ହୋସ୍ ଉଡ଼ାଇଲେ ଅକ୍ଷୟ ଖନ୍ନା, ଫିଲ୍ମ ମହାକାଳୀର ପ୍ରଥମ ଝଲକ ଖତରନାକ

ସାମ୍ନାକୁ ଆସିଛି ଅକ୍ଷୟ ଖନ୍ନାଙ୍କ ଫିଲ୍ମ ମହାକାଳୀର ପ୍ରଥମ ଝଲକ । ଏହି ଫିଲ୍ମକୁ ପ୍ରଶାନ୍ତ ବର୍ମା ନିର୍ଦ୍ଦେଶନା ଦେଉଛନ୍ତି ଏବଂ ଏଥିରେ ଅକ୍ଷୟ ଖନ୍ନା ଶୁକ୍ରାଚାର୍ଯ୍ୟଙ୍କ ଭୂମିକାରେ ଅଭିନୟ କରିଛନ୍ତି । ‘Shukracharya’s War Cry’ ଶୀର୍ଷକରେ ଆସିଥିବା ପ୍ରାୟ ୨ ମିନିଟ୍‌ ୫୩ ସେକେଣ୍ଡର ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଶାନଦାର VFX, ଦମଦାର୍ ଭିଜୁଆଲ୍ସ ଏବଂ ପୌରାଣିକ କାହାଣୀର ବିଶାଳ କ୍ୟାନଭାସ୍‌ ଏହି ଫିଲ୍ମକୁ ଏକ ବଡ଼ ପରଦାର ଅନୁଭୂତି ଦେବାର ସଙ୍କେତ ଦେଉଛି।ପ୍ରଥମ ଝଲକରେ ଧର୍ମ ଓ ଅଧର୍ମ ମଧ୍ୟରେ ଏକ ବିଶାଳ ସଂଘର୍ଷର ସଙ୍କେତ ମିଳୁଛି। ଶୁକ୍ରାଚାର୍ଯ୍ୟଙ୍କ ନେତୃତ୍ୱରେ ଅସୁର ଶକ୍ତି ଏବଂ ଦିବ୍ୟ ଶକ୍ତି ମଧ୍ୟରେ ହେବାକୁ ଥିବା ମହାଯୁଦ୍ଧର କାହାଣୀକୁ ଏଥିରେ ଦେଖାଯିବ। ଭିଡିଓର ଦମଦାର ସଂଳାପ, ଯୁଦ୍ଧ ଦୃଶ୍ୟ ଓ ରହସ୍ୟମୟ ପରିବେଶ ଦର୍ଶକଙ୍କ ଉତ୍ସୁକତାକୁ ଆହୁରି ବଢ଼ାଇଦେଇଛି।ନିର୍ମାତାମାନେ ଜଣାଇଛନ୍ତି ଯେ ମହାକାଳୀ ୮ ଜାନୁଆରୀ ୨୦୨୭ରେ ସିନେମାହଲ୍‌ରେ ରିଲିଜ୍ ହେବ । ଫିଲ୍ମଟି ତାମିଲ, ତେଲୁଗୁ, ମଲୟାଲମ୍, ହିନ୍ଦୀ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିବ ।‘ମହାକାଳୀ’ ହେଉଛି ପ୍ରଶାନ୍ତ ବର୍ମା ସିନେମାଟିକ୍‌ ୟୁନିଭର୍ସ (PVCU)ର ପରବର୍ତ୍ତୀ ଅଧ୍ୟାୟ। ‘ହନୁମାନ’ ପରି ଫିଲ୍ମ ପରେ ପ୍ରଶାନ୍ତ ବର୍ମାଙ୍କ ସିନେମାଟିକ୍‌ ୟୁନିଭର୍ସକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ରହିଛି। ଏଥର ଆଉ ଏକ ବିଶାଳ ପୌରାଣିକ କାହାଣୀ ସହ ଦର୍ଶକଙ୍କ ସାମ୍ନାକୁ ଆସିବାକୁ ଯାଉଛି ‘ମହାକାଳୀ’।