ଆଜି ଅଭିନେତ୍ରୀ ରେଖାଙ୍କ ଜନ୍ମ ଦିନ
୭୨ ବର୍ଷରେ ପାଦ ଥାପିଛନ୍ତି ବଲିଉଡ୍ର ସଦାବାହାର ସୁନ୍ଦରୀ ଅଭିନେତ୍ରୀ ରେଖା । ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ ରେଖାଙ୍କ ଜନ୍ମ ୧୦ ଅକ୍ଟୋବର ୧୯୫୪ରେ ତାମିଲନାଡ଼ୁର ଚେନ୍ନାଇରେ ହୋଇଥିଲା । ତାଙ୍କ ପ୍ରକୃତ ନାଁ ଭାନୁରେଖା ଗଣେଶନ । ମାଆ ପୁଷ୍ପାବଳୀ ଜଣେ ଜଣାଶୁଣା ଅଭିନେତ୍ରୀ ଥିବାବେଳେ ବାପା ଜେମିନି ଗଣେଶନ ମଧ୍ୟ ଦକ୍ଷିଣ ଭାରତୀୟ ସିନେମାର ଜଣେ ପ୍ରତିଷ୍ଠିତ କଳାକାର ଥିଲେ । ଖୁବ୍ କମ୍ ବୟସରୁ ଅଭିନୟ ଜଗତରେ ପାଦ ଥାପିଥିବା ରେଖା ନିଜ ଅଭିନୟ, ନୃତ୍ୟ ଓ ସୁନ୍ଦରତା ପାଇଁ ହିନ୍ଦୀ ସିନେମାରେ ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ । ରେଖାଙ୍କ ବ୍ୟକ୍ତିଗତ ଜୀବନ କଥା ଉଠିଲେ ସବୁଠୁ ପ୍ରଥମେ ଚର୍ଚ୍ଚାକୁ ଆସେ ଅମିତାଭ ବଚ୍ଚନଙ୍କ ନାଁ । ଉଭୟ ଏକାଧିକ ଫିଲ୍ମରେ ଏକାଠି କାମ କରିଥିଲେ । ୧୯୮୧ରେ ରିଲିଜ୍ ହୋଇଥିବା ‘ସିଲସିଲା’ ଫିଲ୍ମରେ ଅମିତାଭ ଓ ରେଖାଙ୍କ ସହ ଜୟା ବଚ୍ଚନ ମଧ୍ୟ ଅଭିନୟ କରିଥିଲେ । ଏହି ଫିଲ୍ମକୁ ଉଭୟଙ୍କ ସମ୍ପର୍କ ସହ ଯୋଡ଼ି ଦେଖାଯାଏ । ତେବେ ଉଭୟଙ୍କ ସମ୍ପର୍କକୁ ନେଇ ହୋଇଥିବା ଚର୍ଚ୍ଚାର ସମସ୍ତ ଦିଗ ସାର୍ବଜନୀନ ଭାବେ ପ୍ରମାଣିତ ହୋଇନାହିଁ । ଅମିତାଭଙ୍କ ସହ ସମ୍ପର୍କର ଚର୍ଚ୍ଚା ପରେ ରେଖାଙ୍କ ନାଁ ଅଭିନେତା ବିନୋଦ ମେହେରାଙ୍କ ସହ ମଧ୍ୟ ଯୋଡ଼ାଯାଇଥିଲା । ଉଭୟ ‘ଘର’ ସମେତ ଅନେକ ଫିଲ୍ମରେ ଏକାଠି କାମ କରିଥିଲେ । ଦୁହେଁ ଗୁପ୍ତ ଭାବେ ବିବାହ କରିଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଥିଲା । ହେଲେ ରେଖା ଏହି ଖବରକୁ ଖଣ୍ଡନ କରିଥିଲେ । ୧୯୯୦ରେ ବ୍ୟବସାୟୀ ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ ରେଖା । ଉଭୟଙ୍କ ପରିଚୟ ଜଣେ ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ହୋଇଥିଲା । ମନ୍ଦିରରେ ବିବାହ କରିବା ପରେ ରେଖା, ହେମା ମାଳିନୀ ଓ ଧର୍ମେନ୍ଦ୍ରଙ୍କ ଘରକୁ ଯାଇଥିବା ନେଇ ମଧ୍ୟ ରିପୋର୍ଟ ରହିଛି । କିନ୍ତୁ, ଏହି ବୈବାହିକ ସମ୍ପର୍କ ଅଧିକ ଦିନ ତିଷ୍ଠି ରହିନଥିଲା । ବିବାହର ପ୍ରାୟ ବର୍ଷେ ଭିତରେ ଉଭୟଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା । ପରେ ମୁକେଶ ଅଗ୍ରୱାଲଙ୍କ ମୃତ୍ୟୁ ରେଖାଙ୍କ ଜୀବନର ସବୁଠୁ ଦୁଃଖଦ ଅଧ୍ୟାୟ ବୋଲି ସେ କହନ୍ତି । ତେବେ ଏସବୁ ଚର୍ଚ୍ଚା ଭିତରେ ରେଖା ନିଜ ଅଭିନୟ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ପାଇଁ ଆଜି ବି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ରଖିଛନ୍ତି ।