ବିଦୁରଙ୍କ ପୂର୍ବ ଜନ୍ମ କଥା : ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ମୋକ୍ଷ ପ୍ରାପ୍ତି ।।
ବିଦୁର ବୋଲେ ଅନ୍ଧରାୟ।
ଯେମନ୍ତେ ଗଲା ହିମାଳୟ।।
ପ୍ରାଣ ଛାଡିଲା ଯୋଗବଳେ।
ଏ କଥା ତ୍ରୟଦଶେ ବୋଲେ।।
ସୂତ କହିଲେ,”ବିଦୁର ତୀର୍ଥଯାତ୍ରା କ୍ରମରେ ମୈତ୍ରେୟ ଆଶ୍ରମରେ ପଦାର୍ପଣ କଲେ। ସେଠାରେ କିଛି ଦିନ ରହି ଆତ୍ମଜ୍ଞାନ ପାଇଲେ। ସେଠାରୁ ହସ୍ତିନା ନଗର ଯାଇ ଧୃତରାଷ୍ଟ୍ରଙ୍କ ପାଖରେ ପହଞ୍ଚିଲେ। ତାଙ୍କର ମତିଗତି ସମ୍ପର୍କରେ ଜାଣିବା ପାଇଁ ସ୍ଵଭାବିକ ସାଧୁ ଧୀରମତି ମୈତ୍ରେୟଙ୍କ ଆଗରେ ଯେଉଁ ପ୍ରଶ୍ନ କରି ଆତ୍ମ ଜ୍ଞାନ ପାଇଲେ ସେକଥା କହିଲେ। କେବଳ ଗୋବିନ୍ଦଙ୍କ ଠାରେ ଭକ୍ତି ରଖିବା ଉଚିତ। ଶତ୍ରୁ ମିତ୍ର କିଛି ନାହିଁ। ବିଦୁରଙ୍କ ଆସିବା ଖବର ପାଇ ଧର୍ମପୁତ୍ର ରାଜା ଯୁଧିଷ୍ଠିର ଓ ତାଙ୍କ ଚାରି ଭାଇ କୃତ୍ୟକୃତ୍ଯ ହେଲେ। ସେମାନେ ବିଦୁର ଙ୍କୁ ଆସନରେ ବସାଇ ପୂଜା କଲେ। ଧୃତରାଷ୍ଟ୍ରଙ୍କ ମିତ୍ର ମାନେ,ସଞ୍ଜୟ,କୃପୀ,କୃପ, ଗାନ୍ଧାରୀ, ଦ୍ରୌପଦୀ, ସୁଭଦ୍ରା,ଉତ୍ତରା, କୁନ୍ତୀ,ପାଣ୍ଡୁର ମିତ୍ର ଗଣ ସମସ୍ତେ ଆନନ୍ଦ ମନରେ ଆସି ଯେ ଯାହା ବିଶ୍ଵାସ ମତେ ବିଦୁର ଙ୍କୁ ବନ୍ଦାପନା କଲେ। ଆନନ୍ଦରେ ଅଶ୍ରୁଜଳ ପୂର୍ଣ୍ଣ ନୟନରେ ସକଳ ପୂଜାବିଧି କରି ମହାରାଜ ଯୁଧିଷ୍ଠିର ବିଦୁର ଙ୍କୁ ଆସନରେ ବସାଇ ଖୁସି ମନରେ ଖାଇବାକୁ ଦେଲେ।ତାଙ୍କ ମୁହଁକୁ ଚାହିଁ ଚାରିଭାଇଙ୍କ ସହିତ ସମସ୍ତେ ଶୁଣି ପାରିବା ଭଳି ପ୍ରିତିପୂର୍ଣ୍ଣ ଭାବରେ ପଚାରିଲେ।
