ଶ୍ରୀରାଧା ତତ୍ତ୍ଵ ଓ ଅଁଳା ନବମୀ ।।
ଦ୍ଵାରିକାଧୀଶ ଶ୍ରୀକୃଷ୍ଣ ଙ୍କ ଅଷ୍ଟ ପାଟମହିଷୀଙ୍କ ଅନୁରୋଧରେ ମା ରୋହିଣୀ ଛଳଛଳ ଆଖିରେ କୃଷ୍ଣ ଙ୍କ ବ୍ରଜ ଲୀଳା ବର୍ଣ୍ଣନା କରୁଛନ୍ତି, ସରଲବଣି ଚୋରି ଠାରୁ ରାସଲୀଳା ପର୍ଯ୍ୟନ୍ତ।ଦୈହିକ କାମନା ବାସନାର ଉର୍ଦ୍ଧ୍ବରେ ଅପ୍ରାକୃତ ପ୍ରେମ ପୂଜାରିଣୀ ଶ୍ରୀରାଧାଙ୍କ ଚିନ୍ତା ଚେତନା ଆଉ ଅବୁଝା ନଥିଲା ଅଷ୍ଟ ପାଟମହିଷୀଙ୍କର।ସମସ୍ତଙ୍କ ଅଗୋଚରରେ ପରମ ପ୍ରେମମୟ ଶ୍ରୀକୃଷ୍ଣ, ଜ୍ୟେଷ୍ଠ ଭ୍ରାତା ବଳଭଦ୍ର ଓ ଭଉଣୀ ସୁଭଦ୍ରା, ଶ୍ରୀରାଧା ଓ ଗୋପାଙ୍ଗନା ମାନଙ୍କର ଅପ୍ରାକୃତ ପ୍ରେମ ଗାଥା ଶ୍ରବଣ କରି ଏତେ ଆତ୍ମବିଭୋର ହୋଇଗଲେ ଯେ ସେମାନଙ୍କ ଅଙ୍ଗ ବିଗଳିତ ହେବାକୁ ଲାଗିଲା। ନାରଦ ମହର୍ଷି ସଙ୍ଗେ ସଙ୍ଗେ ଉପସ୍ଥିତ ହୋଇ କରଯୋଡି ଏହି ବିଗଳିତ ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେବାକୁ ନିବେଦନ କଲେ।ଭକ୍ତ ବତ୍ସଳ ଶ୍ରୀକୃଷ୍ଣ, ନାରଦମୁନି ଙ୍କୁ କଳିଯୁଗରେ ନୀଳାଚଳ ଧାମରେ ଏହି ଭଳି ହସ୍ତ ପାଦ ବିହିନ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେବାକୁ ଆଶ୍ଵାସନା ଦେଲେ।
“ରାଧା ବୋଲି ଅଟେ ଯେଉଁ ଦିଓଟି ଅକ୍ଷର
ସମାନ ନୁହଁଇ ତାଙ୍କୁ ଚତୁର୍ଦ୍ଦଶ ପୁର।
ରାଧା ନାମେ ଗଙ୍ଗା ଯାଏ ତିନିପୁରେ ବହି
ରାଧା ନାମେ ଚନ୍ଦ୍ର ସୂର୍ଯ୍ୟ ଆତଯାତ ହୋଇ।”
(ଚିତ୍ତବିନୋଦ)
ତେୟାଳିଶ ପଟଳ ରେ ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି,
“ଶ୍ରୀକୃଷ୍ଣ ଜଗନ୍ନାଥ ସେହି
ପରମାନନ୍ଦ ସେ ବୋଲାଇ।”
ବଳରାମ ଦାସଙ୍କ ବେଦସାର ଗୁପ୍ତ ଗୀତା ରେ,
“ଏଣୁ ଏ ଜଗନ୍ନାଥ କୃଷ୍ଣ।
ଅଭିନ୍ନ ଅଟନ୍ତି ଅର୍ଜୁନ।।”
