ରାଷ୍ଟ୍ରପତିଙ୍କ ହାତରେ ଉଦ୍‌ଘାଟିତ ହେଲା କଟକ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା

ନୌବାଣିଜ୍ୟ ପରମ୍ପରାର ପ୍ରତୀକ ତଥା ଐତିହାସିକ କଟକ ବାଲିଯାତ୍ରା ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଏହି ବିଶ୍ୱପ୍ରସିଦ୍ଧ ଉତ୍ସବର ଶୁଭଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ ପୂର୍ବରୁ ଗଡ଼ଗଡ଼ିଆ ଘାଟରେ ଡଙ୍ଗା ଭସାଇଛନ୍ତି ରାଷ୍ଟ୍ରପତି। ତାଙ୍କ ସହ ରାଜ୍ୟପାଳ ବ୍ରଜ ମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଡ଼ଗଡ଼ିଆ ଘାଟରେ ଡଙ୍ଗା ଭସାଇଛନ୍ତି। ବାଲିଯାତ୍ରା ପଡ଼ିଆରେ ଓରମାସ୍ ଷ୍ଟଲ୍ ମଧ୍ୟ ଉଦ୍‌ଘାଟନ କରିଛନ୍ତି ରାଷ୍ଟ୍ରପତି। ଓରମାସର ବିଭିନ୍ନ ଷ୍ଟଲ୍‌ ବୁଲିବା ସହ ମହିଳା ଉଦ୍ୟୋଗୀଙ୍କ ସହ କଥା ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ରାଷ୍ଟ୍ରପତିଙ୍କ ଅଭିଭାଷଣରେ କହିଛନ୍ତି କି ବିଶ୍ୱର ବିଭିନ୍ନ ଦେଶରେ ଏବେ ଆର୍ଥିକ ଅସ୍ଥିରତା ଲାଗିରହିଛି । କିନ୍ତୁ ଭାରତର ଅର୍ଥ ବ୍ୟବସ୍ଥା ସୁଦୃଢ଼ ରହିଛି । ସେପଟେ ଓଡ଼ିଶା ପ୍ରତି ପୁଞ୍ଜିନିବେଶକାରୀଙ୍କ ଆଗ୍ରହ ବଢ଼ୁଥିବାରୁ ଆଗକୁ ଓଡ଼ିଶା ଶିଳ୍ପ ହବ୍ ହେବାକୁ ଯାଉଛି । ମଧୁ ବାବୁ ଓଡ଼ିଶାରେ ପ୍ରଥମେ ଉତ୍କଳ ଟ୍ୟାନେରୀ ଜରିଆରେ ଶିଳ୍ପ ଆରମ୍ଭ କରିଥିଲେ । ଆଗାମୀ ଦିନରେ ଯୁବପିଢ଼ି ଓଡ଼ିଶାର ଅର୍ଥନୀତିକୁ ସୁଦୃଢ଼ କରିବେ ବୋଲି ସେ ଆହ୍ୱାନ ଦେଇଛନ୍ତି । କଟକର ତାରକସି,କୋରାପୁଟ କଫି,କନ୍ଧମାଳ ହଳଦୀ ଏଭଳି ଅନେକ ଓଡ଼ିଆ ଜିନିଷର ବିଦେଶରେ ବି ଆଦର ରହିଛି । ଯାହା କି ଓଡ଼ିଶାର ବ୍ୟବସାୟକୁ ମଜବୁତ କରିଛି । ଓଡ଼ିଶାରେ ତିନୋଟି ବନ୍ଦରର ବେଶ୍ ଖ୍ୟାତି ରହିଛି, ପାରାଦ୍ୱୀପ ବନ୍ଦର ବିଶ୍ୱରେ ପ୍ରସିଦ୍ଧ ।