ଓଡିଆ ଭାଗବତ, ପରୀକ୍ଷିତଙ୍କ ଜନ୍ମକଥା ।। 

ଓଡ଼ିଆ ଭାଗବତରେ ଏହି କଥା ପ୍ରଥମ ସ୍କନ୍ଧ, ଦ୍ଵାଦଶ ଅଧ୍ୟାୟରେ ପରିକ୍ଷିତଙ୍କ ଜନ୍ମ କଥା ଅଛି  ।।ଶୌନକ କହିଲେ,”କୋପରେ ଦ୍ରୋଣଗୁରୁଙ୍କ ପୁତ୍ର ଅଶ୍ଵତ୍ଥାମା ମନ୍ତ୍ର କରି ଶର ପେଷିଲେ। ତା’ର ପ୍ରଚଣ୍ଡ ତେଜ ବଳରେ ଦିଗପାଳ ମାନେ ଭୟରେ ଥରିବାକୁ ଲାଗିଲେ। ସେହି ଶର ଉତ୍ତରା ଗର୍ଭରେ ପଡ଼ିଲା। ଗୋବିନ୍ଦ ହିଁ ସେହି ଗର୍ଭକୁ ରକ୍ଷା କଲେ।ସେ ପୁଣି ଉତ୍ତରା ଗର୍ଭରୁ ଜନ୍ମ ଗ୍ରହଣ କରି ରାଜା ହୋଇ ପୃଥିବୀ ପାଳନ କଲେ।ସେ କିପରି ପ୍ରଜାମାନଙ୍କୁ ପାଳନ କଲେ?ସେ କି କି କର୍ମ କଲେ? କ’ଣ ପାଇଁ ମହାରାଜ ପରୀକ୍ଷିତ ଅଳ୍ପ ବୟସରୁ ପ୍ରାଣ ଛାଡ଼ିଲେ? ଦେହାନ୍ତ ପରେ ପରୀକ୍ଷିତ କେଉଁ ଗତି ଲଭିଲେ? ବ୍ଯାସଙ୍କ ପୁତ୍ର ତାଙ୍କୁ ଜ୍ଞାନ ତତ୍ତ୍ଵ ଦେଲେ। ତାଙ୍କର ସକଳ କର୍ମଦୀକ୍ଷା ଆମ୍ଭେ ଶୁଣିବାକୁ ଇଚ୍ଛା କରୁଛୁ।ସେସବୁ ବିଷୟରେ ଆମ୍ଭକୁ କହନ୍ତୁ।ହେ ମୁନି! ଆମ୍ଭକୁ ଦୟାକରି ସବୁ କହି ଆମର ସଂଶୟ ଦୂର କରନ୍ତୁ।

    ସୂତ ମୁନି କହିଲେ,”ଧର୍ମରାଜ ଯୁଧିଷ୍ଠିର ପ୍ରଜା ମାନଙ୍କୁ ପୁତ୍ର ଭଳି ପାଳିଲେ।ସେ କୃଷ୍ଣଙ୍କ ବ୍ୟତୀତ ଅନ୍ଯ କିଛି ଜାଣୁ ନଥିଲେ।ବିଷୟ ସମ୍ପତ୍ତିରେ ତାଙ୍କର ଲୋଭ ନଥିଲା। କେବଳ ଧର୍ମ ବ୍ୟତୀତ ଆଉ କିଛି ତାଙ୍କ ମନରେ ନଥିଲା।ଜମ୍ବୁ ଦ୍ୱୀପର ସବୁ ରାଜାମାନେ ତାଙ୍କର ପାଦପୂଜା କରୁଥିଲେ। ତାଙ୍କର ମହିମା ତିନି ଲୋକରେ ପ୍ରଚାରିତ ହେଉଥିଲା। 

  ଏବେ ପରୀକ୍ଷିତ ଜନ୍ମ କହିବା।ଶୁଣ! ମାତା ଗର୍ଭରେ ଥିବା ବେଳେ ସେ କୃଷ୍ଣଙ୍କୁ ଦେଖିଥିଲା।ତାର ମା ଉତ୍ତରା’ଙ୍କ ଗର୍ଭରେ ବ୍ରହ୍ମଶର ପଡ଼ିଲା। ତାହା ଅତ୍ୟନ୍ତ ତେଜସ୍କ୍ରିୟ ଥିଲା। ସୂର୍ଯ୍ୟଦେବଙ୍କ ତେଜ ଭଳି ବ୍ରହ୍ମଶର ଦେଖି ଉତ୍ତରା ତ୍ରାହି ତ୍ରାହି ଡାକିଲା। ସଙ୍ଗେସଙ୍ଗେ ପ୍ରଭୁ ଭାବଗ୍ରାହୀ ଶ୍ରୀକୃଷ୍ଣ ଆଙ୍ଗୁଠିରେ ସୁଦର୍ଶନ ଚକ୍ର ଧରି ଅଙ୍ଗୁଳି ପ୍ରମାଣେ ଉତ୍ତରା ଶରୀର ମଧ୍ୟକୁ ପ୍ରବେଶ କଲେ।ତାଙ୍କ ଦେହରେ କିରୀଟ କୁଣ୍ଡଳ ବିରାଜମାନ କରୁଥାଏ। ସୂର୍ଯ୍ୟପ୍ରଭା ସମ ଅପୂର୍ବ ରୂପ ତାଙ୍କର।ସେ କଟିରେ ଅଣ୍ଟାସୂତା ବା ମେଖଳା ପିନ୍ଧିଥାନ୍ତି।ଆଜାନୁ ଲମ୍ବିତ ଚାରି ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭା ପାଉଥାଏ।ସେ ଦୃଢ଼ ହସ୍ତରେ ଗଦା ବୁଲାଉଥାନ୍ତି।ଗଦାର ତେଜରେ ଦଶଦିଶ ପୂର୍ଣ୍ଣ ହେଉଥାଏ। ସୂର୍ଯ୍ୟ କିରଣ ପଡିଲେ ନିହାର ଭଳି ସେ ବ୍ରହ୍ମଶର ତେଜ ହରଣ କଲେ। ।ଧର୍ମପାଳକ ଭଗବାନ ଜନାର୍ଦ୍ଦନ ସେହି ବ୍ରହ୍ମଶର ଦହନ କରି ଗର୍ଭ ରକ୍ଷା କଲେ। ଭଗବାନ ମୁରାରୀ ଗର୍ଭ ରକ୍ଷା ପରେ ଅନ୍ତର୍ଦ୍ଧାନ ହେଲେ। ଗର୍ଭରେ ଥାଇ ପରୀକ୍ଷିତ ନିଜ ଚକ୍ଷୁରେ ଭଗବାନଙ୍କୁ ଦେଖିଛି।ସର୍ବ ଶୁଭ କାଳ ଓ ଲଗ୍ନରେ ପାଣ୍ଡବ ବଂଶଧର ପରୀକ୍ଷିତ ଅତି ସୁନ୍ଦର ରୂପ ଧାରଣ କରି ଜନ୍ମ ଗ୍ରହଣ କଲେ।ସତେ ଯେମିତି ପାଣ୍ଡୁ ପ୍ରକାଶିତ ହେଲେ।ଧର୍ମସୂତ ଯୁଧିଷ୍ଠିର ଖୁସି ହେଲେ। ପୁରୋହିତ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ପହଞ୍ଚିଲେ।ଶୁଭ ସମୟରେ ଜାତକର୍ମ କରି ମହାରାଜ ଯୁଧିଷ୍ଠିର ସ୍ମୃତିଶାସ୍ତ୍ର ମତେ ଅନେକ ଦାନ ଦେଲେ।ଶିଶୁର ଜନ୍ମ ପରେ ଓ ନାଭିଛେଦନ ପୂର୍ବର ସମୟକୁ ପ୍ରଜାତୀର୍ଥ କହନ୍ତି। ଏହି ସମୟରେ ସୂତକ ଲାଗେ ନାହିଁ।

