ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା: ବିରଳ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ପହିଲାରୁ କଟକଣା

ଆଗକୁ ଆସୁଛି ଅଲିଭ ରିଡ଼ଲେ କଇଁଛଙ୍କର ପ୍ରଜନନ ଋତୁ । ସମୁଦ୍ରରେ ମାଛ ଧରିବା ନେଇ ଲାଗିବ କଟକଣା । ଆସନ୍ତା ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଡରେ ଯେପରି କଇଁଛ ମୃତ୍ୟୁ ନହୁଏ, ଏନେଇ ଅଣ୍ଟା ଭିଡ଼ିଛି ପ୍ରଶାସନ । ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ପୁରୀ ଦେବୀ ନଦୀ ଓ କେଳୁଣି ନଦୀ ମୁହାଣରୁ ୫ କିଲୋମିଟର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ କୌଣସି ଡଙ୍ଗା, ଟ୍ରଲର ଆଦି ଚଳାଚଳ ପାଇଁ ଅନୁମତି ଦିଆଯାଇନାହିଁ । ସମୁଦ୍ରକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଟ୍ରଲର ଚଳାଚଳ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ହେଲେ କେତେକ ଟ୍ରଲର ଚାଳକ ଏହି ନିୟମ ଉଲଘଂନ କରି ନିଷିଦ୍ଧ ଅଞ୍ଚଳରେ ମାଛ ମାରୁଥିବାରୁ ଅନେକ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହେଉଛି । ଏନେଇ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ ସଠିକ ଭାବରେ ସମୁଦ୍ର ଭିତରେ ପେଟ୍ରଲିଂ କରୁନଥିବା ହେତୁ ଅଲିଭ ରିଡ଼ଲେ ଅସମୟରେ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହେଉଛି ।