IAS ବିଷ୍ଣୁପଦ ସେଠୀଙ୍କୁ ପୁଣି ଆଶ୍ବସ୍ତି, କଠୋର କାର୍ଯ୍ୟାନୁଷ୍ଠାନ ନ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ ମାମଲାରେ ହାଇକୋର୍ଟରେ ଆବେଦନର ଶୁଣାଣି ଶେଷ ହୋଇଛି । ହାଇକୋର୍ଟ ରାୟ ସଂରକ୍ଷିତ ରଖିବା ସହ ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଛି । ସିବିଆଇକୁ ତାଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ଅନ୍ତରୀଣ ନିର୍ଦ୍ଦେଶ ଜାରି ହୋଇଛି ।ସିବିଆଇର ଚଢ଼ାଉକୁ ‘ବେଆଇନ’ ଦର୍ଶାଇ ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ଉପରେ ରୋକ୍ ଲଗାଇବାକୁ କୋର୍ଟରେ ପ୍ରାର୍ଥନା କରିଥିଲେ । ସିବିଆଇ ଅଭିଯୋଗ କରିଥିଲା ଯେ, ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଲିମିଟେଡ୍ ପାଇଁ ଏକ ବିଲ୍ ପାସ୍ କରାଇବା ନେଇ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହୋଇଥିଲା । FIRରେ ବିଷ୍ଣୁପଦଙ୍କ ନାଁ ନଥିଲେ ମଧ୍ୟ, ସିବିଆଇ ତାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରିଥିଲା । ବିଷ୍ଣୁପଦ ଏହାକୁ ଅଯଥା ତାଙ୍କୁ ହଇରାଣ କରାଯାଉଥିବା ବୋଲି କହିଥିଲେ ।