   ବ୍ରାହ୍ମଣମାନେ ବସି ପରୀକ୍ଷିତର ଜାତକ ଲକ୍ଷଣ ରାଜା ଯୁଧିଷ୍ଠିରଙ୍କୁ କହିଲେ।ଗ୍ରହ ନକ୍ଷତ୍ର ବିଚାର କରି ସେମାନେ କହିଲେ,”ଏହି ଅଭିମନ୍ୟୁଙ୍କ ପୁଅ ପାଣ୍ଡବ ବଂଶରେ କୀର୍ତ୍ତିକର ପୁରୁଷ ହେବେ।ଗର୍ଭ ସଙ୍କଟରୁ ଏହି ପୁତ୍ର ରକ୍ଷା ପାଇଲା। ଏହାଙ୍କୁ ବିଷ୍ଣୁ ରକ୍ଷା କଲେ।ସର୍ବ ଲକ୍ଷଣଯୁକ୍ତ ଏହି ସନ୍ତାନ।ପରୀକ୍ଷିତକୁ ବିଷ୍ଣୁ ଗର୍ଭରେ ପୁନର୍ଜୀବନ ଦେଇଥିବାରୁ ଏହାର ନାମ ବିଷ୍ଣୁରାତ। ଏହି କୁମାର ଭକ୍ତ ମାନଙ୍କର ଶିରୋମଣି। ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ ମହାରାଜ! ବ୍ରାହ୍ମଣ ମାନଙ୍କ ଠାରୁ ଏଭଳି କଥା ଶୁଣି ମହାରାଜା ଯୁଧିଷ୍ଠିର କହିଲେ,ହେ ବିପ୍ରଗଣ! ତୁମ କଥା ମୋତେ ଅମୃତ ସମାନ ଲାଗିଲା।ଗ୍ରହ ନକ୍ଷତ୍ର,ଯୋଗ ଲଗ୍ନ ଅନୁସାରେ ଏହି ବଂଶଧର ସାଧୁସନ୍ଥ ଭଳି ସତରେ ରାଜପଦ ସମ୍ଭାଳିବ ତ!।” ମହାରାଜା ଯୁଧିଷ୍ଠିର ଙ୍କ କଥା ଶୁଣି ବିପ୍ରମାନେ ଜାତକ ଲକ୍ଷଣ ଦେଖି କହିଲେ,”ହେ ଧର୍ମନନ୍ଦନ! ଆମ୍ଭେମାନେ ଆଶୀର୍ବାଦ ଦେଇ କହୁଛୁ, ଏହି କୁମର ଇକ୍ଷ୍ଵାକୁଙ୍କ ଭଳି ପ୍ରଜାପାଳନ କରିବ। ରଘୁବଂଶର ଶ୍ରୀରାମ ଙ୍କ ଭଳି ଏହାଙ୍କର ଯଶ ଖ୍ୟାତି ସବୁ ଆଡ଼େ ବ୍ଯାପିବ।ଦୟାବୀର ଶିବିଙ୍କ ଭଳି ଏ କୁମର ହେବ।ସେ ଭରତ ସମ ଯଜ୍ଞକାରୀ, ଅର୍ଜ୍ଜୁନଙ୍କ ସମ ଧନୁର୍ଦ୍ଧାରୀ,ହୁତାଶ ଭଳି ତେଜମୟ, ସମୁଦ୍ର ଭଳି ଦୁସ୍ତର, କେଶରୀ ସମ ବିକ୍ରମଧାରୀ, ପର୍ବତ ଭଳି ଆଶ୍ରୟଦାତା, ପୃଥିବୀ ଭଳି ଧୀରଚେତା, ପିତାମାତାଙ୍କ ଭଳି ସହିଷ୍ଣୁ, ବିଧାତା ଙ୍କ ଭଳି ସମ ଦୃଷ୍ଟି ସମ୍ପନ୍ନ, ଇଶ୍ଵରଙ୍କ ଭଳି ବରଦାତା, ଭଗବାନ ବିଷ୍ଣୁ ଙ୍କ ଭଳି ସବୁ ପ୍ରାଣୀମାନଙ୍କର ଆଶ୍ରୟଦାତା ହେବେ।ଏ କୁମର ସର୍ବ ଲକ୍ଷଣଯୁକ୍ତ ଶ୍ରୀକୃଷ୍ଣଙ୍କ ଭଳି ହେବ।ସେ ଉଦାର ଗୁଣରେ ରନ୍ତିଦେବ, ଧର୍ମ ଭାବନାରେ ଯଯାତି,ଧୀର ପଣରେ ବଳି ଓ ବୈଷ୍ଣବ ପଣରେ ପ୍ରହ୍ଲାଦ ଙ୍କ ଭଳି ହେବେ।ଏ ଅଶ୍ଵମେଧ ଯଜ୍ଞକାରୀ।ଏ କୁମର ବୃଦ୍ଧ ମାନଙ୍କ ସେବାକାରୀ, ଦୁଷ୍ଟ ଜନଙ୍କ ଦର୍ପ ନାଶକାରୀ ଅଟନ୍ତି। ବ୍ରାହ୍ମଣ ମାନଙ୍କ ଶାପ ବଳରେ ଏ ତକ୍ଷକ ଦର୍ଶନରେ ପ୍ରାଣ ହରାଇବେ। ବ୍ରାହ୍ମଣ ଅଭିଶାପ ପାଇ ଏ ଜାହ୍ନବୀ କୁଳରେ ଭକ୍ତ ମାନଙ୍କ ମେଳରେ ଶୁକମୁନିଙ୍କ ଠାରୁ କୃଷ୍ଣ କଥା ଶୁଣିବେ। ଗୋବିନ୍ଦଙ୍କ ଅଭୟ ଚରଣରେ ଶରଣାପନ୍ନ ହୋଇ ସୁଖରେ ପ୍ରାଣ ଛାଡିବେ।ସୂତ କହିଲେ, ଏମିତି ଜାତକର୍ମ କଲେ। ବନ୍ଧୁବାନ୍ଧବ, ବ୍ରାହ୍ମଣମାନେ ନିଜ ନିଜର ସ୍ଥାନକୁ ଗଲେ। ସଂସାରର ସବୁ ପ୍ରାଣୀଙ୍କ ଭଳି ଏ ନୁହେଁ। ଗର୍ଭରେ ଥିବା ବେଳେ ଚକ୍ରପାଣି ଙ୍କୁ ଦେଖିଲା। ଏଭଳି ପରୀକ୍ଷିତ ହୋଇ ଥିବାରୁ ତାଙ୍କ ନାମ ପରୀକ୍ଷିତ ଭାବରେ ସର୍ବ ଲୋକରେ ବିଖ୍ୟାତ ହେଲା।।

ଆଲେଖ୍ୟ:: ବାବାଜୀ ଚରଣ ଦାସ। 

ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯।