କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ ପୋଲିସ

ଆଉ ଦିନକ ପରେ ସରିବ ପବିତ୍ର କାର୍ତ୍ତିକ ମାସ । ଆସନ୍ତାକାଲି ପାଳିତ ହେବ କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଭକ୍ତିମୟ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ନିଷ୍ଠା ଓ ଶ୍ରଦ୍ଧାର ସହ ମହାକାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳି । ପ୍ରତିଦିନ ପୂଜାପାଠ ଓ ନାମସଂକୀର୍ତ୍ତନରେ ବିତୁଛି ସେମାନଙ୍କ ସମୟ । କାର୍ତ୍ତିକ ପୂର୍ଣ୍ଣିମାକୁ ନେଇ ଏବେ ଶ୍ରୀକ୍ଷେତ୍ରରେ ଉତ୍ସାହ ଓ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇଛି। ତେବେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ପାଇଁ ପ୍ରଶାସନ ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି। ବଗଲାଧର୍ମଶାଳାରୁ ପ୍ରଶାସନ ପକ୍ଷରୁ ହୋଇଥିବା ଅସ୍ଥାୟୀ ବ୍ୟାରିକେଡ଼ରେ ଭକ୍ତମାନେ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବା ସହ ଅନ୍ୟ ତିନିଦ୍ବାର ଦେଇ ପ୍ରସ୍ଥାନ କରିବେ। ଭକ୍ତଙ୍କ ସୁରକ୍ଷା ପାଇଁ ସେଡ୍ ଓ ରେଡ୍ କାରପେଟ୍ ବିଛାଯାଇଛି।ସେହିପରି ବଡଦାଣ୍ଡର ଉଭୟ ପାର୍ଶ୍ୱରେ ପିଇବା ପାଣି, ମୋବାଇଲ ଟଏଲଟ୍ ବ୍ୟବସ୍ଥା, ଅସ୍ଥାୟୀ ମେଡିକାଲ, ଚପଲ ଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡର ବ୍ୟବସ୍ଥା ହୋଇଛି। ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ସମୁଦାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବେଳାଭୂମି, ତୀର୍ଥପୁଷ୍କରିଣୀରେ ସୁରକ୍ଷିତ ସ୍ନାନ ଓ ଡଙ୍ଗା ଭସା ପାଇଁ ଲାଇଫଗାର୍ଡଙ୍କ ସହ ଅଗ୍ନିଶମ ବିଭାଗ, ଓ ଓଡ୍ରାଫ୍ ଟିମ୍ ମୁତୟନ ହେଵେ ।