ବର୍ଷା ଋତୁରେ ନିରୋଗ ରହିବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏସବୁ ଜିନିଷ
ଆରମ୍ଭ ହୋଇଯାଇଛି ବର୍ଷା ଋତୁ । ମୌସୁମୀ ମଧ୍ୟ ଓଡିଶା ଛୁଇଁ ସାରିଛି ।ତେବେ ବର୍ଷା ଋତୁରେ ଖାସ କରି ଚଟପଟା ସୁସ୍ବାଦୁ ଖାଦ୍ୟ ଖାଇବା ପାଇଁ ଭଲ ଲାଗିଥାଏ । କିନ୍ତୁ ଏହାରି ଭିତରେ ଲୋକେ ରୋଗ ପ୍ରତିରୋଧକ ଶକ୍ତି ଏବଂ ସ୍ବାସ୍ଥ୍ୟକୁ ଭୁଲି ଯାଇଥାଆନ୍ତି । ତେବେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ | ତେବେ ଖାଦ୍ୟରେ ରସୁଣ ଏବଂ ପିଆଜ ଅନ୍ତର୍ଭୂକ୍ତ କରିବା ଆବଶ୍ୟକ । ରସୁଣ କେବଳ ଖାଦ୍ୟକୁ ସୁଆଦିଆ କରିଥାଏ ତାହା ନୁହଁ ବରଂ ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ । ଏହା ଘରୋଇ ଔଷଧ ଭାବେ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ । ରସୁଣରେ ଥଣ୍ଡା, କାଶ, ରକ୍ତଚାପ ସହିତ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ ଅନେକ ତତ୍ତ୍ବ ଭରପୁର ରହିଛି ।ଏହି ଉପାଦାନଗୁଡିକ ସାଧାରଣ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ବିଶେଷକରି ଶ୍ବାସକ୍ରିୟାରେ ସଂକ୍ରମଣ ଯାହା ବର୍ଷା ଋତୁରେ ଅଧିକ ଦେଖାଯାଏ ।ରସୁଣର ନିୟମିତ ସେବନ ଦ୍ବାରା କ୍ୟାନ୍ସର ହେବାର ସମ୍ବାବନା ବହୁ ମାତ୍ରାରେ କମ ହୋଇଥାଏ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଏହା ଦ୍ବାରା କ୍ୟାନ୍ସର ହେବାର ସମ୍ବାବନା ୩୦-୪୦ ପ୍ରତିଶତ କମ ହୋଇଥାଏ ।
ଏଥିସହ ଉଚ୍ଚରକ୍ତଚାପକୁ ଦୂର କରିବାରେ ମଧ୍ୟ ରସୁଣ ବହୁ ଲାଭଦାୟକ ହୋଇଥାଏ । ଦୈନିକ ରସୁଣ ଖାଇବା ଦ୍ବାରା କୋଲେଷ୍ଟ୍ରଲ କମ ହେବା ସହ ହୃଦଜନିତ ରୋଗର ସମ୍ବାବନା ମଧ୍ୟ କମ ହୋଇଥାଏ । ତେବେ ଖାଦ୍ୟ ଦ୍ବାରା ହେଉଥିବା ରୋଗର ଆଶଙ୍କା ହ୍ରାସ କରିବାକୁ, ବର୍ଷା ଋତୁରେ ଷ୍ଟ୍ରିଟ ଫୁଡ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ । ବର୍ଷା ପାଣିପାଗ ଜୀବାଣୁ ଏବଂ ଫଙ୍ଗଲ ଅଭିବୃଦ୍ଧି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିପାରେ, ଯାହା ରାସ୍ତାଘାଟର ଖାଦ୍ୟରେ ଅଧିକ ଆଶଙ୍କା ରହିଥାଏ । ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ ହଜମ ଜନିତ ସମସ୍ୟାକୁ ରୋକିବା ପାଇଁ ଘରେ ରନ୍ଧା ଖାଦ୍ୟ ଖାଇବା ଆବଶ୍ୟକ ।ବର୍ଷା ଋତୁରେ ହର୍ବାଲ୍ ଟି, ସୁପ୍ ଏବଂ ଅଦା ଚା’ ଭଳି ଗରମ ପାନୀୟକୁ ବାଛନ୍ତୁ । ଏଗୁଡ଼ିକ କେବଳ ଆପଣଙ୍କୁ ଗରମ ଏବଂ ଆରାମଦାୟକ ରଖିବାରେ ସାହାଯ୍ୟ କରେ ନାହିଁ ବରଂ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ପ୍ରଦାନ କରେ । ବର୍ଷା ଋତୁରେ ମିଳୁଥିବା ଫଳ ଅଧିକା ଖାଆନ୍ତୁ । ସେଓ, ଡାଳିମ୍ବ, ମୌସମ୍ବୀ(ମିଠା ଲେମ୍ବୁ) ଏବଂ କମଳାରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ଭରପୂର ରହିଥାଏ । ଏହି ଫଳଗୁଡ଼ିକ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା, ସଂକ୍ରମଣ ସହିତ ଲଢିବାରେ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।
