ଅକ୍ଷୟ ମହାନ୍ତି,ଆଜି ତାଙ୍କର ଜନ୍ମଦିନ। 

ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ଅକ୍ଷୟ ମହାନ୍ତି । ସେ ଏକାଧାରରେ ଜଣେ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ଖୋକା ଭାଇ ନାମରେ ସେ ସୁପରିଚିତ । ସେ ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ, ଭଜନମାନଙ୍କରେ କଣ୍ଠଦାନ କରିଛନ୍ତି ।ଆଜି ତାଙ୍କର ଜନ୍ମଦିନ। ଓଡ଼ିଆ ଜନ ମାନସରେ ସେ ଅନେକ ନାଁ ଓ ଅନେକ ଭୂମିକାରେ ପରିଚିତ ଥିଲେ। କେବେ ଆର୍ଯ୍ୟ ଦାଶ ତ କେବେ ଅନେଶତ ରାଣୀର ରାଜା।ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି । ସେ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ଆଇ.ଏସ୍‌.ସି ଓ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ ପାସ୍‌ କରିଥିଲେ ।

ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି । କଟକ ଆକାଶବାଣୀଠାରେ ସରକାରୀ ଚାକିରିର ସାତ ବର୍ଷ ପରେ ଚାକିରି ଛାଡ଼ି ପୂରା ସମୟ ସଙ୍ଗୀତ ପାଇଁ ଦେଲେ ।୧୯୫୯ରେ ଅକ୍ଷୟ ଓଡ଼ିଆ ଚଳଚ୍ଚିତ୍ର ‘ମା’ରେ ଗାଇଥିଲେ ପ୍ରଥମ ଗୀତ। ସେଇ ପ୍ରଥମ ଗୀତ ‘ଗୋରୀ ଗୋରୀ ଗୋରୀ…’ ବହୁତ ଲୋକପ୍ରିୟତା ହାସଲ କରିଥିଲା। ସେ ୧୨୯ଟି ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିବା ସହ ୭୫ଟି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ନିତାଇ ପାଲିତ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମଲାଜହ୍ନ’ରେ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ‘ରକତ ଟଳମଳ’ ଗୀତ ସୁପରହିଟ ହୋଇଥିଲା।

You might also like