ସିଗାରେଟ୍ ଧୂଆଁରେ ଉଡ଼ିଲା ୨୧୦୦ କୋଟି, ରାଜକୋଷକୁ ମିଳିଲା ୩୧୯ କୋଟି

ବର୍ଷକୁ ୨୧୦୦ କୋଟିର ସିଗାରେଟ ଫୁଙ୍କି ଉଡେଇ ଦେଲେ ଓଡିଶା ବାସୀ। ବିଧାନସଭାରୁ ଆସିଛି ଏମିତି ସାଙ୍ଘାତିକ ତଥ୍ୟ। ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାରେ ବିକ୍ରି ହୋଇଛି ୨ ହଜାର ୧୦୩ କୋଟିରୁ ଅଧିକ ଟଙ୍କାର ସିଗାରେଟ୍। ଅର୍ଥାତ୍ ପ୍ରତି ମାସରେ ହାରାହାରି ୧୭୫ କୋଟି ଟଙ୍କାରୁ ଅଧିକ ଏବଂ ପ୍ରତିଦିନ ପ୍ରାୟ ୫ କୋଟି ୭୬ ଲକ୍ଷ ଟଙ୍କାର ସିଗାରେଟ୍ ବିକ୍ରି ହେଉଛି। ଏହି ବିକ୍ରିରୁ ସରକାରଙ୍କ ରାଜକୋଷକୁ ମିଳିଛି ୩୧୯ କୋଟିରୁ ଅଧିକ ଟଙ୍କାର ରାଜସ୍ୱ। ବିଧାନସଭାରେ ଏହି ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ସବୁଠାରୁ ବଡ଼ କଥା ହେଉଛି, ସିଗାରେଟ୍ ଉପରେ ଟିକସ ବୃଦ୍ଧି ସତ୍ତ୍ୱେ ଏହାର ଚାହିଦା କମିବାର ନାଁ ନେଉନାହିଁ। ଫେବୃଆରୀ ୨୦୨୬ରେ ସିଗାରେଟ୍ ଉପରେ ଜିଏସ୍‌ଟି ହାର ୨୮ ପ୍ରତିଶତରୁ ବୃଦ୍ଧି ପାଇ ୪୦ ପ୍ରତିଶତ ହୋଇଥିଲା। ଏହାପରେ ସିଗାରେଟ୍ ଦର ବଢ଼ିଥିଲେ ମଧ୍ୟ ଧୂମପାନ ଅଭ୍ୟାସ ଉପରେ ବିଶେଷ ପ୍ରଭାବ ପଡ଼ିନଥିବା ଚିତ୍ର ଏହି ତଥ୍ୟରୁ ସ୍ପଷ୍ଟ ହେଉଛି।ଓଡ଼ିଶା ବଜାରରେ କେବଳ ଦେଶରେ ଉତ୍ପାଦିତ ସିଗାରେଟ୍ ନୁହେଁ, ବିଦେଶୀ ବ୍ରାଣ୍ଡର ସିଗାରେଟ୍‌ର ମଧ୍ୟ ଚାହିଦା ରହିଥିବା କୁହାଯାଉଛି। ବିଭିନ୍ନ ଦାମ୍ ଓ ବ୍ରାଣ୍ଡର ସିଗାରେଟ୍ ବଜାରରେ ଉପଲବ୍ଧ ଥିବାରୁ ଏହି କାରବାରର ପରିସର ଆହୁରି ବ୍ୟାପକ ହୋଇଛି।