ପୌରଣିକ ପୃଷ୍ଠାରେ କାକଭୁଷଣ୍ଡି ଉପାଖ୍ଯାନ।

ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀରେ ଶ୍ରୀହରି ଶୟନ ନୀତି ପରଦିନ ଗରୁଡ଼ ଶୟନ ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥ ଙ୍କ ଦେବୋତ୍ଥାପନ ଏକାଦଶୀ ପରଦିନ ଗରୁଡଙ୍କୁ ଯଥାବିଧି ସେବା କରାଯାଇ ଜାଗ୍ରତ କରାଯାଏ |ଶ୍ରୀରାମ ଚରିତ ମାନସର ସିଦ୍ଧାନ୍ତ ମତେ, ଏହି ପୈାରାଣିକ ତଥ୍ୟର ଅବତାରଣା ହୋଇଛି। ତ୍ରେତୟା ଯୁଗରେ ବିଷ୍ଣୁଙ୍କ ରାମ ଅବତାର ସମୟର କଥା।ରାମ ରାବଣ ଯୁଦ୍ଧ ସମୟରେ ଗରୁଡଙ୍କ ଦ୍ଵାରା ଶ୍ରୀରାମ, ଇନ୍ଦ୍ରଜିତର ନାଗଫାଶରୁ ମୁକ୍ତ ହୋଇଥିଲେ। ଗରୁଡଙ୍କ ମନରେ ମହାମୋହ କାରଣରୁ ଶ୍ରୀରାମଙ୍କ ଶକ୍ତି ସମ୍ପର୍କରେ ସନ୍ଦେହ ଉପୁଜିଲା।ସେ ସନ୍ଦେହ ମୋଚନ ପାଇଁ ଦେବର୍ଷି ନାରଦଙ୍କ ନିକଟକୁ ଗଲେ।ସେ ସବୁ କଥା ଜାଣିଥିଲେ ମଧ୍ୟ ବେଦପତି ବ୍ରହ୍ମାଙ୍କ ପାଖକୁ ପଠାଇଦେଲେ। ବ୍ରହ୍ମା ତାଙ୍କୁ ଦେବଦେବ ମହାଦେବଙ୍କ ପାଖକୁ ପଠାଇଦେଲେ। ଭଗବାନ ଶିବ, ଗରୁଡଙ୍କୁ କାକଭୁଷଣ୍ଡି ପାଖକୁ ପଠାଇଦେଲେ।କାକଭୁଷଣ୍ଡି ଏହି ପୁରୁଷୋତ୍ତମ କ୍ଷେତ୍ରରେ ନୀଳସୁନ୍ଦର ପର୍ବତରେ ଅବସ୍ଥାନ କରୁଥିଲେ। ଗରୁଡ଼ ଶ୍ରୀକ୍ଷେତ୍ରରେ ପହଞ୍ଚି ଦେଖିଲେ ଗୋଟିଏ କାକ ନୀଳସୁନ୍ଦର ପର୍ବତରେ ବସିଛି। ପ୍ରଭୁ ଗରୁଡ଼ ମହାରାଜ ତାଙ୍କୁ ଭୁଷଣ୍ଡି କାକ ବିଷୟରେ ପଚାରିଲେ। ତହୁଁ କାକଭୁଷଣ୍ଡି ବିଷୟରେ ବର୍ଣ୍ଣନା କଲେ ସେହି କାକ।

