ଆଇଟମ ଡ୍ୟାନ୍ସର ନିଶା ଆସିଲେନି, ଦର୍ଶକ ଷ୍ଟେଜ ଉପରକୁ ଚେୟାର ଫୋପାଡ଼ିଲେ ।

ଅପେକ୍ଷା ଥିଲା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କୁ। ଦର୍ଶକ କରିଥିଲେ ଅପେକ୍ଷା। ନିଶା ଆସିବେ କହି ଭିଡ ମଧ୍ୟ ହୋଇଥିଲା। ହେଲେ ଆସି ପହଞ୍ଚିଲେନି ନିଶା। ଅପେକ୍ଷା କରି କରି ଶେଷରେ ରାଗିଗଲେ ଦର୍ଶକ। ଆଉ ମଞ୍ଚ ଉପରକୁ ଫୋପାଡ଼ିଥିଲେ ଗୋଟିଏ ପରେ ଗୋଟିଏ ଚେୟାର।ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ନିକଟ ଆଙ୍କୁଶପୁରରେ ।

ମା’ ଦକ୍ଷିଣକାଳୀ ଯାତ୍ରା କମିଟି ପକ୍ଷରୁ ଏକ ଅପେରା ଆୟୋଜିତ କରାଯାଇଥିଲା । ମଉଡମଣୀ ଗୌରୀ ଗଣନାଟ୍ୟରେ ନିଶା ଆସିବା ନେଇ ସାମାଜିକ ଗଣମାଧ୍ୟମରେ ଭିଜୁଆଲ ଭାଇରାଲ୍ ହେବା ପରେ ସୋମବାର ରାତିରେ ଦର୍ଶକମାନେ ଅଧିକ ଉତ୍ସାହିତ ହୋଇ ଗଣନାଟ୍ୟକୁ ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଦର୍ଶକ ଅପେକ୍ଷା କରିଥିଲେ ମଧ୍ୟ ନିଶା ମହାରଣା ନଆସିବାରୁ ଦର୍ଶକ ମାନେ ତାଣ୍ଡବ ଆରମ୍ଭ କରିଥିଲେ । ଷ୍ଟେଜ ଉପରକୁ ଚେୟାର ଫୋପାଡ଼ିଥିଲେ । ହୋହଲ୍ଲା ମଧ୍ୟ କରିଥିଲେ । ଏମିତିକି ଅଧାରୁ ନାଟକ ନଦେଖି ବାହାରକୁ ପଳାଇଥିଲେ ଦର୍ଶକ । ଅପେରା ମଧ୍ୟ ଅଧାରୁ ବନ୍ଦ ହୋଇଥିବା ଦେଖିବାକୁ ମିଳିଥିଲା । ଦର୍ଶକ ମାନଙ୍କ ଅସନ୍ତୋଷ ପରେ ଅପେରା ବନ୍ଦ କରିବାକୁ ବାଧ୍ୟ ହୋଇଥିଲା ଯାତ୍ରା କମିଟି । ଖବର ପାଇ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ସେଠାରୁ ଘଉଡାଇଥିଲା ।

You might also like