ଯୁଧିଷ୍ଠିର ପଚାରିଲେ,”ପକ୍ଷୀର ପକ୍ଷ ତଳେ ଥାଇ ଶିଶୁ ପକ୍ଷୀମାନେ ଯେମିତି ଉଡ଼ନ୍ତି, ତୁମକୁ ଆଶ୍ରା କରି ସକଳ କଷ୍ଟକୁ ଆମେ ପାସୋରି ଦେଲୁ।ବନ ମଧ୍ୟରେ ବିପଦପୂର୍ଣ୍ଣ ଭାବରେ ବଞ୍ଚି ରହିଲୁ। ମାତା ସହିତ ଜତୁ ଗୃହରେ ମହାଘୋର ଅଗ୍ନି ଦହନ କାଳରେ ତୁମ ପାଇଁ ରକ୍ଷା ପାଇଛୁ।ବିଷଭକ୍ଷଣ ଆଦି ଯେତେ କଥା ଅଛି, ସେସବୁ ତୁମ ଆଗରେ କେତେ ମୁଁ କହିବି? ତୁମ ପ୍ରସାଦରୁ ଆମେ ବଞ୍ଚିଛୁ। ତୁମର ସ୍ବଭାବତଃ ପୂଣ୍ୟ ଦେହ।ଯାଦବ ମାନଙ୍କ ସହିତ ଶ୍ରୀକୃଷ୍ଣ କେମିତି ଅଛନ୍ତି?ଯାହାଙ୍କ ଭଲରେ ମୋ ଭଲ, ତାଙ୍କ ଶରଣାପନ୍ନ ଆମେ। ଯାଦବ ମାନେ ସୁଖରେ ଅଛନ୍ତି କି?” ବିଦୁର ମନେ ମନେ ଚିନ୍ତା କଲେ।ବନ୍ଧୁ ଭାବରେ କହିବାକୁ ଭୟ କଲେ। ଯଦୁବଂଶ ନାଶ କଥା କହିଲେ ନାହିଁ ।ସେ ବିଚାର କଲେ, ଯଦି ସେକଥା କହିବି ପାଣ୍ଡବ ମାନେ ଜୀବନ ହାରି ଦେବେ। ଉପରକୁ ମୁଁହ କରି ଦୀର୍ଘ ନିଶ୍ଵାସ ଛାଡି ମଧୁର ବଚନରେ କହିଲେ,”ଯାହାଙ୍କ ପ୍ରସାଦରେ ସବୁ କୁଶଳ ହୁଏ, ସେହି ଶ୍ରୀକୃଷ୍ଣଙ୍କୁ କିଛି ପ୍ରମାଦ ନାହିଁ।” ଏଭଳି ମହାରାଜା ଯୁଧିଷ୍ଠିରଙ୍କ ଆଗରେ କହି ବିଦୁର କେତେଦିନ ହସ୍ତିନା ପୁରରେ ରହିଲେ। ସବୁଦିନ ଧର୍ମରାଜ ଯୁଧିଷ୍ଠିର ତାଙ୍କ ପାଦପୂଜା କରନ୍ତି।
ମାଣ୍ଡବ୍ଯ ଋଷିଙ୍କ ଶାପରେ ଯମରାଜ ବିଦୁର ରୂପରେ ଏକ ଶୁଦ୍ର ପରିବାରରେ ବିଷ୍ଣୁଙ୍କ ମାୟାରେ ବଞ୍ଚି ରହିଲେ। ଏକଦା ଜଣେ ରାଜାଙ୍କ ଅନୁଚର ମାନେ କେତେକ ଚୋରଙ୍କୁ ମାଣ୍ଡବ୍ଯ ଋଷିଙ୍କ ଆଶ୍ରମରୁ ଧରିଲେ। ରାଜା ମାଣ୍ଡବ୍ଯ ଋଷିଙ୍କୁ ମଧ୍ୟ ଚୋର ବୋଲି ସନ୍ଦେହ କରି ଚୋରଙ୍କ ସହ ଶୁଳିରେ ବସାଇଲେ।ମାଣ୍ଡବ୍ଯ ଋଷି ନିର୍ଦ୍ଦୋଷ ବୋଲି ଜାଣିଲା ପରେ ରାଜା ତାଙ୍କୁ ମୁକ୍ତ କରି କ୍ଷମା ପ୍ରାର୍ଥନା କଲେ।ମାଣ୍ଡବ୍ଯ ଋଷି ଯମରାଜାଙ୍କ ପାଖକୁ ଯାଇ ଏଭଳି ଦଣ୍ଡର କାରଣ ପଚାରିଲେ।ସେ ଉତ୍ତରରେ କହିଲେ,”ଆପଣ ବାଲ୍ୟାବସ୍ଥାରେ ଗୋଟିଏ କଙ୍କି ଧରି ତା ଦେହରେ କୁଶବଦ୍ଧ କରିଥିଲେ।”ମାଣ୍ଡବ୍ଯ କହିଲେ,”ମୋର ଅଜ୍ଞାନ ଅବସ୍ଥାରେ ସାମାନ୍ୟ ଅପରାଧ ପାଇଁ ତୁମେ ମୋତେ ଯେଉଁ କଠୋର ଦଣ୍ଡ ଦେଲ, ସେଥିପାଇଁ ତୁମେ ଶହେ ବର୍ଷ ପର୍ଯ୍ୟନ୍ତ ଶୂଦ୍ରଯୋନିରେ ରହିବ।”ଏହି ଅଭିଶାପ ହେତୁ ଯମରାଜା ବିଦୁର ରୂପେ ଜନ୍ମ ଗ୍ରହଣ କରିଥିଲେ।
ପରୀକ୍ଷିତଙ୍କୁ କୁଳରକ୍ଷକ ଭାବରେ ଜାଣି ଧର୍ମରାଜ ଯୁଧିଷ୍ଠିରଙ୍କ ସମେତ ପାଣ୍ଡବ ପାଞ୍ଚଭାଇ ବିଷ୍ଣୁଙ୍କ ମାୟାମୋହରେ ପଡ଼ି ରାଜ୍ୟ ଶାସନ କଲେ। ଏହି ସମୟରେ ବିପରୀତ କାଳ ଉପସ୍ଥିତ ହେଲା। ଧୂଆଁରେ ଦଶଦିଗ ପୁରିଗଲା। ବିଦୁର ଏହା ଦେଖି ଭୟ ପାଇଲେ।ସେ ଧୃତରାଷ୍ଟ୍ରଙ୍କ ପାଖରେ ବସି କହିଲେ,”ଭାଇ! ତୁମେ ଶିଘ୍ର ଏ ପୁର ଛାଡି ଚାଲି ଯାଅ। ଭୟଙ୍କର କାଳ ଉପସ୍ଥିତ ହେଲା।ଦଶ ଦିଗ ଅନ୍ଧାର ଦିଶୁଛି। ଏହାକୁ କିଛି ପ୍ରତିକାର ନାହିଁ। ଦ୍ଵାପର ଯୁଗ ଶେଷ ହେଲା। ଏବେ କଳିକାଳ ପ୍ରକାଶିତ ହେଲା।ଆମ ପ୍ରାଣ ଏ ନେଇଯିବ। ଏହାକୁ କିଏ ନିବାରଣ କରିବ। ଯାହାକୁ ଦେଖି ଦେବ,ଦାନବ,ମହାବଳୀ,ବୃଦ୍ଧ, ପ୍ରତାପୀ,ଯୁବକ,ବାଳକ ଭୟରେ ଭୀଷଣ ପବନରେ କଦଳୀ ପତ୍ର ଥରିଲା ଭଳି ଥରୁଛନ୍ତି,କାତରରେ ଆଖିରୁ ଲୁହ ଗଡାନ୍ତି, ସେଭଳି କ୍ଷେତ୍ରରେ ଏ ଅନିତ୍ୟ ମନୁଷ୍ୟ ଦେହର ମୂଲ୍ୟ କ’ଣ?ଯେ ମାୟା ମୋହରୁ ମୁକ୍ତ ହୁଏ, ତାହାକୁ ମହାଜନ କୁହାଯାଏ।ତୁମର କର୍ମଫଳ ଦେଖ! ତୁମ ଭାଇଙ୍କ ପୁତ୍ର ମାନେ ତୁମର କୁଳନାଶ କଲେ।ତୋର ଆୟୁଷ ଶେଷ ହେଲା।ତୋ ମରଣ ନିକଟ ହେଲା।ବୃଦ୍ଧ କାଳରେ ଅତି ଦୁଃଖରେ ପରଘରେ ବାସ କରୁଛୁ।ତୁ ଏବେ ଚକ୍ଷୁହୀନ ସହିତ ବଧିର,ବୁଦ୍ଧିହୀନ,ବିଶୀର୍ଣ୍ଣ ଦନ୍ତ,କଫ ଜଡ଼ିତ କଣ୍ଠସ୍ୱର।ଅଗ୍ନିମାନ୍ଦ୍ଯ ପାଇଁ ଖାଦ୍ୟ ହଜମ ନହୋଇ ଅଜୀର୍ଣ୍ଣ ହେଉଛି। ଯୁଦ୍ଧରେ ଭୀମ ଗଦା ପ୍ରହାରରେ ତୋର ଶତପୁତ୍ର ମଲେ। ସେହି ଭୀମର ବର୍ଜିତ ଅନ୍ନରେ କୁକୁର ଭଳି ତୋର ଭରସା।କୁମତି ଜନଙ୍କ କଥାରେ ପଡ଼ି ତୋର ପୁତ୍ର ମାନେ କଳି କଲେ।ଭୀମକୁ ବିଷ ଲଡ଼ୁ ଦେଲେ। ତାଙ୍କୁ ଗୋବିନ୍ଦ ରକ୍ଷା କଲେ।ଜତୁ ଗୃହରେ ଅଗ୍ନି ସଂଯୋଗ କଲେ ମଧ୍ୟ ପାଣ୍ଡବ ମାନେ ମଲେ ନାହିଁ। ପୁଣି ତୋର ପୁତ୍ର ମାନେ କପଟପାଶା କରି ସେମାନଙ୍କ ଧନ ସମ୍ପଦ ରାଜ୍ୟ ହରଣ କଲେ। ଯାଜ୍ଞସେନୀଙ୍କ କେଶ ଧରି ରାଜସଭାରେ ବିବସ୍ତ୍ର କରିବାକୁ ଚେଷ୍ଟା କଲେ। ଏସବୁ ଯେଉଁ କର୍ମ ତୋର ପୁତ୍ର ମାନେ କଲେ, ତାହା ତୁ ଜାଣିଛୁ। ସେକଥା କ’ଣ ସେମାନେ ଭୁଲିଯିବେ? ତୁ ସେମାନଙ୍କ ଘରେ ସେବକ ପ୍ରାୟ ରହୁଛୁ। ତାଙ୍କ ପ୍ରଦତ୍ତ ଅନ୍ନ ଖାଉଛୁ।ତୋର ଆଉ ବୟସ କାହିଁ?ତୋର ଅତି ପୀଡ଼ିତ ବୃଦ୍ଧ ଦେହ।ତୋର ଦେହ ଦିନକୁ ଦିନ ପୁରୁଣା ବସନ ଭଳି କ୍ଷୀଣ ହେଉଛି।ଏ ଦେହରେ ଯେଉଁ ଜନ ବିରକ୍ତ,ସେ ମାୟା ମୋହରୁ ମୁକ୍ତ।”
ବିଦୁର କହିଲେ,
“ନର ଦେହ ଅନିତ୍ୟ। ଏହା ଯୋଗବଳେ ବିଚାର କରି ହରିଭକ୍ତଙ୍କ ସଙ୍ଗରେ ଯେ ବାନପ୍ରସ୍ଥ ଜୀବନ ଅତିବାହିତ କରେ,ସେ ପ୍ରାଣୀ ପୁରୁଷ ମାନଙ୍କ ମଧ୍ୟରେ ସର୍ବୋତ୍ତମ।”ସେ ଧୃତରାଷ୍ଟ୍ରଙ୍କୁ କହିଲେ,”ତୁ ଜ୍ଞାନୀଜନ ମାନଙ୍କ ମଧ୍ୟରେ ଉତ୍ତମ। ଏବେ ତୁ ମତିଭ୍ରମ ଛାଡି ମୋ ସହିତ ପତ୍ନୀଙ୍କୁ ନେଇ ଉତ୍ତର ପଥରେ ଶିଘ୍ର ଚାଲ। ମୁଁ ବନରେ ତୋର ଅନବରତ ସେବା କରିବି।ଦେଖ!ଏ କାଳ ଭୟଙ୍କର। ପ୍ରାଣୀଙ୍କର ସତ୍ତା ତା କବଳରେ।” ବିଦୁର ଙ୍କ ଠାରୁ ଏହା ଧୃତରାଷ୍ଟ୍ର ଶୁଣି ମୋହ ଭାଙ୍ଗି ବନଗମନ ପାଇଁ ବ୍ୟଗ୍ର ହେଲେ।ପତିଙ୍କ ବନବାସ କଥା ଶୁଣି ପତିବ୍ରତା ଗାନ୍ଧାରୀ ଆନନ୍ଦରେ ବିଦୁରଙ୍କ କାନ୍ଧରେ ହାତ ରଖି ନଗରରୁ ବାହାରି ପଡିଲେ।ବିଦୁର, ଧୃତରାଷ୍ଟ୍ର, ଗାନ୍ଧାରୀ ମନ ଆନନ୍ଦରେ ହିମାଳୟର ବନଦେଶରେ ପ୍ରବେଶ କଲେ।
ଏଣେ ଧର୍ମନନ୍ଦନ ସନ୍ଧ୍ୟାଦି ନିତ୍ୟକର୍ମ ସାରି ଅଗ୍ନି ପୂଜା କଲେ। ଗୁରୁଜନଙ୍କ ପୂଜା ପାଇଁ ଘରକୁ ପଶି ହାତରେ ଅର୍ଘ୍ୟ ଧରି ଦେଖିଲେ ଧୃତରାଷ୍ଟ୍ର, ଗାନ୍ଧାରୀ ଓ ବିଦୁର ଙ୍କ ଗୃହ ଶୂନ୍ୟ ପଡିଛି।କାତର ହୋଇ ମହାରାଜା ଯୁଧିଷ୍ଠିର, ବିଦୁର, ଧୃତରାଷ୍ଟ୍ର, ଗାନ୍ଧାରୀ କୁଆଡ଼େ ଗଲେ ବୋଲି ସଞ୍ଜୟଙ୍କୁ ପଚାରିଲେ। କେହି କିଛି ନଶୁଣି ଭୟରେ ଛନଛନ ହୋଇ ଚାହିଁଲେ। ମହାରାଜା ଯୁଧିଷ୍ଠିର ଲୋକ ମାନଙ୍କୁ ଚାହିଁ ପଚାରନ୍ତି,”ମୋର ବାପା,ମା ଦେଖା ହେଉ ନାହାନ୍ତି।ମହାମନା ବିଦୁର ମଧ୍ୟ ମୋ ପାଖରେ ନାହାନ୍ତି।ବାପା ମା ଦୁଇ ଜଣଙ୍କୁ ବାଟ ଦେଖା ଯାଏ ନାହି। ସହଜେ ତ ବୃଦ୍ଧ ବୟସ।