ଆନ୍ଧ୍ରପ୍ରଦେଶରେ ପୁଣି କରୋନା ଚିନ୍ତା ! ୧୨ ସଂକ୍ରମିତ, ୪ ଜଣଙ୍କ ମୃତ୍ୟୁ

ଆନ୍ଧ୍ର ପ୍ରଦେଶରେ ପୁଣି କୋଭିଡ୍-୧୯କୁ ନେଇ ଚିନ୍ତା ବଢ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି. ବୀରପାଣ୍ଡିଆନଙ୍କ ସୂଚନା ଅନୁଯାୟୀ, ଜୁନ୍ ୨୬ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ ୧୨ ଜଣ କୋଭିଡ୍‌ରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମୃତକମାନେ ପୂର୍ବରୁ ଉଚ୍ଚ ରକ୍ତଚାପ, ମଧୁମେହ ଓ କିଡନି ରୋଗ ଭଳି ଗୁରୁତର ରୋଗରେ ପୀଡ଼ିତ ଥିଲେ ।ରାଜ୍ୟରେ ସର୍ବାଧିକ ୮ଟି ମାମଲା କଡ଼ପା ଜିଲ୍ଲାରୁ ଆସିଛି । ଏହାଛଡ଼ା ଗୁଣ୍ଟୁରରୁ ୨ଟି, ବିଶାଖାପାଟଣା ଓ କାକିନାଡାରୁ ଗୋଟିଏ ଲେଖାଏଁ ମାମଲା ଚିହ୍ନଟ ହୋଇଛି | ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛି । ଜ୍ୱର, କାଶ କିମ୍ବା ଶ୍ୱାସକଷ୍ଟ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇବା ଏବଂ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ବର୍ତ୍ତମାନ ପରିସ୍ଥିତିକୁ ନେଇ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସତର୍କ ରହିଛି ।