ଶ୍ରୀଚୈତନ୍ୟ ମହାପ୍ରଭୁ, ପଞ୍ଚଗୋସ୍ଵାମୀ ସଖା ମାନଙ୍କ ଆଗରେ ଶ୍ରୀଜଗନ୍ନାଥଙ୍କୁ ଶ୍ରୀରାଧାକୃଷ୍ଣ ଙ୍କ ପ୍ରେମମୟ ସ୍ଵରୂପ ଭାବେ ବର୍ଣ୍ଣନା କରି ଭାବ ବିହ୍ଵଳିତ ହୋଇ ନୃତ୍ୟ କରନ୍ତି।ଜଗତ୍ ଗୁରୁ ଶଙ୍କରାଚାର୍ଯ୍ୟ, ଜଗନ୍ନାଥାଷ୍ଟକଂ ର ଷଷ୍ଠ ପଦରେ ଶ୍ରୀଜଗନ୍ନାଥଙ୍କୁ ରାଧା ଓ କୃଷ୍ଣ ଙ୍କ ସମ୍ମିଳିତ ବିଗ୍ରହ ଭାବେ ବର୍ଣ୍ଣନା କରିଛନ୍ତି।
ଅତିବଡ଼ି ଜଗନ୍ନାଥ ଦାସଙ୍କ ତୁଳାଭିଣା ରେ,
“ନାସିକା ଏ ବେନି ପୁଡାରେ।
ରାଧିକାକୃଷ୍ଣ ସହିତରେ।।
ଦ୍ଵାଦଶ ବୃନ୍ଦାବନ ଏହି।
କେଳି କରନ୍ତି କୃଷ୍ଣ ରହି।।”
ମହାପୁରୁଷ ଅଚ୍ୟୁତାନନ୍ଦ ଗାଇ ଉଠିଥିଲେ,
“ଆଖିକୁ ଆଖିରେ ଦେଖରେ ବାବୁ
ଆଖି ସେବିଲେ ଚକା ଆଖି ପାଇବୁ।”
ଜଗନ୍ନାଥ ପରୀକ୍ଷାରେ,
“ଯେ ଆତ୍ମାରୂପୀ ଜଗନ୍ନାଥ
ତାଙ୍କ ସେବାରେ ଦିଅ ଚିତ୍ତ।
ମାଗନ୍ତି ନାହିଁ ଟଙ୍କା ଧନ
ମାଗୁଛନ୍ତି କେବଳ ମନ।
ଯେ ଶୁଦ୍ଧ ଚିତ୍ତେ ସେବା କରେ
ସୁଗ୍ରାହ୍ଯ ହୁଏ ତାଙ୍କଠାରେ।”
କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କ ବିଦଗ୍ଧ ଚିନ୍ତାମଣିର ପ୍ରଥମ ଛାନ୍ଦ, ମଙ୍ଗଳାଚରଣମ୍ ରେ “ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି।
ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରି ହେ।”
ତାତ୍ତ୍ଵିକ ଅର୍ଥରେ ରାଧା ଓ କୃଷ୍ଣ ହେଉଛନ୍ତି ଯଥାକ୍ରମେ ଆତ୍ମା ଓ ପରମାତ୍ମା। ତେଣୁ ସ୍ଵାଭାବିକ ଭାବେ ପରମାତ୍ମାଙ୍କ ସହ ମିଳିତ ହେବା ପାଇଁ ଆତ୍ମା ସର୍ବଦା ବ୍ୟାକୁଳ।ଶାସ୍ତ୍ର ମତରେ ‘ର’ ହେଉଛି ଅଗ୍ନି ବୀଜ ଏବଂ ଏହା ମୁକ୍ତିଲାଭ ପାଇଁ ଭଗବାନ ଙ୍କ ଆଡ଼କୁ ଧାବମାନ ହେଉଛି। ତେଣୁ ‘ରାଧା’ ଭାବ ହେଉଛି ଶ୍ରୀକୃଷ୍ଣ ଙ୍କ ଆରାଧନାର ପ୍ରକୃଷ୍ଟ ମାର୍ଗ।ବ୍ରହ୍ମବୈବର୍ତ୍ତ ପୁରାଣ ମତେ ଶ୍ରୀରାଧା ଅଯୋନି ସମ୍ଭୁତା। ସାମନ୍ତ ରାଜ ବୃଷଭାନୁଙ୍କ ପତ୍ନୀ କୀର୍ତ୍ତିଦା ପୁଷ୍କରିଣୀରେ ସ୍ନାନ କରୁଥିବା ସମୟରେ ଏକ ସଦ୍ୟ ପ୍ରସ୍ଫୁଟିତ କଇଁ ଫୁଲ ଉପରେ ସୁନ୍ଦର ଶିଶୁ କନ୍ୟା ଟିଏ ଶୋଇଥିବା ଦେଖି ବିସ୍ମିତ ହେଲେ। ସେହି ଚକ୍ଷୁ ମୁଦ୍ରିତ ଶିଶୁଟିକୁ ତୋଳି ଧରି ନିଜ ଗୃହକୁ ନେଇ ଆସିଲେ। ତିନି ଦିନ ପର୍ଯ୍ୟନ୍ତ ମୁଦ୍ରିତ ଚକ୍ଷୁ ଯଶୋଦା ଙ୍କ କୋଳରେ ବାଳୁତ କୃଷ୍ଣଚନ୍ଦ୍ର ଙ୍କ ପ୍ରଥମ ଦର୍ଶନ ପାଇବା ପରେ ହିଁ ଖୋଲିଯାଇଥିଲା। ଶ୍ରୀରାଧାଙ୍କ ବାଲ୍ୟ କାଳ ପିତ୍ରାଳୟ ବରସାନା ବା ଯାବଟ ଗ୍ରାମରେ କଟିଥିଲା। କିଶୋରୀ ଶ୍ରୀରାଧାଙ୍କୁ ଚନ୍ଦ୍ରସେଣା ଯାଦବଙ୍କ ସହ ବିବାହ କରେଇ ଦିଆଯାଇଥିଲା। ତାଙ୍କର ଶାଶୁଙ୍କ ନାମ ଜଟିଳା ଓ ନଣନ୍ଦଙ୍କ ନାମ କୁଟିଳା।ଚନ୍ଦ୍ରସେଣା ଥିଲେ ନପୁଂସକ। କୃଷ୍ଣ ପ୍ରେମରେ ବାତୁଳୀ ଶ୍ରୀରାଧା,ଶାଶୁ ନଣନ୍ଦ ଓ ସମାଜର ନିନ୍ଦା ଅପବାଦ କାହାରିକୁ ଭ୍ରୂକ୍ଷେପ ନକରି ଶ୍ରୀକୃଷ୍ଣ ଙ୍କ ପଦ୍ମ ପାଦରେ ସମର୍ପିତ କରିଥିଲେ ନିଜକୁ।ବୃନ୍ଦାବନ ମହାରାସର ମୂଖ୍ଯ ନାୟିକା ରାଇ ବିନୋଦିନୀ ଶ୍ରୀରାଧାଙ୍କ ଲଲାଟରେ ଲାଗିଥିଲା ଅପବାଦ। ବୈଷ୍ଣବ ମାନଙ୍କ ସାହିତ୍ୟରେ ଶ୍ରୀରାଧା ହିଁ କଣା ମାଠିଆରେ ପାଣି ଓ ପଦଧୂଳି ଦେଇ ଶ୍ରୀକୃଷ୍ଣ ଙ୍କ ରୋଗର ଉପଶମ କରିଥିବାରୁ ଶ୍ରୀରାଧାଙ୍କ ଶ୍ରେଷ୍ଠତା ପ୍ରତିପାଦିତ ହୁଏ।
ବୈଷ୍ଣବ ମତବାଦର ରାଧାରାଣୀ ସର୍ବଦା କୃଷ୍ଣଙ୍କ ସହିତ ପୂଜିତା ହୁଅନ୍ତି। ଗୈାଡୀୟ ବୈଷ୍ଣବ ମାନଙ୍କ ମତରେ ସେ ହେଉଛନ୍ତି ଆଦିଶକ୍ତି। ସେମାନଙ୍କ ମତରେ ‘ଆରାଧୟତି ଇତି ରାଧା’। ସେମାନଙ୍କ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଙ୍କ ବାମଭାଗରୁ ଅପରୂପ ସୌନ୍ଦର୍ଯ୍ୟ ସମ୍ପନ୍ନା ସୈାଭାଗ୍ୟ ଦାୟିନୀ ମହାଲକ୍ଷ୍ମୀ ଉତ୍ପତ୍ତି ହୋଇଥିଲେ। ଶ୍ରୀକୃଷ୍ଣଙ୍କ ଦକ୍ଷିଣ ଭାଗରୁ ପ୍ରେମମୟୀ ଶ୍ରୀରାଧାଙ୍କ ଉତ୍ପତ୍ତି ହୋଇଥିଲା। ଚତୁର୍ଭୁଜ ନାରାୟଣ ଲକ୍ଷ୍ମୀଙ୍କୁ ଗ୍ରହଣ କରିଥିବାରୁ ତାଙ୍କ ନାମ ଲକ୍ଷ୍ମୀକାନ୍ତ। ଲକ୍ଷ୍ମୀ ନାରାୟଣ ବ୍ରତ ପାଳନ ଆମ ସଂସ୍କୃତିର ଏକ ଅଂଶ। ଶ୍ରୀକୃଷ୍ଣ ପ୍ରେମମୟୀ ଶ୍ରୀରାଧାଙ୍କ ସହ ବୃନ୍ଦାବନରେ ରାସ ରଚନା କରିଥିବାରୁ ରାଧାକାନ୍ତ ରୂପେ ପୂଜା ପାଆନ୍ତି।
ବ୍ରହ୍ମ ବୈବର୍ତ୍ତ ପୁରାଣ ଓ ଗୀତଗୋବିନ୍ଦ କାବ୍ୟ ଅନୁସାରେ ରାଧା ହେଉଛନ୍ତି ଶ୍ରୀକୃଷ୍ଣ ଙ୍କ ପ୍ରେମିକା ଓ ବାଲ୍ୟ ସଖି। ଭାଦ୍ରବ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀରାଧାଙ୍କ ଜନ୍ମୋତ୍ସବ ପବିତ୍ର ରାଧାଷ୍ଟମୀ ଭାବେ ପାଳିତ ହୁଏ ଏବଂ ଭକ୍ତମାନେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା କରିଥାନ୍ତି। କଳିଯୁଗରେ ଶ୍ରୀରାଧା ସତ୍ୟବାଦୀ ଠାରେ ଜନ୍ମ ଗ୍ରହଣ କରିଥିଲେ ବୋଲି କିମ୍ବଦନ୍ତୀ କୁହେ। ଶ୍ରୀମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିରରେ ରାଧାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳନ କରାଯାଏ। ଅଁଳା ନବମୀ ତିଥିରେ ରାଧା ପାଦ ଦର୍ଶନ କରି ଭକ୍ତମାନେ କୃତାର୍ଥ ହୁଅନ୍ତି।
କେତେକଙ୍କ ମତରେ ଶ୍ରୀରାଧା ହେଉଛନ୍ତି ସୂର୍ଯ୍ୟ ପୁତ୍ରୀ। ଦିନେ ନାରଦ ଶ୍ରୀକୃଷ୍ଣଙ୍କ ଶ୍ରୀମୁଖ ରୁ ଶ୍ରୀରାଧାଙ୍କ ଜନ୍ମ ବୃତ୍ତାନ୍ତ ଜିଜ୍ଞାସା କରିବାରୁ ଶ୍ରୀକୃଷ୍ଣ ଦେବର୍ଷି ନାରଦ ଙ୍କୁ ରାଧାଷ୍ଟମୀ ବ୍ରତ ସମ୍ପର୍କରେ କହିଥିଲେ। ଏକଦା ସୂର୍ଯ୍ୟଦେବଙ୍କ ମନରେ ତପସ୍ୟା କରିବାର ଇଚ୍ଛା ବଳବତ୍ତର ହେବାରୁ ସେ ମନ୍ଦର ପର୍ବତ ଗୁହା ରେ କଠୋର ତପସ୍ୟାରେ ମଗ୍ନ ହେଲେ। ଫଳରେ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେଲା। ଦେବତା ମାନେ ପ୍ରମାଦ ଗଣିଲେ।ଇନ୍ଦ୍ର ଆଦି ଦେବତାଗଣ ଭଗବାନ ବିଷ୍ଣୁ ଙ୍କୁ ସୃଷ୍ଟି ରକ୍ଷା ନିମନ୍ତେ ପ୍ରାର୍ଥନା କଲେ। ଭଗବାନ ବିଷ୍ଣୁ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ ଦେଇ କହିଲେ ଯେ ସେ ତପସ୍ୟାରେ ସିଦ୍ଧିଲାଭ କରିଛନ୍ତି, ତେଣୁ ବର ପ୍ରାର୍ଥନା କରିବାକୁ କହିଲେ। ସୂର୍ଯ୍ୟଦେବ ବର ସ୍ଵରୁପ ସେ ଏକ ଗୁଣବତୀ କନ୍ୟାର ପିତା ହେବା ସହିତ ସେହି କନ୍ୟା ପ୍ରତି ଭଗବାନ ବିଷ୍ଣୁ ସର୍ବଦା ବଶୀଭୂତ ରହିବାକୁ ସମ୍ମତି ମାଗିଲେ। ଭଗବାନ ବିଷ୍ଣୁ ତଥାସ୍ତୁ କହିଲେ।
ସେହି ଅନୁଯାୟୀ ଦ୍ଵାପର ଯୁଗରେ ସୂର୍ଯ୍ୟଦେବ ବୃଷଭାନୁ ରୂପେ ଜନ୍ମଗ୍ରହଣ କରିଥିଲେ।ଯଥା ସମୟରେ ଗୋପାଳୁଣୀ କୀର୍ତ୍ତିଦା ଙ୍କୁ ବିବାହ କରିଥିଲେ। ଭାଦ୍ରବ ଶୁକ୍ଳ ଅଷ୍ଟମୀ ତିଥିରେ ବିଶାଖା ନକ୍ଷତ୍ର ରେ କୀର୍ତ୍ତିଦା ଙ୍କ ଗର୍ଭରୁ ଶ୍ରୀରାଧାଙ୍କ ଜନ୍ମ।ସମୟ କ୍ରମେ ନପୁଂସକ ଚନ୍ଦ୍ରସେଣାଙ୍କୁ ବିବାହ କରିଥିଲେ କିନ୍ତୁ ଶ୍ରୀରାଧା ପରମ ପୁରୁଷ ଜ୍ଞାନରେ ଶ୍ରୀକୃଷ୍ଣ ଙ୍କ ସହ ବିହାର କଲେ। ଭଗବାନ ବିଷ୍ଣୁ, ଦେବର୍ଷି ନାରଦ ଙ୍କୁ କହିଲେ, ଶ୍ରୀରାଧା ଓ ତାଙ୍କ ମଧ୍ୟରେ କିଛି ପ୍ରଭେଦ ନାହିଁ। ତେଣୁ ଶ୍ରୀରାଧା ଙ୍କ ଜନ୍ମ ଦିନ ରେ ଶ୍ରୀରାଧାଷ୍ଟମୀ ବ୍ରତ ପାଳନ କଲେ ଭଗବାନ ବିଷ୍ଣୁ ଙ୍କ କୃପା ଲାଭ ହୁଏ।ଶ୍ରୀରାଧା ଙ୍କ ନାଁ ଉଚ୍ଚାରଣରେ ସମସ୍ତ ପାପ କ୍ଷୟ ହେବା ସାଙ୍ଗକୁ ମନୁଷ୍ୟ ମୁକ୍ତି ପ୍ରାପ୍ତ ହୋଇ ଭଗବାନ ବିଷ୍ଣୁ ଙ୍କ ନିକଟତର ହୁଏ ବୋଲି ବିଶ୍ବାସ ରହିଛି।
ଅଁଳା ନବମୀରେ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ କରି କୃତାର୍ଥ ହୁଅନ୍ତି ଭକ୍ତ ଗଣ। ମା ଶ୍ରୀରାଧାଙ୍କ ପାଦ ଦର୍ଶନ କରିବାକୁ ଭକ୍ତ ମାନେ ବ୍ଯାକୁଳିତ ହୋଇ ପଡନ୍ତି। ଓଡ଼ିଆ ଘରର ବୋହୂ ମାନେ ଅଁଳା ନବମୀରେ ଅଁଳା ଗଛକୁ ପୂଜା କରି ସେହି ଗଛରେ ସିନ୍ଦୂର