ଓଡ଼ିଆ ଭାଗବତରେ ପୃଥ୍ବୀ ଧର୍ମ ସମ୍ବାଦ ।।
କଳିରେ ଖିନ୍ନ ଧରା ଧର୍ମ।
ଗୋ ବେଶେ କଥୋପକଥନ।କରନ୍ତେ ତହିଁ ପରୀକ୍ଷିତ।
ଆଗମ ଷୋଡ଼ଶ ବୃତ୍ତାନ୍ତ।।
ଅଭିମନ୍ୟୁ ସୁତ ପରୀକ୍ଷିତ ଅତ୍ୟନ୍ତ ବିକ୍ରମଶାଳୀ ଥିଲେ।ସେ ବିରାଟ ରାଜାଙ୍କ ପୁତ୍ରର କନ୍ଯା ଅର୍ଥାତ୍ ନାତୁଣୀକୁ ବିବାହ କଲେ। ସେହି ଭାଗ୍ୟବତୀ ନାରୀଙ୍କ ନାମ ଇରାବତୀ। ତାଙ୍କ ଗର୍ଭରୁ ଜନ୍ମେଜୟ ଆଦି ଚାରି ପୁତ୍ର ଜନ୍ମ ହେଲେ। ରାଜା ପରୀକ୍ଷିତ ଗଙ୍ଗା ତୀରରେ ତିନିଟି ଅଶ୍ଵମେଧ ଯଜ୍ଞ ସମାପନ କଲେ। ସେଠାରୁ ଦିଗବିଜୟରେ ବିଜେ କରି ଦିନେ କଳିଯୁଗକୁ ବେଳ ଅବସାନ ସମୟରେ ଦେଖିଲେ। ସେହି ରାଜା ଆଗରେ ଦୁଇଟି ଗୋରୁ ଅର୍ଥାତ୍ ଧେନୁ ରୁପୀ ଧରଣୀ ଓ ବୃଷଭ ରୂପୀ ଧର୍ମ ରଖି ହୁଙ୍କାରେ ପାଦ ପ୍ରହାର କରୁଥିଲେ। ରାଜା ପରୀକ୍ଷିତଙ୍କ ସମକକ୍ଷ କୈାଣସି ନୃପତି ନଥିଲେ।ସେ ଉତ୍ତମ ରଥ ସଜ କରି ମନ ପରି ବେଗଶୀଳ ଚାରୋଟି ଅଶ୍ଵ ଯୋଚିଲେ।ରଥ ଉପରେ ସିଂହଧ୍ଵଜ ଥାଇ ପୁରରୁ ମହାରାଜ ବାହାରିଲେ।ଉତ୍ତରକୁରୁ ଦେଶର ସବୁ ନୃପତି ତାଙ୍କର ବଶ୍ଯତା ସ୍ଵୀକାର କଲେ।ଭଦ୍ରାଶ୍ଵ,କେତୁମାଳ ଜୟ କରି ସେ ସମଗ୍ର ଭାରତବର୍ଷର ନୃପମଣି ହେଲେ।ଧର୍ମ ଗୋଟିଏ ପାଦ ଥିବା ବୃଷଭ ରୂପରେ ପୃଥିବୀକୁ ଗାଈ ରୂପେ ଦେଖି ତାଙ୍କ ସମୀପରେ ପହଞ୍ଚିଲେ।
ସେହି ଗାଈ ରୂପୀ ଧରଣୀ ମୁହଁ ତଳକୁ କରି ବତ୍ସା ନଥିବା ଭଳି ଲୁହ ଝରାଉ ଥିଲେ। ତାଙ୍କ ମୁହଁକୁ ଚାହିଁ ଧର୍ମ ଦେବତା ପ୍ରିୟ ଭାବରେ ପଚାରିଲେ,”ହେ ବସୁନ୍ଧରା! ସତ୍ୟ କହ।ତୋ ବିଷୟରେ ମୋତେ ସନ୍ଦେହ ଲାଗୁଛି।ତୋ ଶରୀରରେ କି ବ୍ୟାଧି ହୋଇଛି।ତୋ ସ୍ଵଭାବ ସୁନ୍ଦର ମୁଖରେ ବିରସ ଭାବ। ମୋର ଗୋଟିଏ ପାଦ ଦେଖି ତୋ ମନରେ କ’ଣ ଦୟା ହେଲାକି?” କଳିଯୁଗର ସମସ୍ତ ଲକ୍ଷଣ ସେ କହିଲେ। ଧର୍ମ ବୃଷଭ ଙ୍କ ବାକ୍ୟ ଶୁଣି ବିନୟ ହୋଇ ପୃଥିବୀ କହିଲେ,”ହେ ବୃଷଭ! ମୋତେ ଯେତେ ପ୍ରଶ୍ନ କଲ, ସେସବୁ ତୁମକୁ ଅଜଣା ନୁହେଁ। ତୁମ ପାଦ ପ୍ରାଣୀମାନଙ୍କ ସୁଖର କାରଣ। ସତ୍ୟ, ଶାନ୍ତି,ଦୟା, କ୍ଷମା, ତ୍ଯାଗ, ସନ୍ତୋଷ,ସରଳତା,ତପ,ସମତା, ଜ୍ଞାନ, ବୈରାଗ୍ୟ, ଐଶ୍ୱର୍ଯ୍ୟ, କୀର୍ତ୍ତି, ଗୈାରବ,ଅନହଙ୍କାର,ମହତଜନଙ୍କ ସମସ୍ତ ଆଚରଣ ସୈାଭାଗ୍ୟ ବଶତଃ ଶ୍ରୀକୃଷ୍ଣଙ୍କ ସହିତ ବୈକୁଣ୍ଠକୁ ଗଲେ। ଏବେ କଳିରାଜାଙ୍କ ଦୃଷ୍ଟିପାତ ହେଲା। ତେଣୁ ମୁଁ ଶୋଚନା କରୁଛି। ମୁଁ ଏବେ ଆତ୍ମାକୁ ସୁମରି ଏସବୁ ଗୁଣକୁ ମନେ ରଖିଛି। ତୁମ ଭଙ୍ଗା ଗୋଡ଼ ଦେଖି ଅତ୍ୟନ୍ତ ଦୁଃଖିତ ହୋଇ କାନ୍ଦୁଛି। ଦେବତା, ଋଷି,ପିତୃ ପୂଜା,ବର୍ଣ୍ଣାଶ୍ରମ ଆଦି ସବୁ ଧର୍ମ ଦୂର ହୋଇଗଲା। ମୋତେ ଛାଡ଼ି ଭଗବାନ ଚକ୍ରଧର ଚାଲିଗଲେ। ବ୍ରହ୍ମାଦି ଦେବଦେବୀ ମାନେ ମୋ ସହିତ ନିଶ୍ଚଳ ଅଛନ୍ତି। ସେହି ଭଗବାନଙ୍କର ଚିହ୍ନ,ଧ୍ଵଜ, ଅଙ୍କୁଶ ଆଦି ମୋ ଦେହରେ ଅଛି। ଯେହେତୁ ଶ୍ରୀହରି ମୋତେ ଛାଡ଼ି ବୈକୁଣ୍ଠ ପୁରକୁ ଗଲେ, ତେଣୁ ମୁଁ ହତଶିରି ଦିଶୁଛି।” ସୂତ କହିଲେ,” ଏଭଳି ଧରଣୀ ଧର୍ମ ଙ୍କ ସହିତ କଥା ହେଉହେଉ ଦିଗବିଜୟ ସାରି ଧର୍ମ, ଧରଣୀଙ୍କ ସହିତ ସରସ୍ଵତୀ ନଦୀ କୁଳରେ ମିଳିତ ହେଲେ।।”
ଆଲେଖ୍ୟ:: ବାବାଜୀ ଚରଣ ଦାସ।
ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯।