ପରୀକ୍ଷିତଙ୍କୁ ବିପ୍ର ଅଭଶାପ !(ଓଡ଼ିଆ ଭାଗବତ ; ଆମ ପୁରାଣ ପୃଷ୍ଠା)
ବ୍ରାହ୍ମଣ ବାଳକର ଶାପ।
ଲଭନ୍ତେ ପରୀକ୍ଷିତ ନୃପ।।
ବୈରାଗ୍ୟ ହେଲା ମନେ ଜାତ।
ଅଷ୍ଟାଦଶର ଏ ଚରିତ।।
ଦ୍ରୋଣଗୁରୁଙ୍କ ପୁତ୍ର ଅଶ୍ଵତ୍ଥାମାର ଅସ୍ତ୍ରାଘାତରେ ପରୀକ୍ଷିତ ଭଗବାନ କୃଷ୍ଣଙ୍କ ଅନୁଗ୍ରହରେ ମୃତ୍ୟୁ ମୁଖରୁ ଉଦ୍ଧାର ପାଇ ବଞ୍ଚି ରହିଲେ। ବ୍ରାହ୍ମଣ କୋପରେ ତକ୍ଷକ ଦଂଶନ କରିବ ବୋଲି ଅଭିଶାପ ଦେଲା। ରାଜା ପରୀକ୍ଷିତ ମରଣକୁ ଭୟ ନକରି ଭଗବାନଙ୍କୁ ହୃଦୟରେ ଚିନ୍ତା କଲେ।ବ୍ଯାସକୁମର ଶୁକଙ୍କ ମୁଖରୁ ହରି ମହିମା ଶୁଣି ସର୍ବସଙ୍ଗ ଛାଡି ଜ୍ଞାନ ତତ୍ତ୍ଵରେ ମନ ଦେଲେ।ସେ ଗୋବିନ୍ଦଙ୍କ ଠାରେ ଶରଣାପନ୍ନ ହେଲେ। ସର୍ବଦା ଶ୍ରୀହରିଙ୍କ ପାଦପଦ୍ମ ସ୍ମରଣ କରନ୍ତି। ସେହି ପରୀକ୍ଷିତ ରାଜା ଯେତେଦିନ ଜୀବିତ ଥିଲେ, ତାଙ୍କ ରାଜ୍ୟରେ କଳି ପ୍ରବେଶ କଲେ ନାହିଁ। ଯେତେବେଳେ ନନ୍ଦନନ୍ଦନ ଦେହ ତ୍ଯାଗ କଲେ, ସେତେବେଳେ କଳି ଏ ସଂସାରକୁ ପ୍ରବେଶ କଲେ। ରାଜା ପରୀକ୍ଷିତ ତାଙ୍କୁ ସ୍ଥାନ ଦେଲେ। ମୁନି ଋଷି ମାନେ ସୂତଙ୍କୁ ପରୀକ୍ଷିତ କି କି କର୍ମ କଲେ ବୋଲି ପଚାରିବାରୁ ସୂତ କହିଲେ,”ମୋର ପରମ ସୌଭାଗ୍ୟ, ଜ୍ଞାନବୃଦ୍ଧ ମାନଙ୍କ ମଧ୍ୟରେ ମୁଁ ସମାଦର ପାଉଛି।
ଦିନେ ପରୀକ୍ଷିତ ମୃଗୟା ଉଦ୍ଦେଶ୍ୟରେ ବନକୁ ଗଲେ।ମୃଗ ନପାଇ କ୍ଷୁଧିତ ଓ ତୃଷିତ ବଦନରେ ଫେରିଲେ।ବାଟରେ ଜଳ ନପାଇ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ।ସେ ଦେଖିଲେ, ଜଣେ ବ୍ରାହ୍ମଣ ଏକ ବୃକ୍ଷ ମୂଳରେ ମୁଦ୍ରିତ ନୟନରେ ଆନନ୍ଦିତ ହୋଇ ନିଶ୍ଚଳ ଆସନରେ ବସିଛନ୍ତି।ସେ ବ୍ରାହ୍ମଣ ଯୋଗଧ୍ୟାନରେ ଆତ୍ମା,ମନ, ବୁଦ୍ଧି ନିଶ୍ଚଳ କରି ନବଦ୍ଵାର ପବନକୁ ରୁନ୍ଧି, ଇନ୍ଦ୍ରିୟଗଣ ନିୟନ୍ତ୍ରଣରେ ରଖି, ନିର୍ବିକାର ଚିତ୍ତରେ ଧ୍ୟାନରେ ବସିଥାନ୍ତି। ମଥାରେ ତାଙ୍କର ଜଟା ଭାର।ସେ ହରିଣ ଚର୍ମ ଉପରେ ବସିଥାନ୍ତି। ଏଭଳି ଅବସ୍ଥାରେ ଦେଖି ମହାରାଜା ପରୀକ୍ଷିତ ତୃଷାରେ କଣ୍ଠ ଶୁଖି ଯାଇଥିବା ବେଳେ ବ୍ରାହ୍ମଣଙ୍କୁ ଜଳ ମାଗିଲେ। ମହାରାଜା ଆପଣାର ଅତିଥି ପୂଜା ଇଚ୍ଛା କଲେ।ଉଦକ,ତୃଣ,ଭୂମି, ଅର୍ଘ୍ୟ, ସତ୍ୟ ମଧୁର ବଚନ ଓ ସାଧୁବାଣୀ ନ ପାଇବାରୁ ମହାରାଜା ପରୀକ୍ଷିତ ମନ ଭିତରେ କୋପ କଲେ।ସେ ଭାବିଲେ ମୋତେ ବ୍ରାହ୍ମଣ ଅବଜ୍ଞା କଲା।କ୍ଷୁଧା ଓ ତୃଷାରେ ତାଙ୍କ ମନ କ୍ଷଣ କ୍ଷଣକେ ଅଚେତନ ପ୍ରାୟ ହେଉଥାଏ। କାଳ ବଳରେ ପ୍ରଚଣ୍ଡ କ୍ରୋଧ ଜର୍ଜରିତ ହୋଇ ଏକ ମୃତ ସାପ ଧନୁରେ ଟେକି ଆଣି ବ୍ରାହ୍ମଣ ଗଳାରେ ଲମ୍ବାଇ ଦେଇ ନିଜ ରାଜପ୍ରସାଦକୁ ଚାଲିଗଲେ। ବାଟରେ ଯାଉଯାଉ ବ୍ରାହ୍ମଣ କଥା ଭାବିବାକୁ ଲାଗିଲେ।ଭାବିଲେ, “ବ୍ରାହ୍ମଣର ଏହା କପଟ।ସର୍ବ ଇନ୍ଦ୍ରିୟ ନିବୃତ୍ତ କରି ନିଶ୍ଚଳ ସମାଧିରେ କାହିଁକି ଆଖି ବୁଜି ଥିଲେ? ରାଜାଙ୍କ ଆଗମନ ଜାଣି ମଧ୍ୟ ତାଙ୍କୁ ଅବଜ୍ଞା କରିବା ପାଇଁ ସେ ଦୃଢବ୍ରତ ଥିବା ଭଳି ଜଣା ପଡୁଥିଲେ। ଜଣେ ମଣିଷ ଏତେ ଅବଜ୍ଞା କଲେ କ୍ଷତ୍ରିୟ କ’ଣ ସହି ପାରିବ?” ଏହିଭଳି ଭାବି ମହାରାଜା ପରୀକ୍ଷିତ ନିଜ ପୁରକୁ ଗଲେ।
ବାପାଙ୍କର ଏଭଳି ଅବସ୍ଥା ବାଳକ ମାନଙ୍କ ଠାରୁ ଶୁଣି ଶମୀକ ମୁନିଙ୍କ ପୁତ୍ର ଶୃଙ୍ଗା ମନରେ କୋପିତ ହେଲେ।ବାଳକ ମାନଙ୍କ ସାଙ୍ଗରେ ଖେଳୁଥିବା ଶୃଙ୍ଗା ରାଜା ପରୀକ୍ଷିତଙ୍କ ଆଗମନ ଓ ତାଙ୍କ ପିତାଙ୍କ ଅବସ୍ଥା ଶୁଣି ମନେ ମନେ ଭାବିଲେ, “ସଂସାର ଧର୍ମର ଯେ ପାଳକ, ତାଙ୍କର ଅବିବେକୀ ପଣିଆ ଦେଖ! ଯେହେତୁ ଶ୍ରୀକୃଷ୍ଣ ନିଜ ପୁରକୁ ଫେରିଗଲେ, ତେଣୁ ଏ ରାଜା ମନରେ ଅନ୍ୟାୟ କଥା ଚିନ୍ତା କଲେ।ଏ ପ୍ରାଣୀ ସଂସାରରେ ରହିଲେ, ଧର୍ମ ରହିବ ନାହିଁ।