ଲଗାଇ ପତାକା ବାନ୍ଧନ୍ତି। ଅଁଳା ନବମୀକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ। ଅଁଳା ଗଛରେ ଭଗବାନ ବିଷ୍ଣୁ ରହନ୍ତି ବୋଲି କୁହାଯାଏ। ତେଣୁ ଅଁଳା ଗଛକୁ ପୂଜା କରି ଏହାକୁ ପରିକ୍ରମା କରାଯାଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଜା ଶ୍ରୀ ସିଦ୍ଧ ବଳରାମ ଦେବଙ୍କ ମନ୍ଦିର ବେଢ଼ାରେ ଥିବା ଅଁଳା ଗଛକୁ ପୂଜା କରିବା ସହିତ ହବିଷ୍ଯାଳୀମାନେ ମା ଜଗଦ୍ଧାତ୍ରୀଙ୍କ ପୂଜା କରନ୍ତି।ମଙ୍ଗଳ ଆଳତୀ ଓ ଅବକାଶ ପରେ ରାଧାରାଣୀଙ୍କୁ ଖଣ୍ଡୁଆ ପାଟବସ୍ତ୍ର ସହ କିରୀଟ, ପାଉଁଜି,ଝୁଣ୍ଟିଆ,କୁଣ୍ଣଳ,ଚାପସରିହାର,ନୋଥ,ଗୁଣା, ଅଁଳା ହାର ଲାଗି କରାଯାଇ ଓ ସାକ୍ଷୀଗୋପାଳଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇ ତାଙ୍କ ମସ୍ତକରେ ସ୍ଵର୍ଣ୍ଣ କିରୀଟ, ହାତରେ ସୁବର୍ଣ୍ଣ ବଂଶୀ ସହିତ ନଟବର ବେଶରେ ସୁସଜ୍ଜିତ କରାଯାଇଥିବାରୁ ରାଧା ଦାମୋଦର ବେଶ, ଭକ୍ତ ମାନଙ୍କ ନିମନ୍ତେ ଅତ୍ୟନ୍ତ ମନୋମୁଗ୍ଧକର ହୋଇଥାଏ, ଯାହାକୁ ଥରେ ଦର୍ଶନ କଲେ ଜୀବନ ଧନ୍ୟ ହୋଇଯାଏ। ପ୍ରଭୁ ସାକ୍ଷୀଗୋପାଳ ଉତ୍ତର ଭାରତରୁ ଆସିଥିବାରୁ ମାଆ ରାଧାରାଣୀଙ୍କ ପାଦ ଅଁଳା ନବମୀ ବ୍ୟତୀତ ବର୍ଷ ସାରା ପିନ୍ଧା ଲୁଗାରେ ଲୁଚି ରହିଥାଏ। କେବଳ ଅଁଳା ନବମୀରେ ମା ରାଧାରାଣୀ ଓଡ଼ିଆଣୀ ବେଶରେ କାଣିଆ କଛା ମାରୁଥିବାରୁ ତାଙ୍କ ପାଦ ଉପରକୁ ଲୁଗା ରହେ। ତେଣୁ ଭକ୍ତ ମାନେ ଓଡିଆଣୀ ବେଶରେ ମା ରାଧାରାଣୀଙ୍କ ପାଦ ଦ୍ଵୟ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ଓ ନେତ୍ର ଯୁଗଳ ପବିତ୍ର କରିଥାନ୍ତି।
ଜୟ ଶ୍ରୀରାଧା ଦାମୋଦର,
ଆଲେଖ୍ୟ:: ବାବାଜୀ ଚରଣ ଦାସ।
ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୭୫୧୦୧୯