ସ୍ଵାଭିମାନୀ ଓଡିଆ ମଧୁସୂଦନ ଦାସ ।।

ମଧୁବାବୁ କେବଳ ସ୍ଵାଭିମାନୀ ଓଡିଆ ନଥିଲେ,ସେ ଥିଲେ ଓଡ଼ିଆ ଜାତିର ଗର୍ବ ଓ ଗୌରବ।୧୮୭୫ ମସିହା ବେଳକୁ ଭାରତରେ ଭଲ ଇଂରାଜୀ ବ୍ୟାକରଣ ବହି ନଥିଲା। ମଧୁବାବୁ Model questions and answers ନାମରେ ଏକ ଇଂରାଜୀ ବ୍ୟାକରଣ ବହି ଲେଖି ୧୮୭୫ ମସିହାରେ ପ୍ରକାଶ କଲେ। ଆଶୁତୋଷ ମୁଖାର୍ଜୀଙ୍କ ଇଂରାଜୀ ଭାଷାରେ ଅସାଧାରଣ ଅଧିକାର ଥିବା ଦେଖି ଇଂରେଜ ସରକାରଙ୍କ ସାହେବ ମାନେ ପଚାରୁଥିଲେ,”ତୁମର ଶିକ୍ଷା ଗୁରୁ କିଏ?” ଆଶୁତୋଷ (ପରେ ସାର୍ ଆଶୁତୋଷ ମୁଖାର୍ଜୀ) ଉତ୍ତର ଦେଉଥିଲେ,”ମଧୁସୂଦନ ଦାସ”।

ସେହି ସମୟରେ ଶ୍ରୀରାମପୁର କଲେଜରେ ଗୋଟିଏ ଅଧ୍ୟାପକ ପଦ ଖାଲି ଥିଲା। ମଧୁସୂଦନ ଦାସ ସେଥିପାଇଁ ପ୍ରାର୍ଥୀ ହୋଇ ଶ୍ରୀରାମପୁର ଯାଇଥିଲେସେ ତାଙ୍କ ଆବେଦନ ପତ୍ର ସହିତ କୌଣସି ପ୍ରଶଂସାପତ୍ର ପଠାଇ ନଥିବାରୁ ପ୍ରିନ୍ସିପାଲ୍ ମଧୁସୂଦନଙ୍କ ଠାରୁ ପ୍ରଶଂସାପତ୍ର ଦେଖିବାକୁ ଚାହିଁଲେ। ମଧୁସୂଦନ କହିଲେ,”ଆପଣ ମୋତେ ପରୀକ୍ଷା କରି କଲେଜରେ ଗ୍ରହଣ କରି ପାରନ୍ତି। ମୋର ପ୍ରଶଂସାପତ୍ର ଉପରେ ଆସ୍ଥା ନାହିଁ।” ତାହାହିଁ ହେଲା। ମଧୁସୂଦନଙ୍କ ଶିକ୍ଷାଦାନ ଓ ଶିକ୍ଷାଦାନ ପଦ୍ଧତି ଦେଖି ପ୍ରିନ୍ସିପାଲ୍ ଅତ୍ୟନ୍ତ ଖୁସି ହୋଇଯାଇ ତାଙ୍କୁ ନିଯୁକ୍ତି ଦେବାକୁ ଚାହିଁଲେ। ମଧୁସୂଦନ କିନ୍ତୁ ଅଧିକ ଦରମା ଦାବି କରି କାର୍ଯ୍ୟଭାର ଗ୍ରହଣ କଲେ ନାହିଁ। ଏହା ଥିଲା ତାଙ୍କର ସ୍ଵାଭିମାନ କାରଣ ପ୍ରିନ୍ସିପାଲ୍ ପ୍ରଥମରୁ ତାଙ୍କୁ ବିଶ୍ଵାସର ସହିତ ଗ୍ରହଣ କରି ନଥିଲେ। ମଧୁସୂଦନ ଯେତେବେଳେ ବଙ୍ଗ ବ୍ୟବସ୍ଥାପକ ସଭାର ସଦସ୍ୟ ହେଲେ, ସେତେବେଳେ ସେହି ପ୍ରିନ୍ସିପାଲ୍ ତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ଏକ ଭୋଜିକୁ ନିମନ୍ତ୍ରଣ କରିଥିଲେ।୧୯୨୪ ମସିହା ମାର୍ଚ୍ଚ ୧୯ ତାରିଖରେ ସାର୍ ଆଶୁତୋଷ, ସାର୍ ଓ୍ଯାର୍ଦୀଙ୍କ ନିକଟକୁ ଏକ ପତ୍ରରେ ଉତ୍କଳ ଟ୍ୟାନେରୀ ବିଷୟରେ ଲେଖିବା ସହିତ ମଧୁବାବୁଙ୍କ ସମ୍ମାନରେ ସେ ଲେଖିଥିଲେ,” ସେ ମୋର ଗୁରୁ।” କିନ୍ତୁ ସେ ସୁବିଧା ମଧୁବାବୁ ନେଲେ ନାହିଁ। ଓଡ଼ିଆ ଜାତିର ବଡ଼ପଣ ରକ୍ଷା କରିବା ପାଇଁ ସେ ହଜାର ହଜାର ଯୋତା ନଷ୍ଟ କରି ଦେଇଥିଲେ। ଉତ୍କଳର ସ୍ଵାଭିମାନ ପାଇଁ ସେ ସର୍ବସ୍ବାନ୍ତ ହେଲେ ପଛେ, କାହାରି ପାଖରୁ ସାହାଯ୍ୟ ନେଲେ ନାହିଁ।ସେ କେମିତି ଉତ୍କଳର ସ୍ଵାଭିମାନ ପାଇଁ ପୁରୀର ଗଜପତି ପରିବାର ସପକ୍ଷରେ ଓ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଲଢି ଜିତିଥିଲେ ଓ ବଡଲାଟ୍ ଙ୍କୁ ମୁହେଁ ମୁହେଁ ଜବାବ୍ ଦେଇଥିଲେ, ସେକଥା କେବଳ ତାଙ୍କ ଭଳି ଜଣେ ସ୍ଵାଭିମାନୀ ଓଡିଆ ପକ୍ଷରେ ସମ୍ଭବ।’ଉତ୍କଳ ସମ୍ମିଳନୀ’ ବିଷୟରେ ‘ରତ୍ନରେଣୁ’ରେ କବି ବାଳକୃଷ୍ଣ ପଟ୍ଟନାୟକ ଲେଖିଥିଲେ,”ଦୁଃଖ-ବିଷ-ଜର୍ଜରିତ ଉତ୍କଳ ଦେହରେ,ସମ୍ମିଳନୀ ତୁହି ସିନା ଢାଳୁଛୁ ଅମୀୟନୈରାଶ୍ୟ-ସମୀର ଘୋର ଦୁର୍ଭେଦ୍ଯ ରାଜ୍ୟରେତୁହି ସିନା ସଞ୍ଚାରିଲୁ ଉଜ୍ଜ୍ୱଳ ଆଲୁଅ।”୧୯୦୮ ମସିହାରେ ମଧୁବାବୁ ଲଣ୍ଡନରେ ଓଡ଼ିଆ ଆନ୍ଦୋଳନର ସୂତ୍ରପାତ କରି ‘Discontented India’ ନାମକ ଏକ ପୁସ୍ତିକା ପ୍ରକାଶ କରି ବ୍ରିଟିଶ୍ ପାର୍ଲ୍ୟାମେଣ୍ଟ୍ ର ସଦସ୍ୟ ମାନଙ୍କ ଆଗରେ ଉପସ୍ଥାପିତ କରିଥିଲେ।ବିହାର ଛାତ୍ର ସମ୍ମିଳନୀର ସଭାପତି ଭାବେ ତାଙ୍କ ବକୃତା ତାଙ୍କୁ ବିହାରରେ ସୁପରିଚିତ କରାଇଥିଲା।ସେ ଯେଉଁ କେତେକ ଉପାଦେୟ ବିଷୟର ଅବତାରଣା କରିଥିଲେ ତାହା ହେଲା, ପ୍ରାଚ୍ୟ ଭୂମିରେ ପାଶ୍ଚାତ୍ୟ ସଭ୍ୟତା ରୋପଣ, ଶିଳ୍ପ ଉନ୍ନତୀକରଣ, କାରିଗରମାନଙ୍କ ଉନ୍ନତି, ନାରୀ ଶିକ୍ଷା, ଦେଶାତ୍ମବୋଧ, ରାଷ୍ଟ୍ରନୀତି ଇତ୍ୟାଦି। ଶିଳ୍ପ ଉନ୍ନତୀକରଣ ବିଷୟରେ ସେ କହିଥିଲେ,ହାତର ମୂଲ୍ୟ ହିଁ ଜାତିର ଶିଳ୍ପ ଉନ୍ନତୀକରଣର ମୂଳଦୁଆ। ସେ କହୁଥିଲେ, ଭାରତୀୟ ମାନେ କେବଳ କଞ୍ଚାମାଲ ପ୍ରସ୍ତୁତ କରି ସନ୍ତୁଷ୍ଟ କିନ୍ତୁ ଇଂରେଜ ମାନେ କଞ୍ଚାମାଲ କୁ ଶିଳ୍ପ ଦ୍ରବ୍ୟରେ ପରିଣତ କରି ବହୁତ ଅର୍ଥ ଉପାର୍ଜନ କରୁଛନ୍ତି।୧୯୦୪ ମସିହାରେ ଉତ୍କଳ ଯୁବକ ସମ୍ମିଳନୀ ପାଇଁ ସମସ୍ତ ଅର୍ଥ ମଧୁବାବୁ ହିଁ ଦେଇଥିଲେ।୧୯୦୮ ମସିହାରେ କଟକରେ ବାଳିକା ବିଦ୍ୟାଳୟ ପାଇଁ ସେ ବହୁ ଅର୍ଥ ବ୍ୟୟ କରିଥିଲେ ଯାହାକି ୧୯୧୩ ମସିହାରେ ସରକାରୀ ହେଲା।ମଧୁସୂଦନ ତାଙ୍କ ମା’ଙ୍କ ଠାରୁ ଶିଖିଥିଲେ,”ଉଚ୍ଚ ପଦସ୍ଥ ଲୋକଙ୍କ ସହିତ କେବଳ ମିଶି ସମ୍ମାନ ପାଇବାକୁ ଚେଷ୍ଟା କରିବ ନାହିଁ। ଗୋଲାପ ଚାରି ପାଖର ଘାସ ଗୋଲାପ ଫୁଲର ସୁବାସ କିମ୍ବା ରଙ୍ଗ ପାଏ ନାହିଁ।”ଏକ ସମୟରେ ଓଡ଼ିଶାର ସୀମା ଉତ୍ତରରେ କାଁଶବାଁଶନଦୀଠାରୁ ଋଷିକୁଲ୍ୟାନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା।ସମୟାନ୍ତରରେ ଏହା ବର୍ଦ୍ଧିତ ହୋଇ ଗଙ୍ଗା ନଦୀର ଉତ୍ତର ରୁ ବସ୍ତର ପର୍ଯ୍ୟନ୍ତ ବ୍ୟାପିଥିଲା। କାଳକ୍ରମେ ଏହାର କେତେକ ଅଂଶକୁ ଇଂରେଜ ମାନେ ଅନ୍ୟ ରାଜ୍ୟରେ ମିଶାଇ ଦେଇଥିଲେ।

ମଧୁବାବୁ, ତାଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରିବାକୁ ଚେଷ୍ଟା କରିଥିଲେ। ଏହା ସହିତ କୃଷି, ଶିଳ୍ପ, ସାହିତ୍ୟ, ସଂସ୍କୃତିର ବିକାଶ ଦିଗରେ ଏହି ସମ୍ମିଳନୀ ମାଧ୍ୟମରେ କାର୍ଯ୍ୟ କରିଥିଲେ ।୧୮୯୭ ମସିହାରେ ଓଡ଼ିଶା ସୁକ୍ଷ୍ମ କଳା କାରଖାନା ସ୍ଥାପନ କରିଥିଲେ।୧୯୦୧ ମସିହାରେ ଓଡ଼ିଆମାନେ କିପରି ସରକାରୀ ବିଭାଗରେ ହଇରାଣ ହେଉଛନ୍ତି,ସେ ବିଷୟରେ ସେ ବ୍ୟବସ୍ଥାପକ ସଭାରେ ପ୍ରଶ୍ନ କରିଥିଲେ। ତାଙ୍କ ପ୍ରଚେଷ୍ଟାରେ ରେଭେନ୍ସା ମହାବିଦ୍ୟାଳୟରେ ଇତିହାସ ବିଭାଗ ଖୋଲିଥିଲା। ମଧୁବାବୁ ବଙ୍ଗ ବ୍ୟବସ୍ଥାପକ ସଭାରେ ସଭ୍ୟ ଥିବା ସମୟରେ ୧୯୧୧ ମସିହାରେ ଓଡ଼ିଶା ପ୍ରଜାସ୍ଵତ୍ଵ ଆଇନ ବିଲ୍ ଆସିଥିଲା।୧୯୧୨ ମସିହାରେ ବିହାର ଓଡ଼ିଶା ଏକ ପ୍ରଦେଶ ହେବାରୁ ସେ ବଙ୍ଗ ବ୍ୟବସ୍ଥାପକ ସଭା ଛାଡିଥିଲେ। ସେ ୧୯୧୩ ରୁ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାର ସଦସ୍ୟ ହେଲେ।ମଧୁବାବୁ ସର୍ବଦା ଚାଷୀମାନଙ୍କ ସ୍ଵାର୍ଥରକ୍ଷା ପାଇଁ ଚେଷ୍ଟିତ ଥିଲେ।ସେ ଇଂଲଣ୍ଡରେ ଭାରତୀୟ ଶିଳ୍ପ ଉପରେ ବ୍ରିଟିଶର ପ୍ରଭାବ ନାମକ ପ୍ରବନ୍ଧ ପଢିଥିଲେ।ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ମତରେ,ଉତ୍କଳ ବରେଣ୍ୟ ମଧୁସୂଦନଙ୍କ ପାଇଁ ଉତ୍କଳ ଧନ୍ୟ।”ତୁମ ଲାଗି ଏକା ଆଜି ଏ ଉତ୍କଳ ଧନ୍ୟ।।”ଆଲେଖ୍ୟ: ବାବାଜୀ ଚରଣ ଦାସ ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯।

You might also like