ମହାଲକ୍ଷ୍ମୀଙ୍କ ସୁଦଶା ବ୍ରତ ମାହାତ୍ମ୍ଯ ।।

ଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟଇ ଏହି ବ୍ରତ।
ଏହା କହି ପରାଶର ହେଲେ ମୌନବ୍ରତ।”
ଲକ୍ଷ୍ମୀପୁରାଣ ଓଡ଼ିଆ ସାହିତ୍ୟର ଏକ ଅମୂଲ୍ୟ ଗ୍ରନ୍ଥ।
ଶୁକ୍ଳ ପକ୍ଷ ଦଶମୀ ତିଥି ଗୁରୁବାର ସୁଦଶା ବ୍ରତରେ
ଦଶ ପାଖୁଡ଼ା ପଦ୍ମ,ଦଶବର୍ଣ୍ଣ ମୁରୁଜ,ଦଶମୁଖି ଦୀପ,ଦଶମୁଠି ଚାଉଳ,ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡା, ଦଶମେଞ୍ଚା ହଳଦୀରେ
ମା ଲକ୍ଷ୍ମୀ ଠାକୁରାଣୀଙ୍କ ଦଶନାମ ଲକ୍ଷ୍ମୀ ନାରାୟଣୀ, କମଳିନୀ,ଶ୍ରୀହରିପ୍ରିୟା, ପଦ୍ମାଳୟା,କମଳା, ଚଞ୍ଚଳା,ବିଘ୍ନସେନୀ,ସିନ୍ଧୁର ଦୁଲଣୀ, ଦୁର୍ଗତି ନାଶିନୀ, ବିଷ୍ଣୁ ପାଟରାଣୀ,
ସୁମରଣା କରି ଦଶଖିଅ ଧଳାସୁତାର ବ୍ରତ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ନାରୀମାନେ ବାହୁରେ ଧାରଣ କରନ୍ତି।

ବୈଷ୍ଣବ ମତବାଦର ରାମାନୁଜାଚାର୍ଯ୍ଯଙ୍କ ପ୍ରତିଷ୍ଠିତ ଏକ ସମ୍ପ୍ରଦାୟ ଶ୍ରୀସମ୍ପ୍ରଦାୟର ଉପାସ୍ୟ ଦେବୀ ଦେବତା ହେଉଛନ୍ତି ଲକ୍ଷ୍ମୀ ନାରାୟଣ। ଦଧିନଉତି ରେ ଶୋଭିତ ଚିତା ହେଉଛି ରାମାନୁଜୀ ଚିତା।
ମହାଭାରତ ଅନୁଶାସନ ପର୍ବ ଅନୁସାରେ ଶାନ୍ତ ସ୍ଵଭାବ ଗାଈମାନଙ୍କୁ ମା ଲକ୍ଷ୍ମୀ ବର ଦେଇଥିଲେ। ଗାଈମାନଙ୍କର ଗୋବର ପବିତ୍ର ଓ ସମୃଦ୍ଧିବନ୍ତ। ଯେଉଁ ସ୍ଥାନ ଗୋବରରେ ଲିପା ପୋଛା ହୋଇଥାଏ, ତାହା ଶୁଚିବନ୍ତ, ସେଠାରେ ମହାଲକ୍ଷ୍ମୀ ଆଗ୍ରହ ପ୍ରକାଶ କରନ୍ତି।ଗୋବର ଓ ରଙ୍ଗମାଟିରେ ସୁନ୍ଦର ଭାବରେ ଘରଦ୍ୱାର ଲିପାପୋଛା କରି ଚତୁଃପାର୍ଶ୍ଵରେ ଝୋଟି ଚିତା ସହ ବିବିଧ ଚିତ୍ର ଅଙ୍କନ କରିବା ସହିତ ଦ୍ଵାରରେ କଦଳୀ ଗଛ ଓ ପୂର୍ଣ୍ଣକୁମ୍ଭ ସ୍ଥାପନ କରି ଅତି ପ୍ରତ୍ୟୁଷରୁ ମହାଲକ୍ଷ୍ମୀଙ୍କର ଆବାହନ କରାଯାଏ।
ଶ୍ରୀୟାର ପରିସ୍କାର ପରିଚ୍ଛନ୍ନତା ଓ ଶୁଚିମନ୍ତ ଆଚରଣ ଯୋଗୁଁ ସେ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ସକ୍ଷମ ହୋଇଥିଲେ। ମହାଲକ୍ଷ୍ମୀ ସାଧବାଣୀ କୁ ଚେତାବନୀ ଦେଇଥିଲେ,
“ଆଜି ପରା ମାର୍ଗଶିର ମାସ ଗୁରୁବାର
ଲିପାପୋଛା କରିନାହୁଁ ଘରଦ୍ୱାର ତୋର।”
ଆଜିର ସିମେଣ୍ଟ ତିଆରି ପକ୍କା ଘର ମାନଙ୍କରେ ଗୋବର ଲିପାପୋଛା ନଥିଲେ ମଧ୍ୟ ବିଧି ରକ୍ଷା ପାଇଁ ଆସ୍ଥାନ ନିକଟରେ ଗୋବରରେ ଲିପାପୋଛା କରାଯାଉଛି।ମାଣ ଗୈାଣିର ବ୍ୟବହାର ଓ ଝୋଟି ଚିତ୍ର ଅଙ୍କନ ମଧ୍ୟ ଆମର ପରମ୍ପରାର ନିଦର୍ଶନ ରୂପେ ଏବେବି ଗାଁ ମାନଙ୍କରେ ପ୍ରଚଳିତ।
ପ୍ରତ୍ନତତ୍ତ୍ଵ ପ୍ରମାଣ ମତେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ବେଳକୁ ଓଡ଼ିଶାରେ ଲକ୍ଷ୍ମୀ ପୂଜାର ସୁମହାନ ପ୍ରଥା ପ୍ରଚଳିତ ହୋଇ ସାରିଲାଣି। ଭୁବନେଶ୍ବର ଖଣ୍ଡଗିରି ଗୁମ୍ଫା ପର୍ଶୁରାମେଶ୍ଵର ମନ୍ଦିରରେ ଖୋଦିତ ଲକ୍ଷ୍ମୀ ମୂର୍ତ୍ତି, ପୁରୀ ଶ୍ରୀମନ୍ଦିର ବେଢାରେ ଥିବା ମହାଲକ୍ଷ୍ମୀ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଖୋଦିତ ଶିଳାରେ ଲକ୍ଷ୍ମୀ ମୂର୍ତ୍ତି, ଆବାହମାନ କାଳରୁ ଉତ୍କଳରେ ଚଳି ଆସୁଥିବା ଲକ୍ଷ୍ମୀ ପୂଜା ପରମ୍ପରାର ସୂଚନା ଦିଏ। ଓଡ଼ିଆ ଜାତିର ଚିର ଆରାଧ୍ୟା ଦେବୀ ମହାଲକ୍ଷ୍ମୀଙ୍କର ଆଶୀର୍ବାଦ ନେଇ ସାଧବ ପୁଅମାନେ ଉତ୍କଳକୁ ସମୃଦ୍ଧଶାଳୀ ଓ ବିଭବଶାଳୀ କରିଥିଲେ।
ମହାଲକ୍ଷ୍ମୀ ଜଗତର ନିୟନ୍ତା ପରମ ପୁରୁଷ ଭଗବାନ ବିଷ୍ଣଙ୍କ ସହିତ ବହୁ କାଳରୁ ପୂଜା ପାଆନ୍ତି ବୋଲି ଜଣାଯାଏ।
ଯୁଗେ ଯୁଗେ ମା ଲକ୍ଷ୍ମୀ ଠାକୁରାଣୀ ଜଗତ ମାତା ରୂପେ ପୂଜା ପାଉଛନ୍ତି।ସେ ଭଗବାନ ବିଷ୍ଣୁଙ୍କର ପରାଶକ୍ତି।ସେ ବ୍ଯକ୍ତ-ଅବ୍ଯକ୍ତ, ଦୃଶ୍ୟ-ଅଦୃଶ୍ଯର ସ୍ଵରୁପ ସଚ୍ଚିଦାନନ୍ଦମୟୀ,ପରମେଶ୍ଵରୀ।
ବୈକୁଣ୍ଠର ଅଧିପତି ଭଗବାନ ବିଷ୍ଣୁ ମହାଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥିଲେ।ତାଙ୍କ ଆଦର୍ଶରେ ଦେବତା, ଗନ୍ଧର୍ବ, ମୁନି ଋଷି, ମର୍ତ୍ତ୍ୟଲୋକରେ ନରପତି ଗଣ, ପାତାଳରେ ନାଗଲୋକ ମାନେ ମାଆ ଲକ୍ଷ୍ମୀଙ୍କୁ ପୂଜା କରିଥିଲେ।ବେଦପତି ବ୍ରହ୍ମା ଭାଦ୍ରବ ମାସ ଶୁକ୍ଳ ଅଷ୍ଟମୀରେ ପୂଜା ଆରମ୍ଭ କରିଥିଲେ। ମଙ୍ଗଳ ନୃପତି ମହାଲକ୍ଷ୍ମୀଙ୍କ ପୂଜା କରି ପୃଥିବୀର ଅଧିପତି ହୋଇ ଥିବାରୁ ଦେବୀ ଲକ୍ଷ୍ମୀ ସର୍ବମଙ୍ଗଳା ନାମରେ ଖ୍ୟାତ ହେଲେ। ପୈାଷ ମାସ ସଂକ୍ରାନ୍ତିରେ ନରପତି ମନୁ ଲକ୍ଷ୍ମୀଙ୍କୁ ପୂଜା କରି ଚକ୍ରବର୍ତ୍ତୀ ହୋଇ ଥିବାର ଜଣାଯାଏ।
