଜାରୀ ଓ ରୟତ ମାନେ ଆସି ସାମିଲ ହୋଇଥାନ୍ତି l ପରମ୍ପରା ଅନୁସାରେ ଏହି ପୀଠରୁ ପ୍ରଥମେ ବେଲସରା ଆରମ୍ଭ ହେଲାପରେ ଅଞ୍ଚଳର ଅନ୍ୟ ଗ୍ରାମ ଗୁଡିକରେ ବେଲସରା ଆରମ୍ଭ ହୋଇ ନୂଆଖାଇ ପର୍ବ ପାଳିତ ହୋଇଥାଏ l ତେବେ ଅଞ୍ଚଳର ପୂଜା ପାଉଥିବା ପ୍ରମୁଖ ଦେବିପୀଠ ଯଥା ଖମ୍ବେଶ୍ବରୀ, ପାଟଦି, ପାଟେନ ଓ ଖଲିଗଡେନ ଙ୍କ ମଧ୍ୟରୁ ପାଟେନ ଦେବିପୀଠ ସହ ଅଞ୍ଚଳର କୃଷିଭିତ୍ତିକ ପର୍ବ ନୂଆଖାଇର ସମ୍ବନ୍ଧ ସମ୍ପୂର୍ଣ୍ଣ ଅଲଗା ହୋଇଥିବା ବେଳେ ପାଟେନ ରୁ ବେଲସରା ଯାତରା ଆରମ୍ଭ ହୋଇ ଅଞ୍ଚଳର ପ୍ରତି ଗ୍ରାମକୁ ଧାନ କେଣ୍ଡା ଗୁଛ ପ୍ରତି ଗାଁର ପ୍ରତ୍ୟେକ ଘରର ଛାତ, କାନ୍ଥ, ଦ୍ୱାରବନ୍ଧ ରେ ଏହି ପୀଠରୁ ପ୍ରେରିତ ଧାନକେଣ୍ଡା ମାନ ଖୋସା ଯାଇଥାଏ l ଏହି ପୀଠରୁ ଯେତେବେଳ ପର୍ଯ୍ୟନ୍ତ ବେଲସରା ନ ହୋଇଛି ସେତେବେଳ ପର୍ଯ୍ୟନ୍ତ କୌଣସି ଗାଁରେ ବେଲସରା ଯାତରା ଅନୁଷ୍ଠିତ ହୋଇନଥାଏ କିମ୍ବା ନୂଆଖାଇ ପର୍ବ ପାଳନ ହୋଇନଥାଏ l ତେବେ ଆଜିର ଏହି ଯାତରା ରେ ପୂଜାରୀ ସଙ୍ଘର ସଭାପତି ହର ପୂଜାରୀ ସମେତ ପାନାବେଡା ଅଞ୍ଚଳ ର ପ୍ରତ୍ୟେକ ଗ୍ରାମର ପୂଜାରୀ ମାନେ ଉପସ୍ଥିତ ରହିଥିଲେ l ଆଜିର ଏହି କାର୍ଯ୍ୟକ୍ରମ କୁ ମଧୁସୂଦନ ନାଗେଶ, ଈଶରାମ ମାଝୀ, ଗଗନେଶ୍ୱର ମାଝୀ, ସହ ଅଞ୍ଚଳର ଅନେକ ଉପସ୍ଥିତ ଜନସାଧାରଣ ସହଯୋଗ କରି କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିଥିବା ଦେଖିବାକୁ ମିଳିଥିଲା l