ଶ୍ରାବଣ ସୋମବାରରେ ୮ ଫୁଟ ଉଚ୍ଚର ମହାଦେବଙ୍କ ବାଲୁକା କଳା

ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରଭୁ ଶିବଙ୍କୁ ପ୍ରାର୍ଥନା ଜଣାଇ ଏକ ଭକ୍ତିପୂର୍ଣ୍ଣ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା ଶିଳ୍ପ ମାଧ୍ୟମରେ “ହର ହର ମହାଦେବ”ର ବାର୍ତ୍ତା ଦିଆଯାଇଛି। ଏହି ୮ ଫୁଟ ଉଚ୍ଚର ବାଲୁକା ଶିଳ୍ପରେ ପ୍ରଭୁ ଶିବ (ମହାଦେବ)ଙ୍କୁ ଶାନ୍ତ ଓ ଧ୍ୟାନମଗ୍ନ ରୂପରେ ଦର୍ଶାଯାଇଛି ଯାହା ଶାନ୍ତି, ଦିବ୍ୟ ଶକ୍ତି ଓ ଆଧ୍ୟାତ୍ମିକ ଜାଗରଣର ପ୍ରତୀକ।ଏଥିରେ ଏକ ଶିବଲିଙ୍ଗ ସହିତ ଦୁଇଜଣ କାଉଡ଼ିଆ କାନ୍ଧରେ ଭାର (ପବିତ୍ର ଜଳ) ବୋହି ନେଉଥିବାର ଦୃଶ୍ୟ ରହିଛି । ଯାହା ଶ୍ରାବଣ ମାସରେ ଭକ୍ତମାନଙ୍କର ଶ୍ରଦ୍ଧା ଓ ପବିତ୍ର ଯାତ୍ରାକୁ ଦର୍ଶାଉଛି। ଏହା ସହିତ ଏହି କଳାକୃତିରେ ତ୍ରିଶୂଳ, ଡମ୍ବରୁ, ଅର୍ଦ୍ଧଚନ୍ଦ୍ର, ନାଗ ସାପ, ରୁଦ୍ରାକ୍ଷ ମାଳି ଏବଂ ମହାଦେବଙ୍କ ଜଟାରୁ ପବିତ୍ର ଗଙ୍ଗା ନଦୀ ପ୍ରବାହିତ ହେବାର ଦୃଶ୍ୟ ସ୍ଥାନ ପାଇଛି।