ଆମେରିକାର ଭୟଙ୍କର ଆକ୍ରମଣ ଜାରି: ଇରାନରେ ୭ ମୃତ

ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ନୂତନ ସଂଘର୍ଷର ପରିସର ଏବେ ହର୍ମୁଜ ପ୍ରଣାଳୀ ବାହାରକୁ ଲାଲ ସାଗର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଯଦି ଆମେରିକା ଇରାନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରେ, ତେବେ ଇରାନ ୟେମେନର ହୁଥି ବିଦ୍ରୋହୀମାନଙ୍କୁ ଲାଲ ସାଗରର ବାବ ଅଲ-ମାଣ୍ଡେବ ପ୍ରବେଶପଥ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ବାବ ଅଲ-ମାଣ୍ଡେବ ପ୍ରଣାଳୀ ଲାଲ ସାଗରକୁ ଆଡେନ ଉପସାଗର ଏବଂ ଭାରତ ମହାସାଗର ସହିତ ସଂଯୋଗ କରେ; ଏହା ଏସିଆ ଏବଂ ୟୁରୋପ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ମାର୍ଗ। ଏହି ମାର୍ଗ ବନ୍ଦ ହେବା ଦ୍ୱାରା ଅନ୍ତର୍ଜାତୀୟ ବାଣିଜ୍ୟରେ ଗୁରୁତର ହ୍ରାସ ଘଟିବ। ତେବେ ଲଗାତାର ଷଷ୍ଠ ଦିନ ପାଇଁ ଆମେରିକା ଓ ଇରାନ ପରସ୍ପର ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି। ଆମେରିକା ଗୁରୁବାର ରାତିରେ ଇରାନର ପାଞ୍ଚଟି ସେତୁ, ଗୋଟିଏ ରେଳ ଷ୍ଟେସନ ଓ ବିମାନବନ୍ଦର ଉପରେ ତୀବ୍ର ଆକ୍ରମଣ କରିଛି ଯେଉଁଥିରେ ତେହେରାନର ୭ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି। ହର୍ମୁଜ୍ ପ୍ରଣାଳୀରେ ତେହେରାନର କବ୍ଜା ହ୍ରାସ କରିବା ପାଇଁ ଚାପ ପକାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଆମେରିକା ସେନାବାହିନୀ ପକ୍ଷରୁ ଏହି ତୀବ୍ର ଆକ୍ରମଣ ଜାରି ରହିଛି। ଜବାବରେ ଇରାନ ମଧ୍ୟପ୍ରାଚ୍ୟରେ ଆମେରିକାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ଉପରେ ଜୋରଦାର ଆକ୍ରମଣ କରିଛି।ନୂତନ କ୍ଷେପଣାସ୍ତ୍ରରେ ଆକ୍ରମଣ କରିବା ସହିତ ଆହୁରି ଜୋରଦାର ଆକ୍ରମଣ କରିବ ବୋଲି ଚେତାବନୀ ଦେଇଛି।