“ଏହି ଭୁଷଣ୍ଡି କାକ ସତ୍ୟ ଯୁଗରେ ମଣିଷ ରୂପରେ ଅଯୋଧ୍ୟାରେ ଜନ୍ମ ଗ୍ରହଣ କରିଥିଲେ।ସେ ଅତ୍ୟନ୍ତ ଦରିଦ୍ର ଥିଲେ। ଅଯୋଧ୍ୟାରେ ୧୨ ବର୍ଷ ଅନାବୃଷ୍ଟି ହେଲା। ତେଣୁ ସେ ଉଜ୍ଜୟିନୀର ଜଣେ ବ୍ରାହ୍ମଣଙ୍କ ଘରେ ସେବକ ରୂପେ କାର୍ଯ୍ୟ କଲେ। ବ୍ରାହ୍ମଣଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ ମଧ୍ୟ ତାଙ୍କର ନୀତି ବାଣୀ ଶୁଣନ୍ତି ନାହିଁ। ଭଗବାନ ଶିବ ଏକଥା ଜାଣିପାରି ବ୍ରାହ୍ମଣଙ୍କ ସେବକ ସେହି ଦରିଦ୍ର ବ୍ୟକ୍ତିଙ୍କ ଉପରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ଅଜଗର ସାପ ହୋଇଯିବା ପାଇଁ ଅଭିଶାପ ଦେଲେ। ବ୍ରାହ୍ମଣ ଏହି କଥା ଜାଣି ଭଗବାନ ଶିବଙ୍କ ଶରଣାପନ୍ନ ହେଲେ। ପୁତ୍ର ତୁଲ୍ୟ ସେହି ସେବକଙ୍କ ଉଦ୍ଧାର ପାଇଁ ବ୍ରାହ୍ମଣଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଭଗବାନ ଶିବ ସେହି ଅଜଗର ସାପକୁ ଏକ ସହସ୍ର ବର୍ଷ ପରେ ଇଚ୍ଛା ମୃତ୍ୟୁ ଲାଭ କରିବ ବୋଲି କହିଲେ। ସେହି ଅଜଗର ସାପ ବିନ୍ଧ୍ୟ ପାର୍ବତାଞ୍ଚଳରେ ରହିଲେ। ହଜାରେ ବର୍ଷ ପରେ ତାଙ୍କର ଇଚ୍ଛାମୃତ୍ଯୁ ହେବାରୁ ସେ ପରବର୍ତ୍ତୀ ଜନ୍ମରେ ବ୍ରାହ୍ମଣ ଘରେ ଜନ୍ମ ଗ୍ରହଣ କଲେ। କିଛି ଦିନ ଅନ୍ତେ ତାଙ୍କ ବାପା ଓ ମା ଙ୍କର ବିୟୋଗ ଘଟିଲା। ଦାରିଦ୍ର୍ୟ ହେତୁ ସେ ଲୋମଶ ଋଷିଙ୍କ ଆଶ୍ରମରେ ପହଞ୍ଚି ତାଙ୍କ ଭୃତ୍ଯ ଭାବରେ ରହିଲେ।ଲୋମଶ ଋଷିଙ୍କ ସେବା କଲେ ମଧ୍ୟ ତାଙ୍କ କଥା ଶୁଣି କେବଳ ‘ହୁଁ’ ମାରନ୍ତି ।ଲୋମଶ ଋଷି କ୍ରୋଧିତ ହୋଇ ସେହି ବ୍ରାହ୍ମଣଙ୍କୁ ‘ହୁଁ’ ମାରୁଥିବା କାକ ଭଳି ଭୂଷଣ୍ଡ କାକ ହୋଇ ଯିବାପାଇଁ ଅଭିଶାପ ଦେଲେ। ବ୍ରାହ୍ମଣ, ଜ୍ଞାନ ଲୋପ ପାଇଯିବା ଭୟରେ ବିବ୍ରତ ହୋଇ ପଡିବାରୁ ଲୋମଶ ଋଷି ତାଙ୍କୁ ମାନସରୋବର ନିକଟରେ ଥିବା ନୀଳ ପର୍ବତର ବଟବୃକ୍ଷ ମୂଳେ ରାମ ନାମ ଜପ କରିବାକୁ କହିଲେ। ସେହି ଦିନଠାରୁ ସେ ସେଠାରେ ରହି ରାମ ନାମ ଜପ କରୁଥିଲେ।

ଯେତେବେଳେ ଭଗବାନ ବିଷ୍ଣୁ ରାମ ଅବତାରରେ ଅଯୋଧ୍ୟାରେ ସୂର୍ଯ୍ୟ ବଂଶରେ ଜନ୍ମଲାଭ କଲେ, ମହର୍ଷି ନାରଦ ରାମ ନାମ ଗାଇ ବୀଣା ବଜାଇଲେ। ଭଗବାନ ଶିବ ବାଳୁତ ରାମଙ୍କୁ ଦେଖି ଯିବା ପାଇଁ ପ୍ରସ୍ତୁତ ହେଲେ। ସେହି ସମୟରେ ଭୁଷଣ୍ଡ କାକ ଭଗବାନ ଶିବଙ୍କୁ ପ୍ରଣାମ କଲେ। ଭଗବାନ ଶିବ ଭୁଷଣ୍ଡ କାକ ଙ୍କୁ ଦେଖି ଆସିବାର ଅଭିପ୍ରାୟ ପଚାରିଲେ।ଭୁଷଣ୍ଡ କାକ ଉତ୍ତରରେ କହିଲେ ଯେ ପ୍ରଭୁ ଶିବଙ୍କ ଅଭିଶାପରେ ସେ କାକ ହୋଇଛନ୍ତି। ଭଗବାନ ରାମ ଅବତାରରେ ଅଯୋଧ୍ୟାରେ ଜନ୍ମ ନେଇଛନ୍ତି ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥି ମଧ୍ୟାହ୍ନରେ। ଭଗବାନ ଶିବଙ୍କ ସହିତ ଦର୍ଶନ କରିବା ପାଇଁ ସେ ସୁଯୋଗ ଅପେକ୍ଷାରେ ଅଛି। ଭଗବାନ ଶିବ ଓ ଭୁଷଣ୍ଡ କାକ ମାନବ ରୂପ ଧାରଣ କରି ବାଳୁତ ରାମଙ୍କୁ ଦେଖିବାକୁ ଅଯୋଧ୍ୟାରେ ଦଶରଥଙ୍କ ପ୍ରାସାଦର ସିଂହଦ୍ଵାରରେ ଅପେକ୍ଷା କଲେ।
ଏହି ସମୟରେ ଭଗବାନ ଶିବ ଜଣେ ତପସ୍ୱୀ ବେଶରେ ଅପେକ୍ଷା କଲେ।ମା କୈାଶଲ୍ଯା ଭାବିଲେ କାଳେ ବାଳୁତ ରାମଙ୍କୁ ଭୟ ଲାଗିବ। ଏହି ସମୟରେ ବାଳୁତ ରାମ କାନ୍ଦିବାକୁ ଲାଗିଲେ। ତେଣୁ କୈାଶଲ୍ଯା ବାଧ୍ୟ ହୋଇ ରାମଙ୍କୁ ଧରି ବାହାରକୁ ଆସିଲେ। ଭଗବାନ ଶିବଙ୍କ ପାଖକୁ ଯିବା ପାଇଁ ଆଗ୍ରହୀ ଥିବା ଭଳି ଜାଣିବାରୁ ମାତା କୈାଶଲ୍ଯା ତାଙ୍କୁ ତପସ୍ୱୀ ବେଶରେ ଥିବା ଭଗବାନ ଶିବଙ୍କୁ ଦେଲେ। କିଛି ସମୟ ପରେ ମା କୈାଶଲ୍ଯା ପୁତ୍ର ରାମଙ୍କୁ ନେଇ ଦୋଳିରେ ଶୁଆଇ ଦେଲେ। ଏହି ସମୟରେ ନିଜ ରୂପରେ ଭୁଷଣ୍ଡ କାକ ପ୍ରାସାଦର ଛାତ ଉପରେ ଅପେକ୍ଷା କରି ରହିଲେ। ଏହିପରି ଦୀର୍ଘ ଦିନ ଅତିବାହିତ ହେଲା। ପ୍ରଭୁ ରାମ ଙ୍କର ବାଲ୍ୟ ଲୀଳା ଆରମ୍ଭ ହେଲା।

