ସ୍ୱାଭିମାନ ଅଞ୍ଚଳରେ ସୁଟିଂ ହେବ ‘ପୁଷ୍ପା ୨’

ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗିଥିବା ସାଉଥ୍‌ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍‌ ଚଳଚ୍ଚିତ୍ର ‘ପୁଷ୍ପା’ର ସଫଳତା ପରେ ଏବେ ‘ପୁଷ୍ପା-୨’ ନିର୍ମାଣ ପାଇଁ ପ୍ରକ୍ରିୟା ଚାଲିଛି।ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳରେ ସୁଟିଂ ହେବ ସାଉଥର ସୁପର ହିଟ ଚଳଚ୍ଚିତ୍ର ପୁଷ୍ପାର ପାର୍ଟ୍ -୨ । ସୁପର ହିଟ ପୁଷ୍ପା ଚଳଚିତ୍ରର ଅବଶିଷ୍ଟାନ୍ସକୁ ନେଇ ପୁଷ୍ପା ୨ ସୁଟିଙ୍ଗ ହେବ ମାଲକାନଗିରି ଜିଲ୍ଲାରେ । ତେବେ ଏ ନେଇ ମାଲକାନଗିରି ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଠାରୁ ଅନୁମତି ମାଗିଛନ୍ତି ସିନେମାର ପ୍ରଯୋଜକ । ପୁଷ୍ପାର ଦ୍ଵିତୀୟ ଭାଗ କେବେ ଆସିବ ସେନେଇ ଦର୍ଶକ ଅପେକ୍ଷା କରିଥିବା ବେଳେ ଏହି ଚଳଚିତ୍ରର ଶୁଟିଙ୍ଗ ପାଇଁ ମାଲକାନଗିରି ଜିଲ୍ଲାକୁ ଚୟନ କରିଛନ୍ତି ଏହାର ପ୍ରଯୋଜକ ।ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଦେଖିବା ପରେ ସ୍ୱାଭିମାନ ଅଞ୍ଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡା ସ୍ପିଲୱେ ଠାରେ ନିର୍ମାଣାଧୀନ ପୋଲ ନିକଟରେ ସୁଟିଂ କରିବା ନିମନ୍ତେ ଯୋଜନା କରିଛନ୍ତି । 

ଏଥିନେଇ ମୈତ୍ରି ମୁଭି ମେକର ସଂସ୍ଥା ପକ୍ଷରୁ ଫାଇଟ୍ ମାଷ୍ଟର ପିଟର ହାଇନସ୍‌, କଳା ନିର୍ଦେଶକ ରାମକ୍ରିଷ୍ଣା, ଫାଇଟ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁଭ୍ରମଣ୍ୟମ୍‌, ସହ ନିର୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରା ମେନ ଦେବରାଜ ପ୍ରମୁଖ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ ତେବେ ଆସନ୍ତା ମେ ମାସ ପ୍ରଥମ ସପ୍ତାହରେ ଏହି ସୁଟିଙ୍ଗ କରିବା ନିମନ୍ତେ ଦିନ ଧାର୍ଯ୍ୟ କରିଥିବା ଜଣାପଡିଛି ।

ମାଲକାନଗିରି ଜିଲାରେ ବହୁ ପର୍ଯ୍ୟଟନ କ୍ଷେତ୍ର ସହ ଏପରି ଏକ ଚଳଚ୍ଚିତ୍ର ଶୁଟିଂ ପାଇଁ ଉପଯୁକ୍ତ ସ୍ଥାନ ରହିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ନିକଟରେ ମାଲକାନଗିରିରେ ଶୁଟିଂ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ମଧ୍ୟ ହିଟ୍‌ ହୋଇ ଦେଶରେ ଚର୍ଚ୍ଚା ସୃଷ୍ଟି କରି ପାରିଥିଲା।

You might also like