ରାଖିପୂର୍ଣ୍ଣିମାରେ ବିରଳ ଘଟଣା, ବଦଳିଯିବ ଜହ୍ନ

ରାଖିପୂର୍ଣ୍ଣିମାରେ ଦେଖାଯିବ ବିରଳ ଘଟଣା। ବଦଳିଯିବ ଆକାଶରେ ଜହ୍ନ।ସାଧାରଣ ପୂର୍ଣ୍ଣିମା ଜହ୍ନଠାରୁ ଏହା ୨୫ପ୍ରତିଶତ ଉଜ୍ଜ୍ୱଳ ଓ ୧୦ପ୍ରତିଶତ ବଡ ଦେଖାଯିବ। ଆକାଶ ମେଘମୁକ୍ତ ରହିଲେ ଏହା ଖାଲି ଆଖିରେ ଦେଖି ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ପୂର୍ବତନ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ଚନ୍ଦ୍ର ପୃଥିବୀର ୯୦ ପ୍ରତିଶତ ନିକଟତର ହେଲେ ଏହାକୁ ସୁପରମୁନ୍ କୁହାଯାଏ । ଚଳିତବର୍ଷ ଅଗଷ୍ଟ ୧୯ ତାରିଖରେ ଅର୍ଥାତ୍ ଆଜି ବ୍ଲୁ ସୁପର ମୁନ୍ ଆକାଶରେ ଦୃଶ୍ୟମାନ ହେବ ।

ସେହିପରି ସେପ୍ଟେମ୍ବର ୧୭, ଅକ୍ଟୋବର ୧୭ ଏବଂ ନଭେମ୍ବର ୧୫ରେ ଉଜ୍ଜ୍ବଳ ଏବଂ ଆକାରରେ ବଡ଼ ସୁପରମୁନ୍ ଦେଖାଯିବ । ଚଳିତ ବର୍ଷରେ ପ୍ରଥମ ସୁପର-ମୁନ୍ ଜୁନ ୨୨ରେ ଦେଖାଯାଇଥିଲା, ପରେ ଜୁଲାଇ ୨୧ରେ ଏବଂ ତୃତୀୟ ପୂର୍ଣ୍ଣ ଚନ୍ଦ୍ର ଅଗଷ୍ଟ ୧୯ ତାରିଖର ଅର୍ଥାତ୍ ଆଜି ଦୃଶ୍ୟମାନ ହେବ । ପୃଥିବୀ ଚାରିପଟେ ଘୂରିବୁଲୁଥିବା ବେଳେ ଚନ୍ଦ୍ର ବେଳେବେଳେ ପୃଥିବୀର ନିକଟତର ହୋଇଥାଏ। ପୁଣି ବେଳେବେଳେ ଏହା ପୃଥିବୀଠାରୁ ଦୂରେଇ ଯାଇଥାଏ । ଯେତେବେଳେ ଏହା ପୃଥିବୀର ଅଧିକ ନିକଟବର୍ତ୍ତୀ ହୋଇଯାଏ ସେତେବେଳେ ଚନ୍ଦ୍ର ୩୦ ପ୍ରତିଶତ ବଡ଼ ଓ ଉଜ୍ଜଳ ଦେଖାଯାଏ । ତାହାକୁ ସୁପରମୁନ କୁହାଯାଏ ।