ଦେଖ ମୋ ବିପ୍ରପଣ! ମୁଁ ନିଶ୍ଚୟ ଏହାର ପ୍ରତିକାର କରିବି।” ଏଭଳି ବାଳକ ମାନଙ୍କୁ କହି ଆଖି ଲାଲ୍ ଲାଲ୍ କରି କୈାଶିକୀ ନଦୀର ଜଳ ହାତରେ ଧରି ମାର୍ଜନା ଆଚମନ କରି ରାଜା ପରୀକ୍ଷିତଙ୍କ ଉଦ୍ଦେଶ୍ୟରେ ଅଭିଶାପ ଦେଇ କଠୋର ବାକ୍ଯରେ କହିଲେ,”ଅଧର୍ମ ବିଚାର କରି ଏ ପାମର ଅନ୍ଯାୟ କଲା। ଆଜି ଠାରୁ ସାତଙ ଦିନରେ ତକ୍ଷକ ଆସି ଏ ରାଜାଙ୍କୁ ଦଂଶନ କରୁ। ଏକଥା ଅନ୍ୟଥା ନହେଉ।ମୋ ପିତାଙ୍କର ଯିଏ ଦ୍ରୋହୀ,ସେ କାହିଁକି ଦେହ ଧରି ବଞ୍ଚି ରହିବ? ଏଭଳି ଶାପ ଦେଇ ଶୃଙ୍ଗା ତାଙ୍କ ପିତା ଶମୀକ ମୁନିଙ୍କ ପାଖରେ ପହଞ୍ଚିଲେ। ପିତାଙ୍କ ଗଳାରେ ସର୍ପ ଦେଖି ଅତି ଦୁଃଖରେ ଶୃଙ୍ଗା କାନ୍ଦିବାକୁ ଲାଗିଲେ। ପୁତ୍ରର କ୍ରନ୍ଦନ ଶୁଣି ବ୍ରାହ୍ମଣ ଶମୀକ ମୁନି ଧ୍ୟାନ ଭାଙ୍ଗିଲେ। ଶମୀକ ମୁନି ନିଜ ଆସନରେ ରହି ନିଜ ଗଳାରେ ପଡ଼ିଥିବା ସର୍ପକୁ ଦେଖିଲେ।ଗଳାରୁ ସର୍ପକୁ ବାହାର କରି ପକାଇ ଦେଇ ପୁତ୍ର ମୁହଁ ଚାହିଁ ପଚାରିଲେ,”ହେ ପୁତ୍ର! କ’ଣ ପାଇଁ କାନ୍ଦୁଛ? କେଉଁ ପ୍ରାଣୀ ତୋତେ କଷ୍ଟ ଦେଲା କି?”ପିତାଙ୍କ କଥା ଶୁଣି ପୁତ୍ର ସଂକ୍ଷେପରେ ସବୁ କହିଲେ। ପୁତ୍ର କଥା ଶୁଣି ବ୍ରାହ୍ମଣ କ୍ରୋଧିତ ହୋଇ ନିଷ୍ଠୁର ବାକ୍ୟରେ ପୁତ୍ରକୁ କହିଲେ,”ଅଳ୍ପ ଅପରାଧରେ ତୁ କାହିଁକି ଏସବୁ କର୍ମ କଲୁ?ସେ ରାଜା ପରୀକ୍ଷିତ ପୁଣ୍ଯଦେହୀ ଭକ୍ତ। ଏଭଳି ଅଭିଶାପ ତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ଏମିତି ଆଶ୍ଚର୍ଯ୍ୟ କଥା ଦେଖି ମୋ ମନରେ ଭୀଷଣ ଆଘାତ ଲାଗିଲା। ଅଳ୍ପ ଅପରାଧ ପାଇଁ ତୁ ଅଧର୍ମ ଅର୍ଜିଲୁ ବାଳକ। ଯାହାର ବାହୁତଳେ ଆଶ୍ରା କରି ପ୍ରଜାମାନେ ଧର୍ମ, ସମ୍ପଦ, ସୁଖଶ୍ରୀ ଲାଭ କରନ୍ତି,ସେ କେବେ କାହାର ଦ୍ରୋହ ଚିନ୍ତା କରିପାରେ ନାହିଁ।