ବାପା ମା ଦୁଇ ଜଣଙ୍କର ଶତପୁତ୍ରଙ୍କ ମୃତ୍ୟୁବରଣ ଦୁଃଖରେ ଦୁଃଖିତ ଥାଇ କେଉଁ ଦେଶକୁ ଗଲେ? ଗଙ୍ଗାଜଳରେ ପ୍ରାଣ ଛାଡ଼ିଲେ କି? ମୋ ଜନନୀ ବନ୍ଧୁ, ସୁହୃଦ ଓ ପୁତ୍ର ମାନଙ୍କ ନାଶ ପାଇଁ ଦୁଃଖ ସାଗରରେ ବୁଡିଥିଲେ।ଏ ସବୁ ମୋ ଦୁଷ୍କୃତ କର୍ମ ଫଳ ସ୍ଵରୂପ ଘଟିଲା।”
ସୂତ କହିଲେ,”ଧର୍ମନନ୍ଦନ ଙ୍କ ବାକ୍ୟ ଶୁଣି ସାରଥି ସଞ୍ଜୟ କିଛି କହିଲେ ନାହିଁ। ଧୃତରାଷ୍ଟ୍ରଙ୍କୁ ପାଖରେ ନଦେଖି ଦୁଃଖରେ ବିକଳ ହୋଇ ସେ ଆଖିରୁ ଲୁହଧାର ଗଡାଇଲେ। ପୁଣି ସେ ଲୁହ ପୋଛି କହିଲେ,”ମହାରାଜାଙ୍କ ବାପା ମା କୁଆଡ଼େ ଗଲେ, ସେକଥା ମୁଁ ଜାଣି ନାହିଁ।” ଏହା କହି ସଞ୍ଜୟ ଦୁଃଖ ସାଗରରେ ବୁଡ଼ି ଗଲେ। ଏହି ସମୟରେ ବୀଣା ଝଙ୍କାର ଶୁଣାଗଲା। ସମସ୍ତେ ଅନରୀକ୍ଷକୁ ଚାହିଁଲେ।ନାରଦ ମହାମୁନି ବୀଣା ବାଦନ କରି ଗୋବିନ୍ଦଙ୍କ ଗୁଣ ଗାଇ ଗାଇ ଆସୁଥିଲେ। ମହାମୁନିଙ୍କ ପାଦ ଧୋଇ ତାଙ୍କୁ ଆସନରେ ବସାଇ ମହାରାଜା ଯୁଧିଷ୍ଠିର ଓ ତାଙ୍କ ଭାଇମାନେ ତାଙ୍କ ପାଦତଳେ ପ୍ରଣାମ କରି ବିଧିମତେ ପୂଜା କଲେ। ଯୁଧିଷ୍ଠିର ପଚାରିଲେ,”ହେ ବ୍ରହ୍ମାନନ୍ଦନ!ମୋ ବାପା ମା କୁଆଡ଼େ ଗଲେ? ଘୋରବନ ମଧ୍ୟରେ ଚକ୍ଷୁ ନଥାଇ ସେମାନେ କେମିତି ଜୀବନ ଧରି ରହିବେ? ଗଭୀର ଜଳ ମଧ୍ୟରେ ଡଙ୍ଗା ଥୋଇ ନାବିକ ପଳାଇଗଲା ଭଳି ମୋତେ ଅନାଥ କରିଗଲେ। ଅଧିକ ଆଉ କ’ଣ କହିବି? ଏବେ କର୍ଣ୍ଣଧାର ହୋଇ ଦୁଖସାଗରରୁ ପାର କରନ୍ତୁ।ନାରଦ ମହାମୁନି କହିଲେ,”ରାଜା ଯୁଧିଷ୍ଠିର! ତୁମେ ଦୁଃଖ କର ନାହିଁ। ଈଶ୍ବରଙ୍କ ବଶରେ ଏ ସଂସାରରେ ସଂଯୋଗ, ବିଚ୍ଛିନ୍ନ ହୁଏ। ଇଶ୍ୱରଙ୍କ ଇଚ୍ଛାରେ ସଂସାର ପରିଚାଳିତ।ହେ ରାଜନ୍! ତୁମେ ତୁମକୁ ଜାଣି ନାହଁ। ସଂସାରକୁ ସତ୍ୟ ବୋଲି ମନେ କରୁଛ।ଶ୍ରୀହରି ନିତ୍ଯ ବିଶ୍ଵରୂପୀ ନରଶରୀର ଧାରଣ କରନ୍ତି। କେବଳ ସେ ଥିବା ପର୍ଯ୍ୟନ୍ତ ହିଁ ତୁମେ ଅଧିକାରୀ। ଏବେ ତୁମ ବାପା ମା ଙ୍କ କଥା ଶୁଣ!ବିଦୁର, ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ସହିତ ହିମାଳୟର ଦକ୍ଷିଣରେ ଅବସ୍ଥିତ ଘୋର ବନ ମଧ୍ୟରେ ଋଷି ଆଶ୍ରମରେ ଅଛନ୍ତି। ସେଠାରେ ସପ୍ତ ସ୍ରୋତ ଗଙ୍ଗା ନଦୀ ପ୍ରବାହିତ। ଭାରତବର୍ଷର ଏହି ପ୍ରସିଦ୍ଧ ସ୍ଥାନରେ ସେମାନେ ପ୍ରତିଦିନ ପବିତ୍ର ଜଳରେ ସ୍ନାନ କରି ଅନେକ ହୋମ ଦାନ କରି କେବଳ ଜଳ ଭକ୍ଷଣ କରି ଜୀବନ ରକ୍ଷା କରୁଛନ୍ତି। ଗୋବିନ୍ଦଙ୍କ ଚରଣରେ ଧ୍ୟାନମଗ୍ନ ହୋଇ ଆଜିଠୁ ପାଞ୍ଚଦିନ ପରେ ସେମାନେ ପ୍ରାଣତ୍ୟାଗ କରିବେ। ରାତିରେ ବୃକ୍ଷ ମୂଳରେ ଯୋଗାଗ୍ନିରେ ସ୍ଵାମୀ ସ୍ତ୍ରୀ ଦୁଇଜଣ ଦଗ୍ଧ ହେବେ। ତାହା ଦେଖି ହର୍ଷ ଓ ବିଷାଦରେ ଭଗବାନ ନରହରି ଙ୍କୁ ସ୍ମରଣ କରି ବିଦୁର ସେ ବନରୁ ବାହାରି ତୀର୍ଥ ସେବନ ଅର୍ଥରେ ଆସିବେ।” ମହାରାଜା ଯୁଧିଷ୍ଠିରଙ୍କ ଆଗରେ ଏଭଳି କଥା କହି ମହର୍ଷି ନାରଦ ବୀଣା ବଜାଇ ଆକାଶ ମାର୍ଗରେ ଗଲେ।
ଧର୍ମନନ୍ଦନ ଯୁଧିଷ୍ଠିର ତତ୍ତ୍ଵ କଥା ଶୁଣି ତାହା ହୃଦୟରେ ଧାରଣ କଲେ । ମହାରାଜା ଯୁଧିଷ୍ଠିର ସବୁ ସଂଶୟ ଦୂର କରି ରାଜ୍ଯ ପାଳନରେ ଦୃଢ ଚିତ୍ତ ଦେଲେ।।
ଆଲେଖ୍ୟ:: ବାବାଜୀ ଚରଣ ଦାସ ।।
କୋକିଳା ଗ୍ରୀନ୍ ଆପାର୍ଟମେଣ୍ଟ ,
ପଞ୍ଚସଖା ନଗର,ଡୁମୁଡୁମା, ଭୁବନେଶ୍ବର-୧୯।