ମା କୈାଶଲ୍ଯା ଖାଇବାକୁ ଦିଅନ୍ତି। ପ୍ରଭୁ ଶ୍ରୀରାମ ଙ୍କ ଖାଦ୍ଯରୁ ଯାହା ତଳେଘ ପଡ଼ିଯାଏ, ତାକୁ ଭୂଷଣ୍ଡ କାକ ଖୁଣ୍ଟି ଖାଏ।ଦିନେ ବାଳକ ରାମ ଖାଉଥିବା ବେଳେ ପାଟିରୁ ଖାଦ୍ୟ କାଢି ତଳେ ପକାଇଦେଲେ।ଭୂଷଣ୍ଡିଘ କାକ ତତ୍କ୍ଷଣାତ୍ ଉଡ଼ି ଆସି ସେହି ଖାଦ୍ୟ ଖାଇବାରେ ଲାଗିଲା।ବାଳକ ଶ୍ରୀରାମ ମାତା କୈାଶଲ୍ଯାଙ୍କ ପାଖରେ ଜିଦ୍ କଲେ କୁଆ ଟିକୁ ଧରିବାପାଇଁ। ମାତା କୈାଶଲ୍ଯା ବୁଝାଇଲେ ଯେ ଉଡନ୍ତା କାକକୁ ଧରିବା ସମ୍ଭବପର ନୁହେଁ। କିନ୍ତୁ ବାଳୁତ ରାମ ନିଜ ଜିଦ୍ ରେ ଅଟଳ ରହିଲେ। ମାତା କୈାଶଲ୍ଯା କହିଲେ,ତୁ ଯଦି ସୂର୍ଯ୍ୟ ବଂଶର ସୁଯୋଗ୍ୟ ସନ୍ତାନ, ତେବେ କାକକୁ ଧରି ଆଣ।
ବାଳୁତ ରାମ ଅବଶିଷ୍ଟ ଖାଦ୍ୟ ତକ ବିଛୁଡି ଦେଇ ମା କୈାଶଲ୍ଯାଙ୍କ ପଣତ କାନିରେ ଲୁଚି ରହିଲେ।ଭୁଷଣ୍ଡ କାକ ମନ ଆନନ୍ଦରେ ବୁଲି ବୁଲି ତଳେ ପଡିଥିବା ଖାଦ୍ୟ ଖାଇବାକୁ ଲାଗିଲା। ଏହି ସମୟରେ ବାଳୁତ ରାମ ତାଙ୍କ ଟିକି ହାତ ବଢାଇଲେ।ଭୁଷଣ୍ଡି କାକ ଉଡିଗଲା।ତାଙ୍କ ପଛେ ପଛେ ଶ୍ରୀରାମଙ୍କ ହାତଟି ଥିବାରୁ ଭୂଷଣ୍ଡି କାକ ବହୁତ ଉଚ୍ଚକୁ ଉଡ଼ି ଗଲା। ଧ୍ରୁବ ମଣ୍ଡଳୀରେ ପହଞ୍ଚି ଭୂଷଣ୍ଡ କାକ ଚିନ୍ତା କଲେ ଟିକି ହାତ ଏତେ ଦୂର ପହଞ୍ଚି ପାରିବ ନାହିଁ। କିନ୍ତୁ ଦେଖିଲେ ରାମଙ୍କର ସେହି ଦକ୍ଷିଣ ହସ୍ତ ତାଙ୍କ ପଛରେ ରହିଛି। ପୁଣି ଅଧିକ ଉଚ୍ଚ ଉଡିଲା ଭୂଷଣ୍ଡ କାକ।ଯାଇ ବ୍ରହ୍ମ ମଣ୍ଡଳରେ ପହଞ୍ଚିଲା।ଦେଖିଲା ରାମ ଙ୍କର ସେହି କୁନି ହାତ ତାଙ୍କ ପଛରେ ଅଛି।ଭୂଷଣ୍ଡ କାକ ଭାବିଲା ନିଶ୍ଚୟ ରାମଙ୍କର ସେହି କୁନି ହାତ ତାଙ୍କୁ ଧରିବ।ଏଣେ ଭୟ ଅଛି, ତେଣେ ଜୀବନ ରକ୍ଷା କରିବା ପାଇଁ ସୁଯୋଗ ଖୋଜୁଛନ୍ତି। ପୁଣି କାକ ଭୂଷଣ୍ଡି ଉଡ଼ିବାକୁ ଲାଗିଲା।ଯାଇ ସପ୍ତର୍ଷିମଣ୍ଡଳ ରେ ପହଞ୍ଚିଥିଲେ। ତାପରେ ଚତୁର୍ଦ୍ଦଶ ମଣ୍ଡଳରେ ପହଞ୍ଚିଲେ। ସେଠାରେ କାକ ଭୂଷଣ୍ଡି ଚିନ୍ତା କଲା, ପ୍ରଭୁ ରାମଚନ୍ଦ୍ର ତୁମେ ଯଦି ମୋତେ ରକ୍ଷା କରିବ କର। ଭୟରେ ଆଖି ଦୁଇଟି ବନ୍ଦ କଲେ କାକ ଭୂଷଣ୍ଡ।ଆଖି ଖୋଲିଲା ବେଳକୁ ଦେଖିଲେ ସେ ଅଯୋଧ୍ୟା କଟକରେ ପହଞ୍ଚି ଯାଇଛନ୍ତି।”
ସେହି ଭୂଷଣ୍ଡ କାକ ହେଉଛି ମୁଁ, ଏକଥା ନୀଳସୁନ୍ଦର ପର୍ବତରେ ବସିଥିବା କାକ କହିଲେ।

ପ୍ରଭୁ ରାମଚନ୍ଦ୍ର ଟିକିଏ ଆଁ କରି ଦେଲେ। ମୁଁ ତା ଭିତରକୁ ପ୍ରବେଶ କଲି। ଦେଖିଲି ବ୍ରହ୍ମାଣ୍ଡ ମାଳ ମାଳ ହୋଇ ତା ଭିତରେ ବୁଲୁଛି। ତେଣୁ ପିଣ୍ଡ ଯାହା ବ୍ରହ୍ମାଣ୍ଡ ତାହା। ପ୍ରଭୁ ରାମଚନ୍ଦ୍ର ତାଙ୍କ ଇଛାରେ ମୋତେ କୀଟ ରୂପେ ବାହାର କଲେ। ମୁଁ ପ୍ରଭୁଙ୍କ ପଦ ଯୁଗଳରେ ସମର୍ପଣ କରି କହିଲି, ପ୍ରଭୁ ମୋତେ ସବୁବେଳେ ତୁମକୁ ଦର୍ଶନ ଦେବାର ବ୍ୟବସ୍ଥା କର।
ପ୍ରଭୁ କହିଲେ ସେ ପୁରୁଷୋତ୍ତମ କ୍ଷେତ୍ର ରେ ଜଗନ୍ନାଥ ରୂପେ ଆବିର୍ଭୂତ ହେବେ। ରୋହିଣୀ କୁଣ୍ଡ ନିକଟରେ ରହିବା ପାଇଁ ମୋତେ ନିର୍ଦ୍ଦେଶ ହେଲା। ସେହିଦିନଠାରୁ ମୁଁ ଏଠାରେ ଅବସ୍ଥାନ କରୁଛି।
କାକ ଭୂଷଣ୍ଡି ଏହି କ୍ଷେତ୍ରରେ ଗରୁଡଙ୍କୁ ଶ୍ରୀରାମ ମାହାତ୍ମ୍ୟର ସମସ୍ତ ବୃତ୍ତାନ୍ତ ବୁଝାଇ କହିଥିଲେ। ଗରୁଡ ଙ୍କୁ ଶ୍ରେଷ୍ଠ ବିଷ୍ଣୁ ଭକ୍ତ ର ମାନ୍ୟତା ଦିଆଯାଏ। ଗରୁଡ ପଛରେ ରହି ମହାପ୍ରଭୂଙ୍କ ଦର୍ଶନ କଲେ ପୂଣ୍ୟ ଅର୍ଜ୍ଜନ ହୁଏ।
ସାରିଆ ଭିକଙ୍କ ଭଜନ ଥକାମନ ଚାଲ ଯିବା ର ଶେଷ ପଦରେ

“ଗରୁଡ଼ ପଛରେ ଦେଖ
ଦିଶୁଛି କଳା ଶ୍ରୀମୁଖ
କହଇ ସାରିଆ ଭିକ
ବଳରାମଙ୍କୁ କହିବା।”
ଚତୁର୍ମାସ୍ଯାରେ

ଶ୍ରୀଜଗନ୍ନାଥ ଙ୍କ ଶୟନ ବା ଦେବଶୟନ ପରଦିନ ଗରୁଡ଼ ଶୟନ କରନ୍ତି। କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ ତିଥିକୁ ଗରୁଡ ଦ୍ଵାଦଶୀ ବା ଗରୁଡ ଉତ୍ଥାପନ ଦିବସ କୁହାଯାଏ।ଏହି ତିଥିରେ ଗରୁଡ ଙ୍କର ପୂଜାର୍ଚ୍ଚନା କରାଯାଏ।ଜଗମୋହନର ପୂର୍ବ ପାର୍ଶ୍ଵରେ ଏକ ସ୍ତମ୍ଭ ଉପରେ ଅପଲକ ନୟନରେ ରତ୍ନ ସିଂହାସନ ଉପରେ ବିରାଜମାନ ଶ୍ରୀଜଗନ୍ନାଥଙ୍କ ପଦଯୁଗଳକୁ ଗରୁଡ ଚାହିଁ ରହିଛନ୍ତି। ରତ୍ନ ସିଂହାସନ ବେଦୀର ଉଚ୍ଚତା ଓ ଗରୁଡ ଖମ୍ବର ଗରୁଡଙ୍କ ଉଚ୍ଚତା ମଧ୍ୟରେ ସମାନତା ପରିଲକ୍ଷିତ ହୁଏ। ଶ୍ରୀଚୈତନ୍ୟ ମହାପ୍ରଭୁ ଅଠର ବର୍ଷ କାଳ ଶ୍ରୀକ୍ଷେତ୍ରରେ, ଗରୁଡଙ୍କ ପୃଷ୍ଠ ଭାଗରେ ରହି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ। ପ୍ରମାଣ ସ୍ଵରୂପ, ଭୋଗ ମଣ୍ଡପ ଦ୍ଵାର ନିକଟରେ ଦୃଶ୍ୟମାନ ହେଉଛି, ତାଙ୍କ ପ୍ରେମ ବିହ୍ଵଳିତ ଅଙ୍ଗୁଳିର ଛାପ। ଶ୍ରୀମନ୍ଦିର ର ସେବାରେ ନିୟୋଜିତ ଚୁନରା ସେବକମାନେ ଗରୁଡ ଙ୍କ ସେବା ସହିତ ଶ୍ରୀମନ୍ଦିର ଶିଖରରେ ପତିତପାବନ ବାନା ‌ବାନ୍ଧିବା, ଶ୍ରୀମନ୍ଦିର ରେ ଚୁନ ଦେବା, ଶ୍ରୀମନ୍ଦିର ଉପରେ ମହାଦୀପ ତଥା ଚନ୍ଦ୍ର ଉଦିଆ ଜାଳିବା କାର୍ଯ୍ୟ ସମ୍ପାଦନ କରନ୍ତି।।
ଆଲେଖ୍ୟ:: ବାବାଜୀ ଚରଣ ଦାସ ।।
କୋକିଳା ଗ୍ରୀନ୍ ଆପାର୍ଟମେଣ୍ଟ,
ପଞ୍ଚସଖା ନଗର,ଡୁମୁଡୁମା, ଭୁବନେଶ୍ବର-୧୯।