ବର୍ତ୍ତମାନ ଲଘୁ ଖଣିଜ ଚୋରା ଚାଲାଣରେ ରୋକ ଲାଗିବ: ମୁଖ୍ୟମନ୍ତ୍ରୀ
ଲଘୁ ଖଣିଜ ଚୋରା ଚାଲାଣ ରାଜ୍ୟରେ ଖୁବ ଜୋରରେ ବଢିଚାଲିଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ଏଣିକି ଖଣି ବିଭାଗ ପାଖରେ ରହିବ ଲଘୁ ଖଣିଜ। ଆଉ ଏହାର ଦାୟିତ୍ୱ ତୁଲାଇବ ରାଜସ୍ୱ ବିଭାଗ। ଭୁବନେଶ୍ବରରେ ଆୟୋଜିତ ତହସିଲଦାର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।ଇ-ଟ୍ରାନ୍ଜିଟ୍ ପାସ୍ ବିନା କୌଣସି ଲଘୁ ଖଣିଜ ଦ୍ରବ୍ୟ ପରିବହନକୁ ଅନୁମତି ନ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟରେ ଟିପି ବା ଟ୍ରାନ୍ଜିଟ୍ ପାସ୍ ବିନା କୌଣସି ଲଘୁ ଖଣିଜ ଦ୍ରବ୍ୟ ପରିବହନ ହୋଇପାରିବ ନାହିଁ। ବିନା ଟିପିରେ ପରିବହନ ହେଉଥିବା ଖଣିଜ ଦ୍ରବ୍ୟ ବେଆଇନ ବୋଲି ବିଚାର କରାଯିବ।ଏପରିକି ବିନା ଟିପିରେ କିଣାଯାଇ ବିଭିନ୍ନ ସରକାରୀ ପ୍ରକଳ୍ପରେ ବ୍ୟବହାର ହେଉଥିବା ଖଣିଜ ଦ୍ରବ୍ୟକୁ ମଧ୍ୟ ଚୋରି ଦ୍ରବ୍ୟ ଭାବେ ବିଚାର କରାଯିବ। ଟିପି ପାସ ଜମା କରିନଥିଲେ ସଂପୃକ୍ତ ଠିକାଦାର ବା ଏଜେନ୍ସିଙ୍କ ବିଲ୍ ପାସ୍ ହେବନାହିଁ।ରାଜସ୍ୱ ବିଭାଗକୁ ପୁନର୍ବାର ଦାୟିତ୍ୱ ପ୍ରଦାନ କରାଯିବ। ଏ ଦାୟିତ୍ୱ ରାଜସ୍ୱ ବିଭାଗର ଅଧିକାରୀମାନେ ସୁଚାରୁରୂପେ ତୁଲାଇବେ ବୋଲି ମୋର ଆଶା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