ଶୁକ୍ଳ ଏକାଦଶୀ ତିଥି ଗୁରୁବାରରେ ପଡ଼ିଲେ ସେଦିନ ଲକ୍ଷ୍ମୀ ନାରାୟଣ ପୂଜା ହୁଏ। ଶୁକ୍ଳ ପଞ୍ଚମୀ ତିଥି ଯଦି ଗୁରୁବାରରେ ପଡ଼େ, ତେବେ ସେଦିନ ପଞ୍ଚମୀ ବ୍ରତରେ ଲକ୍ଷ୍ମୀ ପୂଜା ହୁଏ।
ଜୟ ଜୟ ମହାଲକ୍ଷ୍ମୀ କରୁଛି ଦୟନୀ
କ୍ଷେତ୍ର ବିହାରିଣୀ ମା’ଗୋ ଜଗତଜନନୀ।
ବିପଦଭଞ୍ଜନୀ ମା’ଗୋ ଅଭୟ ଦାୟିନୀ
ଜୟ ଜୟ ମହାଲକ୍ଷ୍ମୀ ବୈକୁଣ୍ଠ ବାସିନୀ।
ତୁମ ଶ୍ରୀପଦରେ ମା’ଗୋ କରିଛି ଭରସା
ନିଶ୍ଚେ ଉଦ୍ଧରିବ ବୋଲି କରିଅଛି ଆଶା।
ଜୟ ଜୟ ମହାଲକ୍ଷ୍ମୀ ସଙ୍କଟ ନାଶିନୀ
ଜୟ ଜୟ ମହାଲକ୍ଷ୍ମୀ ବିପଦ ଭଞ୍ଜନୀ।ପୁରୁଷର ଦର୍ପମୟ ଆସ୍ପର୍ଦ୍ଧା ଆଗରେ ନାରୀର ଶାନ୍ତ, ସୁନ୍ଦର ଓ ସ୍ନେହ ସ୍ନିଗ୍ଧ ଶକ୍ତିର ଉତ୍କର୍ଷ ପ୍ରମାଣ କରାଯାଇଛି ଲକ୍ଷ୍ମୀ ପୁରାଣରେ।।
ଜଗନ୍ନାଥ ଓ ଲକ୍ଷ୍ମୀ ଙ୍କ ମଧ୍ୟରେ କଥୋପକଥନ ମାଧ୍ୟମରେ ବଳରାମ ଦାସ ସମାଜରୁ ଭେଦଭାବ ଦୁର କରିବାର ଚେଷ୍ଟା କରିଥିଲେ।।
ବଳରାମ ଦାସ ଲକ୍ଷ୍ମୀ ପୁରାଣର ଉପାଖ୍ୟାନକୁ ପୁରୁଷୋତ୍ତମ କ୍ଷେତ୍ର ସହ ସଂଯୋଜିତ କରିଛନ୍ତି। ସଂସ୍କୃତ ଲକ୍ଷ୍ମୀ ପୁରାଣ ଠାରୁ ଏଥିରେ କେତେକ ସ୍ଥାନରେ ବ୍ୟତିକ୍ରମ ଦେଖାଯାଏ। ଓଡ଼ିଶାର ରୀତିନୀତି ସଂଯୋଗ କରି ବଳରାମ ଦାସ ଏହାକୁ ଓଡ଼ିଆ ମାନଙ୍କର ଅତ୍ୟନ୍ତ ପ୍ରିୟ ଗ୍ରନ୍ଥ ରେ ପରିଣତ କରିଛନ୍ତି। ମାର୍ଗଶୀର ମାସର ଗୁରୁବାର ଦିନ ସବୁ ବର୍ଗର ଲୋକମାନେ ମା ଲକ୍ଷ୍ମୀ ଙ୍କ ଆବାହନ କରନ୍ତି। ସେଥିପାଇଁ ଲକ୍ଷ୍ମୀ ପୁରାଣ କୁ ମାଣବସା ପୁରାଣ ମଧ୍ୟ କୁହାଯାଏ।
ବଳରାମ ଦାସ ଜଣେ ସମାଜ ସଂସ୍କାରକ ଥିଲେ।ସେ ଶିକ୍ଷଣୀୟ ମାନବିକତା ଦ୍ଵାରା ଉଦାର ସମାଜ ଗଢିବାର ଉଦ୍ୟମ କରିଥିଲେ।।
ଆଲେଖ୍ୟ:: ବାବାଜୀ ଚରଣ ଦାସ ।
ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର,୭୫୧୦୧୯।।

You might also like