ସେ ବିଷ୍ଣୁଙ୍କ ଅଂଶରେ ଜନ୍ମିତ ରାଜା ପୃଥିବୀ ପାଳନ କରୁଛନ୍ତି। ଏବେ ରାଜାଙ୍କ ଅନ୍ତେ ପୃଥିବୀରେ ଚୋରୀ ଓ ଅନ୍ଯାୟ ବଢ଼ିବ। ବିଭିନ୍ନ ପ୍ରକାର କୁକାର୍ଯ୍ଯ ହେବ। ସଂସାର ଅନାଥ ହେବ।ସେ ପାପ ଆମର ହେବ। ଚାରି ପାଦ ଧର୍ମ ଛାଡ଼ି ଯିବ। ସମସ୍ତେ ଅର୍ଥ କାମରେ ବୁଡ଼ି ରହିବେ।ବର୍ଣ୍ଣାଶ୍ରମ ଧର୍ମ ତ୍ଯାଗ କରି ଅଧର୍ମ କାମ କରିବେ। ଏହି ନରପତି ପରୀକ୍ଷିତ ଜଣେ ସୁକୃତବନ୍ତ ରାଜା।ସାକ୍ଷାତରେ ମହାଭାଗବତ।ସେ ରାଜର୍ଷି ପରୀକ୍ଷିତ ତିନି ଥର ଅଶ୍ଵମେଧ ଯଜ୍ଞ କଲେ।କ୍ଷୁଧା,ତୃଷାରେ ବନରେ ବୁଲି ମୋ ଆଶ୍ରମରେ ପହଞ୍ଚିଲେ। ତାଙ୍କୁ ଶାନ୍ତି ନକରି ତୁ ଓଲଟି ଅଭିଶାପ ଦେଲୁ।ସେ ଆମ ଶାପର ଯୋଗ୍ୟ ନୁହଁନ୍ତି।ସେ ଅଶେଷ ଧର୍ମର ଦେହ ଧାରଣ କରିଛନ୍ତି।” ବିଷ୍ଣୁଙ୍କୁ ଧ୍ୟାନ କରିଙ୍କୁ ବ୍ରାହ୍ମଣ ତ୍ରାହି ତ୍ରାହି କହିଲେ।ନିଷ୍ପାପ ମଣିଷଙ୍କୁ ଏହି ଅଳ୍ପ ବୁଦ୍ଧି ବାଳକ ଦ୍ରୋହୀ ଭାବିଲା। ଏହା କହି ମନେ ମନେ ବହୁତ ଦୁଃଖ କଲେ।ସେ କହିଲେ,”ଭୋ ନାଥ କରୁଣା ସାଗର! ଏହି ବାଳକର ଦୋଷ କ୍ଷମା କର।” ପୁଣି କହିଲେ,”ପୁତ୍ରକୁ ରକ୍ଷା କର ହେ ଗୋବିନ୍ଦ!” ଶମୀକ ମୁନି ରାଜା ପରୀକ୍ଷିତଙ୍କ ଅପରାଧ କଥା ଚିନ୍ତା କଲେ ନାହିଁ। ଯେଉଁମାନେ ପ୍ରକୃତରେ ସାଧୁ ସେମାନେ ପ୍ରାଣୀଙ୍କ ଦୋଷ ଧରନ୍ତି ନାହିଁ କିମ୍ବା କାହାରି ସ୍ତୁତିରେ ହରଷ ହୁଅନ୍ତି ନାହିଁ।ପର ଦୁଃଖରେ ଦୁଃଖି ହୁଅନ୍ତି। ଆତ୍ମାକୁ ସମଦୃଷ୍ଟିରେ ଦେଖନ୍ତି। ସେଭଳି ସାଧୁଜନଙ୍କର କଥା କେବେ ଅନ୍ୟଥା ହୁଏ ନାହିଁ।
ବୋଲଇ ଦାସ ଜଗନ୍ନାଥ।
ଭାଷା ପ୍ରବନ୍ଧେ ଭାଗବତ।।
ଆଲେଖ୍ୟ:: ବାବାଜୀ ଚରଣ ଦାସ।
କୋକିଳା ଗ୍ରୀନ୍ ଆପାର୍ଟମେଣ୍ଟ, ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯।